ଭୁବନେଶ୍ୱର: ବହୁଚର୍ଚ୍ଚିତ ସବ-ଇନିସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀର ମାଷ୍ଟରମାଇଣ୍ଡ ମୁନା ମହାନ୍ତି ଗିରଫ । ମୁନାକୁ ଦଶପଲ୍ଲାରେ ଥିବା ଏକ ଫାର୍ମ ହାଉସରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ମୁନା ସମେତ ଦୁଇ ସହଯୋଗୀ ସୁକାନ୍ତ ମହାରଣା ଓ ଶ୍ରୀକାନ୍ତ ମହାରଣାକୁ ଗିରଫ କରାଯାଇଛି । ମୋଟ ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି ୩ ଜଣଙ୍କୁ ବ୍ରହ୍ମପୁର କୋର୍ଟରେ ହାଜର କରାଯିବ । ଗିରଫ ପରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ନେଉଛି କ୍ରାଇମବ୍ରାଞ୍ଚ । ସେପଟେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିର ଖୋଜ ଖବର ପାଉନି ତଦନ୍ତାକାରୀ ସଂସ୍ଥା । ଗତ ୩୦ ତାରିଖରୁ ରାଜ୍ୟରେ ସବଇନିସପେକ୍ଟର ନିଯୁକ୍ତି ପରୀକ୍ଷା ମହାକେଳେଙ୍କାରୀ ନେଇ ହଇଚଇ ସୃଷ୍ଟି ହୋଇଥିବାବେଳେ, ମୁନା ମହାନ୍ତି ତାଙ୍କ ସହଯୋଗୀଙ୍କ ସହ ଗୋଟିଏ ଫାର୍ମ ହାଉସରୁ ଗିରଫ ହେଇଛନ୍ତି । ମୁନା ସବ-ଇନ୍ସପେକ୍ଟର ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କଠାରୁ ଟଙ୍କା ଏବଂ ପ୍ରମାଣପତ୍ର ନେଇଥିବା ଅଭିଯୋଗ ହୋଇଥିଲା । ମୁନା ତିନୋଟି ବସ୍ ରେ ପରୀକ୍ଷାର୍ଥୀମାନଙ୍କୁ ବିଜୟନଗର ପଠାଇଥିଲା।










