ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ସହରର କୋତୱାଲି ଅଞ୍ଚଳରେ କାନପୁର – ସାଗର ରାଜପଥ ୮୬ରେ ଏକ ଦ୍ରୁତଗାମୀ ଡମ୍ଫର ଟ୍ରକ୍ ଏକ ବାଇକ୍କୁ ଧକ୍କା ଦେଇଥିଲା। ଏହି ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଟ୍ରକ୍ ତଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ନାମ ୨୭ ବର୍ଷୀୟ ରାଜା ବାବୁ, ସେ ସୁଭାଷ ନଗର ମୋହଲ୍ଲାର ବାସିନ୍ଦା କାଲକା ପ୍ରସାଦଙ୍କ ପୁଅ। ସୂଚନା ଅନୁସାରେ, ରାଜା ବାବୁ ଆରଏସ ଷ୍ଟୋନ କ୍ରସର ପ୍ଲାଣ୍ଟରେ କାମ କରୁଥିଲେ ଏବଂ କାମ ସାରି ଘରକୁ ଫେରୁଥିଲେ। ଘରକୁ ପହଞ୍ଚିବାର କିଛି ବାଟ ପୂର୍ବରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପରିବାର ଏବଂ ବନ୍ଧୁମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ଜନତା ଡ୍ରାଇଭରଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ହେପାଜତକୁ ନେଇଥିଲା। ଡ୍ରାଇଭରଙ୍କୁ ଉଦ୍ଧାର କରିବା ସମୟରେ ପୋଲିସ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିବାରୁ ଆଉ ଦୁଇ ଜଣଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଛି।










