ରାୟଗଡ଼ା: ରାୟଗଡ଼ାରୁ ସାମ୍ନାକୁ ଆସିଛି ଦୁଖଦ ଘଟଣା। ପ୍ରେମରେ ପ୍ରତାରଣା ପାଇବା ପରେ ଜଣେ ୨୨ବର୍ଷୀୟ ଯୁବକ ଫ୍ୟାନ୍ରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ରାୟଗଡ଼ା ସହରର ଡିଏଫ୍ଓ କଲୋନୀରେ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ହେଲେ ରାକେଶ ପରିଡ଼ା। ପରିବାର ଲୋକେ ରାତି ଶୋଇଥିବା ବେଳେ ଘରର ଫ୍ୟାନ୍ରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଏନେଇ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ତେବେ ରାକେଶକୁ ଭଲ ପାଉଥିବା ଝିଅ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ବୋଲି ମୃତକର ମା’ ସରସ୍ବତୀ ପରିଡ଼ା ଅଭିଯୋଗ କରିଛନ୍ତି।
ଏହା ସହ ମୃତକଙ୍କ ମାଆ ଏନେଇ ଥାନାରେ ଏକ ଏତଲା ଦେଇଛନ୍ତି। ଦୀର୍ଘଦିନ ହେବ ସଂପୃକ୍ତ ଯୁବତୀ ରାକେଶଙ୍କୁ ଭଲ ପାଉଥିବା ବେଳେ ଉଭୟ ପରିବାରର ଜାଣତରେ ବିବାହ ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ କୌଣସି କାରଣବଶତଃ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିଲା। ତେବେ ପୁଅ ବାରମ୍ବାର ମାନସିକ ନିର୍ଯାତନା ପାଇବା ପରେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ କୈଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ନାହିଁ। ଘଟଣାର ତଦନ୍ତ ଜାରି ରହିଛି ବୋଲି ରାୟଗଡ଼ା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି।










