30.1 C
Bhubaneswar
Thursday, February 5, 2026
Homeଓଡିଶାସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ ରେ ବିଏମ୍ ସିର ବନୀକରଣ ସ୍ୱଚ୍ଛ କ୍ୟାଣ୍ଟିନ୍ ଉଦଘାଟିତ

ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ ରେ ବିଏମ୍ ସିର ବନୀକରଣ ସ୍ୱଚ୍ଛ କ୍ୟାଣ୍ଟିନ୍ ଉଦଘାଟିତ

ଭୁବନେଶ୍ୱର: ସହରାଞ୍ଚଳ ସବୁଜ ଆଚ୍ଛାଦନ ବିସ୍ତାର ଏବଂ ବାୟୁ ଗୁଣବତ୍ତା ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭୁବନେଶ୍ୱର ମହାନଗର ନିଗମ ଆଜି ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ପରିବହନ ଷ୍ଟେସନ (TTS) ରେ ବ୍ୟାପକ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ ଅଂଶ ସ୍ୱରୂପ ସମଗ୍ର କ୍ୟାମ୍ପସରେ ୧,୦୦୦ ରୁ ଅଧିକ ଚାରା ରୋପଣ କରାଯାଇଛି । ମାନ୍ୟବର ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଭାବରେ ପ୍ରତିଷ୍ଠିତ ସ୍ୱଚ୍ଛ କ୍ୟାଣ୍ଟିନ୍ କୁ ଉଦ୍ଘାଟନ କରିଥିଲେ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ସମାବେଶକୁ ସମ୍ବୋଧିତ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ଏହା ଗର୍ବର ବିଷୟ ଯେ ଭୁବନେଶ୍ୱର ଏବେ ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି, ଯାହା ସହରର ସବୁଜ ଅଭିଯାନର ପ୍ରଭାବଶାଳୀତାକୁ ସୂଚାଇ ଦେଉଅଛି । ସେ ଆହୁରି କହିଛନ୍ତି ଯେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (NCAP) ଅଧୀନରେ, ବିଏମ୍ ସି ପରିସୀମା ମଧ୍ୟରେ ବ୍ୟାପକ ବୃକ୍ଷରୋପଣ, ସହରର ବାୟୁ ଗୁଣବତ୍ତାରେ ଉନ୍ନତି ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ନାଗରିକ, ଏସ୍ଏଚଜି, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସଂଗଠନ ବିଏମ୍ ସି ସହିତ ହାତ ମିଳାଇ ସବୁଜ ମିଶନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

ବିଏମ୍ ସି ବୈଜ୍ଞାନିକ ପଦ୍ଧତିରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘଞ୍ଚ ସହରାଞ୍ଚଳ ଜଙ୍ଗଲ ବିକଶିତ କରୁଅଛି। ସୈନିକ ସ୍କୁଲ ନିକଟ ଟିଟିଏସଠାରେ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଅନୁମୋଦିତ ଚାରା – ଛାଇ ପ୍ରଦାନକାରୀ, ଫୁଲ ପ୍ରଦାନକାରୀ ଏବଂ ପ୍ରଚୁର ପରିମାଣର ଅମ୍ଳଜାନ ପ୍ରଦାନ କରୁଥିବା ବୃକ୍ଷ ରୋପଣ କରାଯାଇଛି । କୌଣସି ଫଳ ପ୍ରଦାନକାରୀ ଗଛ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ, ଯାହା ବାୟୁ ଗୁଣବତ୍ତା ବୃଦ୍ଧି ଉପରେ ଧ୍ୟାନ ଦେବାକୁ ସୁନିଶ୍ଚିତ କରୁଅଛି । ଶୀଘ୍ର ଜଙ୍ଗଲ ସୃଷ୍ଟି କରିବା ସହ ବାୟୁମଣ୍ଡଳର ସନ୍ତୁଳନ ରକ୍ଷା କରିବା ପାଇଁ ମଧ୍ୟମ ଧରଣର ଚାରା ରୋପଣ କରାଯାଇଛି ।ମନ୍ତ୍ରୀ ଆହୁରି ଉଲ୍ଲେଖ କରିଛନ୍ତି ଯେ ଟିଟିଏସ୍ କ୍ୟାମ୍ପସରେ ପୂର୍ବରୁ ଯଥେଷ୍ଟ ସଂଖ୍ୟକ ଗଛ ରହିଛି । ତା ସହିତ ଆଜି ହଜାରରୁ ଅଧିକ ନୂତନ ଚାରା ରୋପଣ ଦ୍ୱାରା ଏ ଅଞ୍ଚଳର ସବୁଜୀମାକୁ ଆହୁରି ସୁଦୃଢ଼ କରିବ । କେବଳ ସେତିକି ନୁହେଁ, ବର୍ଜ୍ୟ ପରିଚାଳନାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ କରାଯିବ । ଖୁବ୍ ଶୀଘ୍ର ଏହି ବର୍ଜ୍ୟରୁ କୋଇଲା, ବାୟୋ ଗ୍ୟାସ୍, ପଶୁ ଖାଦ୍ୟ ଆଦି ଉତ୍ପାଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଆଲୋକପାତ କରିଥିଲେ ଯେ ବିଏମ୍ ସି ଦ୍ୱାରା ପୂର୍ବରୁ ମିଆଁଓ୍ୱାକି ପଦ୍ଧତିରେ ରୋପଣ କରାଯାଇଥିବା ବୃକ୍ଷ ଆଜି ଘଞ୍ଚ ଜଙ୍ଗଲରେ ପରିଣତ ହେବାକୁ ଯାଉଛି । ଏହା ଦ୍ୱାରା ବିଏମ୍ ସି ଅଂଚଳରେ ସବୁଜିମା କ୍ଷେତ୍ର ବୃଦ୍ଧି ପାଇବା ସହ ବାୟୁ ମଣ୍ଡଳରେ ମଧ୍ୟ ସ୍ୱଚ୍ଛତା ଆସିବ ବୋଲି ସେ କହିଛନ୍ତି ।ଏହି ଅବସରରେ, ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ସହରାଞ୍ଚଳ ପରିବେଶ ବିଜ୍ଞାନକୁ ସୁଦୃଢ଼ କରିବାରେ ବିଏମ୍ ସିର ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭୁବନେଶ୍ୱର ଭଳି ଏକ ଦ୍ରୁତ ବିକଶିତ ସହରରେ ଭିତ୍ତିଭୂମିର ବିକାଶ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ସେ ସୂଚାଇଥିଲେ ଯେ ବିଏମ୍ ସିର ବୃକ୍ଷରୋପଣ ଅଭିଯାନ ରାଜ୍ୟ ସରକାରଙ୍କ ବ୍ୟାପକ ପରିବେଶ ଅନୁକୂଳ ରଣନୀତି ଏବଂ ଦୀର୍ଘ ମିଆଦି ପରିବେଶ କେବଳ ସାମୂହିକ ମାଲିକାନା ମାଧ୍ୟମରେ ହାସଲ କରାଯାଇପାରିବ । ଶ୍ରୀମତୀ ପାଢୀ ନାଗରିକ, ଗୋଷ୍ଠୀ ଏବଂ ଅନୁଷ୍ଠାନଗୁଡ଼ିକୁ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରି କହିଥିଲେ ଯେ ପ୍ରତ୍ୟେକ ସଫଳ ସବୁଜ ପଦକ୍ଷେପର ମେରୁଦଣ୍ଡ ହେଉଛି ନଗରିକଙ୍କ ସାମୁହିକ ସମ୍ପୃକ୍ତି ।ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା, ତାଙ୍କ ସ୍ୱାଗତ ଅଭିଭାଷଣରେ, ପ୍ରାକୃତିକ ବିପର୍ଯ୍ୟୟରୁ ଭୁବନେଶ୍ୱରକୁ ସୁରକ୍ଷା ଦେବା ଏବଂ ପରିବେଶଗତ ସନ୍ତୁଳନ ବଜାୟ ରଖିବାରେ ବନୀକରଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking