ନୂଆଦିଲ୍ଲୀ: ସାରା ଦେଶରେ ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ ଗଠନ କରାଯିବ। ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ସବୁ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୫’କୁ ଉଦ୍ଘାଟନ କରି ଶ୍ରୀ ଶାହ ଏଭଳି ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଦ୍ୱାରା ଏହି ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ସାମିଲ ହେବା ପରିପ୍ରେକ୍ଷୀରେ ଶ୍ରୀ ଶାହ, ଏନ୍ଆଇଏର ଅପଡେଟ୍ ହୋଇଥିବା ଅପରାଧ ମାନୁଆଲ୍, ସଙ୍ଗଠିତ ଅପରାଧ ନେଟୱାର୍କ ଡାଟାବେସ୍ ଏବଂ ହଜିଯାଇଥିବା/ଲୁଟ୍ ଏବଂ ପୁନରୁଦ୍ଧାର ହୋଇଥିବା ଅସ୍ତ୍ର ଡାଟାବେସ୍କୁ ଉନ୍ମୋଚନ କରିଥିଲେ। ସେହିପରି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ଦୃଷ୍ଟିକୋଣ ଅଧୀନରେ, ଏହି ବାର୍ଷିକ ସମ୍ମିଳନୀ ଆସନ୍ନ ବିପଦର ମୁକାବିଲା ପାଇଁ ଏକ ମଞ୍ଚରେ ପରିଣତ ହୋଇଛି। ଗତ ୩ ବର୍ଷ ମଧ୍ୟରେ ଆମେ ଏହି ସମ୍ମିଳନୀକୁ ବାର୍ଷିକ ପରମ୍ପରାରେ ପରିଣତ କରିବା ଦିଗରେ ଆଗକୁ ବଢ଼ିଛୁ। ଏହି ସମ୍ମିଳନୀ କେବଳ ଆଲୋଚନା ପାଇଁ ଏକ ମଞ୍ଚ ନୁହେଁ, ବରଂ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ପ୍ରସଙ୍ଗମାନ ଏଠାରେ ଉଠିଛି ଏବଂ ଏନ୍ଆଇଏ ରାଜ୍ୟର ସମସ୍ତ ସମ୍ପୃକ୍ତ ସଂସ୍ଥା ସହିତ ମିଶି ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବର୍ଷସାରା ନିରନ୍ତର କାର୍ଯ୍ୟ କରୁଛି। ଫଳସ୍ୱରୂପ, ଆମେ ସାରା ଦେଶରେ ଏକ ଶକ୍ତିଶାଳୀ ଆତଙ୍କବାଦ ବିରୋଧୀ ଗ୍ରିଡ୍ ନିର୍ମାଣ କରିବାରେ ସଫଳ ହେଉଛୁ। ଏହି ସମ୍ମିଳନୀ କେବଳ ସୁରକ୍ଷା ପାଇଁ ଭାରତର ସଂକଳ୍ପକୁ ଦୋହରାଇବାର ଏକ ମାଧ୍ୟମ ନୁହେଁ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଗତ ବର୍ଷ ଦେଶ ତଥା ବିଶ୍ୱରେ ଘଟିଥିବା ସମସ୍ତ ଆତଙ୍କବାଦୀ ଘଟଣାର ବିଶ୍ଳେଷଣ କରିବା, ସେମାନଙ୍କ ବିଷୟରେ ମିଳିଥିବା ଗୁଇନ୍ଦା ତଥ୍ୟ ସହିତ, ଏବଂ ସେହି ଅନୁଯାୟୀ ଆମର ଆତଙ୍କବାଦ ବିରୋଧୀ ସାମର୍ଥ୍ୟକୁ ବୃଦ୍ଧି କରିବା। ବୈଷୟିକ ପ୍ରଗତି ସହିତ ଆତଙ୍କବାଦୀ ଘଟଣାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଯୋଗୁଁ ବିଶ୍ୱରେ ଆତଙ୍କବାଦର ପରିଦୃଶ୍ୟ ଏବେ ବଦଳୁଛି ଏବଂ ଏହାକୁ ରୋକିବା ପାଇଁ ଆମକୁ ମଧ୍ୟ ପ୍ରସ୍ତୁତ ରହିବାକୁ ପଡ଼ିବ। ଅଦୃଶ୍ୟ ଭବିଷ୍ୟତର ଆହ୍ୱାନର ପୂର୍ବାନୁମାନ କରିବା ଏବଂ ସେଗୁଡ଼ିକୁ ରୋକିବା ଏହି ସମ୍ମିଳନୀର ଜାତୀୟ ଦାୟିତ୍ୱ।
ଶାହଙ୍କ କହିବାନୁସାରେ ଆଜି ଏଠାରେ ତିନୋଟି ନୂଆ ଯୋଜନାର ଶୁଭାରମ୍ଭ କରାଯାଇଛି। ଏନ୍ଆଇଏ ଦ୍ୱାରା ପ୍ରସ୍ତୁତ ଅପଡେଟ୍ ହୋଇଥିବା ଅପରାଧ ମାନୁଆଲ୍ ଆଜି ପ୍ରକାଶ ପାଇଛି। ଆଜି ଅସ୍ତ୍ରଶସ୍ତ୍ରର ଇ-ଡାଟାବେସ୍ ମଧ୍ୟ ଆରମ୍ଭ କରାଯାଇଛି। ଆଜି ସଂଗଠିତ ଅପରାଧ ନେଟୱାର୍କ ଉପରେ ଏକ ଡାଟାବେସ୍ ମଧ୍ୟ ଜାରି କରାଯାଇଛି। ସେ ସବୁ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ନିଜ ନିଜ ରାଜ୍ୟରେ ଏକ ଦଳ ଗଠନ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ସେମାନେ ଅନୁସନ୍ଧାନ ଏବଂ ମାମଲା ପରିଚାଳନା ଉଦ୍ଦେଶ୍ୟରେ ଏହି ମାନୁଆଲ ଅଧ୍ୟୟନ କରୁଛନ୍ତି। ପ୍ରତ୍ୟେକ ରାଜ୍ୟ, ଏନ୍ଆଇଏ ଏବଂ ସିବିଆଇର ମାର୍ଗଦର୍ଶନରେ, ଆଇବିର ସହଯୋଗରେ, ଏବଂ ଏହି ଡାଟାବେସ୍ ବ୍ୟବହାର କରି, ନିଜ ଅଧିକାର କ୍ଷେତ୍ର ମଧ୍ୟରେ ଏହାକୁ ସମାପ୍ତ କରିବା ଉଚିତ ବୋଲି ଶାହ କହିଛନ୍ତି। ଶାହ ଏହି ଅବସରରେ ଜମ୍ମୁ କାଶ୍ମୀରର ବୈସରନ୍ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ମଧ୍ୟ କହିଥିଲେ। ଶାହଙ୍କ କହିିବାନୁସାରେ ଏହି ଘଟଣାରେ ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦିଆଯିବା ଜରୁରି ହୋଇପଡିଥିଲା। ସୁତରାଂ ଭାରତୀୟ ସେନା ଅପରେସନ୍ ସିନ୍ଦୂର ଏବଂ ଅପରେସନ୍ ମହାଦେବ’ ପୂର୍ବକ ଅନେକ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ଗୃହ ମନ୍ତ୍ରୀ କହିଥିଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଫଳାଫଳ ପାକିସ୍ତାନକୁ ଅନ୍ତର୍ଜାତୀୟ ମଞ୍ଚରେ କାଠଗଡ଼ାରେ ଛିଡା କରାଇବ। ସେହିପରି ଦିଲ୍ଳୀରେ ଘଟିଥିବା ଆତଙ୍କବାଦୀ ବିସ୍ଫୋରଣ ସମ୍ପର୍କରେ ମଧ୍ୟ କହିଛନ୍ତି।
ଶାହ କହିଛନ୍ତି, ଭାରତ ହେଉଛି ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା। ଭାରତ ମହାସାଗର କାରଣରୁ ଆମର ଭୌଗୋଳିକ-ରାଜନୈତିକ ସ୍ଥିତି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମର ଅର୍ଥବ୍ୟବସ୍ଥା ଯେତେ ଆଗକୁ ବଢ଼ିବ, ସେହି ଅନୁପାତରେ ଆମର ସମସ୍ୟା ମଧ୍ୟ ବୃଦ୍ଧି ପାଇବ। ଦେଶର ଅର୍ଥବ୍ୟବସ୍ଥା ଯେତେ ଆଗକୁ ବଢ଼ିବ, ସେହି ଅନୁସାରେ ଆମକୁ ନିଜର ସତର୍କତା ବଢ଼ାଇବାକୁ ପଡ଼ିବ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତି ଆମ ସୀମାରୁ ଆରମ୍ଭ ହେଉନାହିଁ, ବରଂ ସୀମାକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତି ଅନେକ ମାଇଲ ଦୂରରୁ ଆରମ୍ଭ ହେବା ଆବଶ୍ୟକ। ସାଇବର ଏବଂ ସୂଚନା ଯୁଦ୍ଧ, ଆର୍ôଥକ ନେଟୱାର୍କର ଅପବ୍ୟବହାର ଏବଂ ଆତଙ୍କବାଦର ମିଶ୍ରିତ ଢାଞ୍ଚା ପାଇଁ ଆମକୁ ଏକ ଜାତୀୟ ଗ୍ରୀଡ ଭାବେ ଏକ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିବାକୁ ହେବ-ଯାହା ସତର୍କ ଏବଂ ଦ୍ରୁତ, ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସକ୍ଷମ-ଏବଂ ଏହା କେବଳ ଏଭଳି ସମ୍ମିଳନୀ ମାଧ୍ୟମରେ ହାସଲ କରାଯାଇପାରିବ। ଏଭଳି ସ୍ଥିତିରେ, ଦେଶ ପାଇଁ ଏବଂ ଆଗାମୀ ପିଢ଼ି ପାଇଁ ଏକ ଶକ୍ତିଶାଳୀ ଆତଙ୍କବାଦ ବିରୋଧୀ ଗ୍ରିଡ୍ ନିର୍ମାଣ କରିବା ଆମ ସମସ୍ତଙ୍କର ଦାୟିତ୍ୱ, ଯାହାଦ୍ୱାରା ସେମାନେ ଆଗକୁ ଆସୁଥିବା ଆହ୍ୱାନର ଦୃଢତାର ସହ ମୁକାବିଲା କରିପାରିବେ। ସମ୍ମିଳନୀରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏବଂ ବନ୍ଦୀ ସଞ୍ଜୟ କୁମାର, କେନ୍ଦ୍ର ଗୃହସଚିବ, ଆର୍ ଆଣ୍ଡ୍ ଡବ୍ଲ୍ୟୁ ସଚିବ, ଏନ୍ଆଇଏର ମହାନିର୍ଦ୍ଦେଶକ ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏତଦ୍ବ୍ୟତୀତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ପୁଲିସ୍ ଅଧିକାରୀ, ଆତଙ୍କବାଦ ମୁକାବିଲା ସମ୍ବନ୍ଧୀୟ ପ୍ରସଙ୍ଗରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ଏଜେନ୍ସି/ବିଭାଗୀୟ ଅଧିକାରୀ ଏବଂ ଆଇନ, ଫରେନସିକ, ପ୍ରଯୁକ୍ତିବିଦ୍ୟା ଇତ୍ୟାଦି ସମ୍ବନ୍ଧୀୟ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ଯୋଗଦେଇଛନ୍ତି।










