21.1 C
Bhubaneswar
Friday, February 6, 2026
Homeଓଡିଶାବରିଷ୍ଠ ନାଗରିକମାନଙ୍କ ଉଜ୍ଜୟିନୀ-ଓଁକାରେଶ୍ୱର ଯାତ୍ରା ମଙ୍ଗଳମୟ ହେଉ: ପ୍ରଭାତୀ ପରିଡା

ବରିଷ୍ଠ ନାଗରିକମାନଙ୍କ ଉଜ୍ଜୟିନୀ-ଓଁକାରେଶ୍ୱର ଯାତ୍ରା ମଙ୍ଗଳମୟ ହେଉ: ପ୍ରଭାତୀ ପରିଡା

ଭୁବନେଶ୍ୱର: ପରିଣତ ବୟସରେ ତୀର୍ଥଯାତ୍ରା ଓ ଭଗବାନଙ୍କ ସାନିଧ୍ୟ ଲାଭ ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ଏହି ଇଚ୍ଛାକୁ ପୂରଣ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଏକ ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଠାରୁ ଉଜ୍ଜୟିନୀ ପୀଠକୁ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ମଙ୍ଗଳମୟ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମତ ପ୍ରକାଶ କରିଛନ୍ତି । ୬ଟି ଜିଲ୍ଲାରୁ ୭୭୫ ଜଣ ବରିଷ୍ଠ ନାଗରିକମାନେ ଉଜ୍ଜୟିନୀ ଓ ଓଁକାରେଶ୍ୱର ଦର୍ଶନ କରିବାର ସୁଯୋଗ ପାଇବା ସହ ଭାରତର ପ୍ରସିଦ୍ଧ ଶୈବପୀଠ ଦର୍ଶନ କରିପାରିବେ । ୨୦୨୫ – ୨୬ ଆର୍ଥିକ ବର୍ଷରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଅଧୀନରେ ୧୦ଟି ପର୍ଯ୍ୟାୟରେ ପ୍ରାୟ ୮୦୦୦ ବରିଷ୍ଠ ନାଗରିକମାନଙ୍କୁ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବାର ସୁଯୋଗ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତବ୍ୟକ୍ତ କରିଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗଦର୍ଶନରେ ଆଜି ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇଣ୍ଡିଆନ ରେଲେୱ କ୍ୟାଟରିଙ୍ଗ, ଟୁରିଜିମ କର୍ପୋରେସନ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସହଭାଗିତାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ଟ୍ରେନ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଉଜ୍ଜୟିନୀ-ଓଁକାରେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।ଏହି ଯାତ୍ରାରେ ଖୋର୍ଦ୍ଧା ଜିଲ୍ଲାରୁ ୧୬୯ ଜଣ, ପୁରୀରୁ ୧୨୭ ଜଣ, କଟକରୁ ୧୯୭ ଜଣ, ଜଗତସିଂହପୁର ୮୫ ଜଣ, କେନ୍ଦ୍ରାପଡ଼ାରୁ ୮୯ ଜଣ, ଢେଙ୍କାନାଳରୁ ୧୦୮ ଜଣ, ଏହିପରି ସମୁଦାୟ ୭୭୫ଜଣ ବରିଷ୍ଠ ନାଗରିକଙ୍କ ସହ ସେମାନଙ୍କ ଦେଖାଶୁଣା କରିବାକୁ ୨୫ ଜଣ ସହାୟକ (ଏସ୍କର୍ଟ) ଅଧିକାରୀ ଏହି ଯାତ୍ରାରେ ସାମିଲ ଅଛନ୍ତି । ତୀର୍ଥଯାତ୍ରା ଶେଷ ପରେ ଆସନ୍ତା ୩୦ ତାରିଖରେ ତୀର୍ଥଯାତ୍ରୀମାନେ ଭୁବନେଶ୍ୱରରେ ପହଞ୍ଚିବେ ।

ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୁବନେଶ୍ୱର-ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ପୁରୀ ବିଧାୟକ ଶ୍ରୀ ସୁନିଲ ମହାନ୍ତି, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ ପ୍ରକାଶ ମିଶ୍ର, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବଲୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ପ୍ରମୁଖ ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ସହ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଡିଆର୍‌ଏମ୍‌ ଶ୍ରୀ ପ୍ରଦୀପ କୁମାର ବେହେରା, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି, ଭୁବନେଶ୍ୱର ଉପ ଜିଲ୍ଲାପାଳ ଡଃ ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking