ଭୁବନେଶ୍ୱର: ଧର୍ମରକ୍ଷା ପାଇଁ ଦୁଇ ବାଳକ ଜୋରାବର ଓ ଫତେହ ସିଂଙ୍କ ବଳିଦାନ ଅବିସ୍ମରଣୀୟ । ମୋଗଲ ଶାସନ କାଳରେ ଭାରତୀୟ ସନାତନୀଙ୍କ ଉପରେ ଧର୍ମପରିବର୍ତନ ନିମନ୍ତେ ନାନା ପାଶବିକ ଅତ୍ୟାଚାର କରାଯାଉଥିଲା । ମୋଗଲ ସମ୍ରାଟ ଔରଙ୍ଗଜେବ କଳେବଳେ କୌଶଳେ ଅଥବା ତରବାରୀର ତୀକ୍ଷ୍ଣ ଧାରରେ ଧର୍ମାନ୍ତରୀକରଣ ପାଇଁ ବାଧ୍ୟ କରୁଥିଲେ । ଯେଉଁମାନେ ଏହାକୁ ଅବମାନନା କରୁଥିଲେ ସେମାନଙ୍କୁ ନୃଶଂସଭାବେ ହତ୍ୟା କରାଯାଉଥିଲା । ୧୭୦୪ ମସିହା ଡିସେମ୍ବର ୨୨ରେ ସିରସା ନଦୀକୂଳରେ ଖାଲସା ଓ ମୋଗଲମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ସମୟରେ ୪୦ ଜଣ ଶିଖ୍ ଦେଢ଼ ଲକ୍ଷ ମୋଗଲ ସେନାଙ୍କ ବିରୋଧରେ ଧର୍ମଯୁଦ୍ଧ ଲଢ଼ିଥିଲେ । ଏହି ଯୁଦ୍ଧରେ ଶିଖ୍ ଧର୍ମଗୁରୁ ଗୋବିନ୍ଦ ସିଂଙ୍କ ୨ ବଡ ପୁଅ ବାବା ଅଜିତ ସିଂ ଓ ବାବା ଜୁଝାର ସିଂଙ୍କ ସମେତ ବାକି ୩୮ ଶିଖ୍ ବୀର ରଣଭୂମିରେ ବୀରଗତି ପ୍ରାପ୍ତ ହୋଇଥିଲେ । ବିବି ଶରନ୍ କୌର ଶହୀଦମାନଙ୍କ ଶେଷକୃତ୍ୟ ସମ୍ପନ୍ନ କରୁଥିବାବେଳେ ତାଙ୍କୁ ମଧ୍ୟ ଜଳନ୍ତା ଜୁଇ ଭିତରକୁ ଜିଅନ୍ତା ଫିଙ୍ଗି ନିର୍ମମଭାବେ ହତ୍ୟା କରାଯାଇଥିଲା । ଏତିକିରେ ଅଟକି ନଥିଲା ମୋଗଲମାନଙ୍କ ପାଶବିକ ଅତ୍ୟାଚାର । ଧର୍ମପରିବର୍ତନ କରିବାକୁ ବାରଣ କରିଥିବା ଦୁଇ ଶିଶୁ ପୁତ୍ର ୭ ବର୍ଷୀୟ ସାହେବଜାଦା ବାବା ଜୋରାବର ସିଂ ଏବଂ ୯ ବର୍ଷୀୟ ବାବା ଫତେ ସିଂଙ୍କୁ ‘ଥଣ୍ଡା ବୁଜ୍ର୍ ଦୁର୍ଗ’ରେ ଦୁଇଦିନ ବନ୍ଦୀ ରଖିବାପରେ ତୃତୀୟ ଦିନ ଇଟା କାନ୍ଥ ଭିତରେ ଜୀବନ୍ତ ସମାଧି ଦିଆଯାଇଥିଲା । କିନ୍ତୁ ଇଟାକାନ୍ଥ ଭାଙ୍ଗିପଡ଼ିବାରୁ ପୁନଶ୍ଚ ଦୁଇ କୋମଳମତି ଶିଶୁଙ୍କର ଗଳାକାଟି ହତ୍ୟାକରି ମୋଗଲ ନିଜର ନୃଶଂସତା ଓ ବର୍ବରତାର ପରିଚୟ ଦେଇଥିଲେ । ବୀର ସାହେବଜାଦେଙ୍କ ବୀରତ୍ୱର କାହାଣୀ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟନ୍ୱିତ କରିଦେଇଥିଲା । ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ତାଙ୍କ ଚାରି ବୀର ସାହେବଜାଦେଙ୍କ ସାହସ ଏବଂ ଆଦର୍ଶ ଆଜି ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରିଛି । ଦେଶର ସମ୍ମାନ ରକ୍ଷା କରିବା ପାଇଁ ଦଶମ ଶିଖ୍ ଗୁରୁଙ୍କ ମହାନ ଯୋଗଦାନ ଏବଂ ଶିଖ୍ ପରମ୍ପରାର ବଳିଦାନର ଏହି ଦିବସ ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି ।
ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ‘ବୀର ବାଲ୍’ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା ରାଷ୍ଟ୍ର ଧର୍ମର ସୁରକ୍ଷା ପାଇଁ ସହୀଦ ହୋଇଥିବା ମହାପୁରୁଷଙ୍କ ସଂପର୍କରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ‘ବୀର୍ ବାଲ୍’ ଦିବସକୁ ପ୍ରତି ସ୍କୁଲ ଓ କଲେଜରେ ପାଳନ କରାଯାଉଛି । ବୀରତ୍ୱ ଓ ସାହାସର କୌଣସି ବୟସ ନଥାଏ । କଠିନ ପରିସ୍ଥିତିରେ ଅନ୍ୟାୟର ସମ୍ମୁଖୀନ ହେଲେ ବି ସାହେବଜାଦା ବାବା ଜୋରାବର ସିଂ ଓ ବାବା ଫତେ ସିଂ ନିଜ ଧର୍ମ ଏବଂ ତ୍ୟାଗର ମୂଲ୍ୟବୋଧକୁ ସେମାନେ ନଛାଡି ସର୍ବୋଚ୍ଚ ବଳିଦାନ ଦେଇଥିଲେ । ଓଡିଶାର ଇତିହାସରେ ଅନେକ ବୀର ବାଳକଙ୍କ ଉଦାହରଣ ରହିଛି । ଛୋଟ ଛୋଟ ଏବଂ କୋମଳମତି ପିଲାମାନେ ମଧ୍ୟ ଦେଶ ଓ ସମାଜ ପାଇଁ ବଡ ପ୍ରେରଣା ହୋଇପାରନ୍ତି ‘ବୀର୍ ବାଲ୍ ଦିବସ’ ଆମକୁ ଶିକ୍ଷା ଦେଉଛି ବୋଲି ଶ୍ରୀମତୀ ପରିଡା କହିଛନ୍ତି । ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଗୁରୁଦ୍ୱାରା ସିଂହ ସଭାର ସଂପାଦକ ଶ୍ରୀ ଜିତେନ୍ଦର ସିଂହ କହିଛନ୍ତି ଯେ, ଆଜିର ଦିନ କେବଳ ଏକ ତାରିଖ ନୁହେଁ ବରଂ ଏହା ହେଉଛି ବିଳାସମୟ ଜୀବନଯାପନକୁ ପରିତ୍ୟାଗ କରି ସତ୍ୟ, ବୀରତ୍ୱ, ସାହସ ପ୍ରଦର୍ଶନ କରିଥିବା ଦୁଇ ବାଳକଙ୍କୁ ଶତ ଶତ ପ୍ରଣାମ ଜଣାଇବାର ଦିବସ । ଗତ ୨୦୨୨ ମସିହା ଜାନୁଆରୀ ୯ ତାରିଖରେ ଗୁରୁ ଗୋବିନ୍ଦ ସିଂହଙ୍କ ବାର୍ଷିକ ଜନ୍ମ ଦିବସ ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୬ ତାରିଖକୁ ‘ବୀର୍ ବାଲ୍’ ଦିବସ ରୂପେ ଘୋଷଣା କରାଯାଉଛି । ସେବେଠାରୁ ପ୍ରତିବର୍ଷ ଦେଶବ୍ୟାପୀ ଏହି ଦିବସ ପାଳନ କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ କହିଛନ୍ତି ଯେ, ଶିଖ୍ ସମାଜରୁ ସମର୍ପଣ, ସେବା, ତ୍ୟାଗ କିପରି କରିବା ତାହା ଜାଣିବା ଦରକାର । ଭାରତର ବୀରଗାଥାରେ ଏପରି ଅନେକ ବଳିଦାନର କାହାଣୀ ରହିଛି ଯାହା ଲୋପ ପାଇଯାଇଥିଲା । ଭାରତର ଶିକ୍ଷା ନୀତିରେ ତାହାକୁ ବର୍ଣ୍ଣନା କରାଯାଇନଥିଲା । ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ସେହି ସଂସ୍କୃତିକୁ ଜଣାଇବା ପାଇଁ ପଦକ୍ଷେପ ନେଇଛନ୍ତି । ତ୍ୟାଗର ଶୀର୍ଷରେ ପହଁଚିବାପାଇଁ ବୟସ ନୁହେଁ ବରଂ ବୀର ମାନସିକତା ଓ ଦୃଢ ନିଷ୍ଠା ଗୁରୁତ୍ୱପୂର୍ଣ୍ଣ ଅଟେ ବୋଲି ‘ବୀର୍ ବାଲ୍’ ଦିବସ ଆମକୁ ମନେ ପକାଇ ଦିଏ । ଦେଶ ତଥା ରାଜ୍ୟର ସମସ୍ତ ଛାତ୍ରଛାତ୍ରମାନେ ସାହେବଜାଦାଙ୍କ ସଂପର୍କରେ ଜାଣିବା ନିହାତି ଜରୁରୀ । କ୍ରୁର ମୋଗଲମାନଙ୍କ ଜବରଦସ୍ତ ଧର୍ମାନ୍ତିକରଣ ଏବଂ ତାକୁ ବିରୋଧ କରି ମୁଘଲଥ ନୁଆଇଁ ନଥିବା ଏବଂ ନିଜ ସର୍ବୋଚ୍ଚ ବଳିଦାନ ଦେଇଥିବା ଦୁଇ କୋମଳମତି ବାଳକଙ୍କ ସଂପର୍କରେ ସମସ୍ତେ ଜାଣିବା ଉଚିତ୍୍ । ନିଜ ଧର୍ମ, ସଂସ୍କୃତି ଓ ପରଂପରାକୁ ବଂଚାଇବା ହେଉଛି ମୂଳ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ବାଲ୍ ବୀର୍ ଜୋରଦାର ସିଂହ ଓ ଫତେହ ସିଂହଙ୍କ ବଳିଦାନ ସଂପର୍କରେ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ଆଗାମୀ ଭବିଷ୍ୟତ ପିଢୀ ତଥା ଉତରାଧିକାରୀମାନେ ବିଶ୍ୱର ସର୍ବକନିଷ୍ଠ ଶହୀଦ ସାହେବଜାଦା ବାବା ଜୋରାବର ସିଂ ଏବଂ ୯ ବର୍ଷୀୟ ବାବା ଫତେହ ସିଂଙ୍କ ବୀରଗାଥା ସଂପର୍କରେ ଜଣାଇବା ଆମ ସମସ୍ତଙ୍କ ଦାୟୀତ୍ୱ । ଇତିହାସ ପୃଷ୍ଟାରୁ ଲିଭିଯାଉଥିବା ଏଭଳି ଅନେକ ବୀରଗାଥାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଯେଉଁ ପ୍ରୟାସ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ରାଜ୍ୟ ଉପସଭାପତି ତଥା ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଶ୍ରୀ ବିଷ୍ଣୁ ଦାଶ କହିଛନ୍ତି । ସଭା ପ୍ରାରମ୍ଭରେ ଗୁରୁବାଣୀ ପାଠ କରାଯାଇଥିଲା । ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଂଜନ ମିଶ୍ର କାର୍ଯ୍ୟକ୍ରମର ସଂଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଗୁରୁଦ୍ୱାରା ସିଂହ ସଭାର ସଦସ୍ୟ ଶ୍ରୀ ଅମରଜିତ୍ ସିଂହ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି, ବରିଷ୍ଠ ନେତା ସୁଦୀପ୍ତ ରାୟ ପ୍ରମୁଖଙ୍କ ସମେତ ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ । ଶିଖ୍ ସମ୍ପ୍ରଦାୟର ଶିଶୁମାନଙ୍କ ସାହସିକତାକୁ ଭୁରଭୁରି ପ୍ରଶଂସା କରି ଆଜି ସକାଳେ ବିଜେପି ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଭୁବନେଶ୍ୱରର ଖାରବେଳନଗର ସ୍ଥିତ ଗୁରୁଦ୍ୱାରକୁ ଯାଇ ବାଲ୍ ବୀର୍ ଜୋରଦାର ସିଂହ ଓ ଫତେ ସିଂହଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ ।









