ନୂଆଦିଲ୍ଲୀ: ଚାଇନା ଆଜି ଅର୍ଥନୈତିକ ଓ ଜନସଂଖ୍ୟା ସଙ୍କଟରେ ଜର୍ଜରିତ। ୨୦୨୫ ଜାନୁଆରୀ ତଥ୍ୟ ଅନୁଯାୟୀ, ଚାଇନାର ଜନସଂଖ୍ୟା ତୃତୀୟ ବର୍ଷ ପାଇଁ କମିଛି, ମୋଟ ୧୩.୯ ଲକ୍ଷ ଜନସଂଖ୍ୟା ହ୍ରାସ ପାଇଛି। ବିବାହ ସଂଖ୍ୟା କମିବା ଓ ଅବସର ବୟସ ବୃଦ୍ଧି ସହ ଏହା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୧୯୭୯ରେ ଡେଙ୍ଗ ଜିଆଓପିଙ୍ଗଙ୍କ ଏକସନ୍ତାନ ନୀତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିଲା, ଯାହା ଚାଇନାକୁ ‘ବିଶ୍ୱର କାରଖାନା’ ଭାବେ ଗଢ଼ିବାରେ ସହାୟକ ହୋଇଥିଲା। କିନ୍ତୁ ଏହି ନୀତି ଦୀର୍ଘକାଳୀନ ଜନସାଂଖ୍ୟିକ ସଙ୍କଟ ସୃଷ୍ଟି କରିଛି। ୨୦୧୬ରେ ଏକସନ୍ତାନ ନୀତି ବାତିଲ କରି ଦୁଇ ସନ୍ତାନ ଓ ୨୦୨୧ରେ ତିନି ସନ୍ତାନ ନୀତି ଲାଗୁ ହେଲା, କିନ୍ତୁ ଜନ୍ମହାରରେ ଉନ୍ନତି ହୋଇନାହିଁ।
ଚାଇନା ସରକାର ନିକଟରେ ତିନି ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୩,୬୦୦ ଇଉଆନ (ପ୍ରାୟ ୫୦୦ ଡଲାର) ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଅର୍ଥ ବ୍ୟକ୍ତିଗତ ଆୟକରମୁକ୍ତ ହେବ ଏବଂ ସାମାଜିକ ସହାୟତା ପାଇଁ ଆୟ ଗଣନାରେ ଅନ୍ତର୍ଭୁକ୍ତ ହେବ ନାହିଁ। ତଥାପି, ଶିଶୁ ପାଳନ ଓ ଶିକ୍ଷାର ବ୍ୟୟ (୧୭ ବର୍ଷ ପର୍ଯ୍ୟନ୍ତ ହିସାବରେ ୭୫,୭୦୦ ଡଲାର) ଯୁବ ଦମ୍ପତିଙ୍କୁ ସନ୍ତାନ ଜନ୍ମ ଦେବାକୁ ନିରୁତ୍ସାହିତ କରୁଛି। ଏକସନ୍ତାନ ନୀତି ଯୋଗୁଁ ଚାଇନାରେ ପୁରୁଷ-ମହିଳା ଅନୁପାତ ଅସନ୍ତୁଳିତ ହୋଇଛି। ପୁରୁଷପ୍ରଧାନ ସମାଜରେ ପୁଅ ପ୍ରତି ପକ୍ଷପାତ ଯୋଗୁଁ ଅନେକ ପୁରୁଷ ବିବାହ ପାଇଁ ଜୀବନସାଥୀ ପାଉନାହାନ୍ତି। ଅନ୍ୟପକ୍ଷରେ, ଅର୍ଥନୈତିକ ସଂସ୍କାର ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେଇଛି, ଯାହା ସେମାନଙ୍କୁ ପରିବାର ଓ ସନ୍ତାନ ଜନ୍ମ ଅପେକ୍ଷା କ୍ୟାରିୟରକୁ ପ୍ରାଧାନ୍ୟ ଦେବାକୁ ପ୍ରେରିତ କରୁଛି। ୨୦୨୩ରେ ରାଷ୍ଟ୍ରପତି ସି ଜିନପିଙ୍ଗ ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ ଦେବାକୁ ଆହ୍ୱାନ ଦେଇଥିଲେ, କିନ୍ତୁ କୋଭିଡ ପରେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଓ ବୟସ୍କ ଜନସଂଖ୍ୟାର ବୋଝ ଯୁବବର୍ଗଙ୍କୁ ସଞ୍ଚୟ ଆଡ଼କୁ ଠେଲିଦେଇଛି।










