ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ। ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶ୍ରୀକୃଷ୍ଣ ଜନ୍ମନୀତି ଓ ନନ୍ଦଉତ୍ସବ ନୀତି ପରେ ଶ୍ରୀକୃଷ୍ଣ ଲୀଳା ଆରମ୍ଭ ହେବାକୁ ଯାଉଅଛି। ଏ ନେଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ। ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଶ୍ରୀକୃଷ୍ଣ ଲୀଳାର ଆଜି ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ଗୋପଲୀଳା ସମୟରେ କୃଷ୍ଣ ଓ ବଳରାମ ଗାଇ ବାଛୁରୀଙ୍କୁ ସାଙ୍ଗରେ ଧରି ବନଭୋଜି ପାଇଁ ଯାଇଥିବାର ପୁରାଣରେ ବର୍ଣ୍ଣିତ ରହିଛି । ଏହି ପରମ୍ପରାକୁ ସ୍ମରଣ କରି ମହାପ୍ରଭୁଙ୍କୁ ଏହି ବେଶ କରାଯାଇଥାଏ ।ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ। ଆଜି ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଠାରୁ ଆଜ୍ଞାମାଳ ଅଣାଯାଇ ଦକ୍ଷିଣ ଦ୍ୱାରରେ ଥିବା ରାମକୃଷ୍ଣଙ୍କୁ ପ୍ରଦାନ କରାଯିବ ।










