ଯାଜପୁର : ପାରିବାରିକ କଳହାକୁ ନେଇ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କନିକାପଡା ଗ୍ରାମରେ ଜଣେ ବିବାହିତା ଝିଅ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ପରିବାରର ୬ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି। ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା। ସୂଚନାଥାଉକି ଆଜି ଅପରାହ୍ନରେ ବିଷାକ୍ତ ଖାଦ୍ୟ ଖାଇବା ପରେ ପ୍ରଥମେ ଅଢେଇ ବର୍ଷର ଶିଶୁ କନ୍ୟା ସହ ଆଉ ଜଣେ ଯୁବକ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ହୋଇ ଘରକୁ ଯାଇଥିଲେ ମାତ୍ର କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ସେମାନେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଛନ୍ତି। ବିଷାକ୍ତ ଖାଦ୍ୟ ଖାଇବା ପରେ ଏମିତି ହୋଇଥିବା ଜଣାପଡିଛି। ଏଥିରେ ଉମାକାନ୍ତ ଓଝାଙ୍କ ପରିବାରର ୬ଜଣ ଚିକିତ୍ସା ହେଉଛନ୍ତି। ଗତ ୬ ମାସ ତଳେ ଉମାକାନ୍ତଙ୍କ ଝିଅ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଂଗଳପୁର ଅଞ୍ଚଳରେ ପ୍ରେମ ବିବାହ କରିଥିଲା। ଘର ଛାଡି ଯିବା ସମୟରେ ଘରୁ ସୁନା, ଟଙ୍କା ଆଦି ଜିନିଷ ସାଥିରେ ନେଇଯାଇଥିଲେ। ଏହାକୁ ପରିବାର ଲୋକ ବିରୋଧ କରିଥିଲେ। ମାତ୍ର ଉମାକାନ୍ତଙ୍କ ଅନ୍ୟ ସମ୍ପକୀୟ ଭାଇମାନେ ଆଣି ଝିଅ ଜ୍ୱାଇଙ୍କୁ ସେମାନଙ୍କ ପାଖରେ ରଖିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଳହ ଲାଗୁରହୁଥିଲା। ୨ ଦିନ ତଳେ କଳହ ସହିତ ମାରପିଟ ହୋଇ ମଂଗଳପୁର ଥାନାରେ ୨ ଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା। ବିବାହିତ ଝିଅ ଜଣଙ୍କ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ଜୀବନରୁ ହତ୍ୟା କରିବାକୁ ଧମକ ଦେଉଥିଲା। ଆଜି ରୋଷେଇ ସମୟରେ ବିବାହିତ ଝିଅ ଜଣଙ୍କ ବିଷ ମିଶାଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।










