ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡିଶାରେ ହାଡ ଭଙ୍ଗା ଶୀତ ଜାରି ରହିଛି । ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି ଏବଂ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀକୁ ହ୍ରାସ ପାଇଛି। ଫୁଲବାଣୀ, ଦାରିଙ୍ଗବାଡି, ଜି.ଉଦୟଗିରି, ବାଲିଗୁଡ଼ା, ତୁମୁଡିବନ୍ଧ ଏବଂ କୋଟାଗଡ଼ା ଅଞ୍ଚଳରେ ପ୍ରବଳ ଥଣ୍ଡା ହେବ ସହ ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଏହି ସମୟରେ, ଅନେକ ସ୍ଥାନରେ ତୁଷାରପାତ ଭଳି ପରିସ୍ଥିତି ମଧ୍ୟ ଦେଖାଦେଇଛି ।ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ, ଦାରିଙ୍ଗବାଡିରେ ୬ ଡିଗ୍ରୀ ରେକର୍ଡ କରାଯାଇଛି ।ଏହା ସହ ରାଉରକେଲାରେ ୮.୨ ଡିଗ୍ରୀ, ଝାରସୁଗୁଡାରେ ୮.୯ ଡିଗ୍ରୀ ଓ କେନ୍ଦୁଝରରେ ୧୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ସମ୍ବଲପୁରରେ ୧୧.୮, ହୀରାକୁଦରେ ୧୩ ଡିଗ୍ରୀ, ଭୁବନେଶ୍ୱରରେ ୧୩.୨ ଡିଗ୍ରୀ, ବାଲେଶ୍ୱରରେ ୧୪.୧, ଚାନ୍ଦବାଲି ୧୫ ଡିଗ୍ରୀ, ପାରାଦ୍ୱୀପ ୧୫.୫ ଡିଗ୍ରୀ ଗୋପାଳପୁରରେ ୧୬ ଡିଗ୍ରୀ ଓ ପୁରୀରେ ତାପମାତ୍ରା ୧୭.୧ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ଆଗାମୀ ୬-୭ ଦିନ ପର୍ଯ୍ୟନ୍ତ ଥଣ୍ଡା ଜାରି ରହିବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଦିନର ସର୍ବୋଚ୍ଚ ତାପମାତ୍ରା ୨୯ ଡିଗ୍ରୀ ଏବଂ ରାତିର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିବ । ଆଞ୍ଚଳିକ ପାଣିପାଗ ବିଭାଗ ଅନୁଗୁଳ ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ଥଣ୍ଡା ଲହରୀ ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ।










