28.1 C
Bhubaneswar
Monday, March 30, 2026
Homeଓଡିଶା‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅସରନ୍ତି ପ୍ରେରଣାର ଉତ୍ସ- ମୁଖ୍ୟମନ୍ତ୍ରୀ

‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅସରନ୍ତି ପ୍ରେରଣାର ଉତ୍ସ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ସ୍ଥାନୀୟ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୨୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି।  ସୂଚନାଯୋଗ୍ୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳରେ ଦୀର୍ଘ ଆଠ ବର୍ଷ ଧରି ରହିଥିଲେ। ସ୍ଥାନୀୟ ଲୋକ ଓ ପିଲାମାନେ ମୁଖ୍ୟମନ୍ତ୍ରୀଙ୍କୁ ଅତି ପାଖରୁ ପାଇ ଖୁବ୍ ଖୁସି ଓ ଉତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ‘ମନ୍ କି ବାତ୍’ ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ କୋଟି କୋଟି ଲୋକଙ୍କ ପାଇଁ ଅସରନ୍ତି ପ୍ରେରଣାର ଉତ୍ସ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ମନ୍ କି ବାତ୍’ ରେ ପ୍ରତ୍ୟେକ ଥର ପରି ସେ ବିଭିନ୍ନ କ୍ଷେତ୍ରର ସାଧାରଣ ଲୋକଙ୍କ ସଫଳତାକୁ ପ୍ରଶଂସା କରି  ଲୋକଲୋଚନକୁ ଆଣିଥିଲେ। ଆଜି  ପ୍ରଧାନମନ୍ତ୍ରୀ ଓଡିଆ ଝିଅ ରଶ୍ମିତା ସାହୁଙ୍କ ସହିତ କଥା ହୋଇ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ରଶ୍ମିତା ନିକଟରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ କାନୋଇଙ୍ଗ୍ (ଜଳକ୍ରୀଡା) ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା କାୟାକିଙ୍ଗ୍ ଓ କାନୋଇଙ୍ଗ୍ ଆସୋସିଏସନର ସହଯୋଗରେ ଜଗତପୁରର ସାଇ ସ୍ପୋର୍ଟ୍ସ ଆନୁକୂଲ୍ୟରେ ଓଡିଶାର କ୍ରୀଡା ପ୍ରତିଭାମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦିଆଯାଉଛି। ରଶ୍ମିତା ମଧ୍ୟ ଜଗତପୁରରେ କାନୋଇଙ୍ଗ୍‌ ପ୍ରଶିକ୍ଷଣ ପାଇଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଦିନ ଧରି ଓଡିଶା କାୟାକିଙ୍ଗ୍ ଓ କାନୋଇଙ୍ଗ୍ ଆସୋସିଏସନର ସଭାପତି ଥିଲେ। ବର୍ତ୍ତମାନ ସେ ଏହି ସଂସ୍ଥାର ଚିଫ୍ ପାଟ୍ରନ୍ ଅଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ। ଦୁଇ ଜଣ ବରିଷ୍ଠ ନାଗରିକ ତଥା ସମାଜସେବୀ ରାଜେନ୍ଦ୍ର ବାରିକ ଓ ବି.ବି. ମିଶ୍ର ଏବଂ ଶିଶୁ ବିହାର ଯୋଗ କେନ୍ଦ୍ରର ପ୍ରମୁଖ ବିଶ୍ୱନାଥ ନାୟକ, ଭାରତୀ ପ୍ରଧାନ ଓ ଏଲ୍.ଡି ସାହୁ ସମ୍ବର୍ଦ୍ଧିତ ହୋଇଥିଲେ। ଏହା ସହିତ ମନ୍ଦିର କମିଟି, ମହିଳା ସଂଘ ଏବଂ ୱାର୍ଡ ନଂ-୬ର ଅନ୍ୟ ସମାଜସେବୀ ସଦସ୍ୟମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking