20.1 C
Bhubaneswar
Sunday, December 7, 2025
Homeଓଡିଶାସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍: ଢେଙ୍କାନାଳ ପ୍ରଥମ, କଟକ ଦ୍ବିତୀୟ ଓ...

ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍: ଢେଙ୍କାନାଳ ପ୍ରଥମ, କଟକ ଦ୍ବିତୀୟ ଓ ମୟୂରଭଞ୍ଜ ତୃତୀୟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ହୋଟେଲ ମେଫେୟାର ଲାଗୁନ୍ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଏବଂ ଜିଲ୍ଲା ସ୍ତରରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଶେଷ ପର୍ଯ୍ୟାୟ ଆଜି ଏକ ଉତ୍ସବମୁଖର ପରିବେଶରେ ସମାପ୍ତ ହୋଇଯାଇଛି । ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରଥା ଏବଂ ମହିଳାଙ୍କ ଉଦ୍ୟୋଗିକ ପ୍ରତିଭାକୁ ଉଜ୍ଜ୍ୱଳ ଭାବରେ ପ୍ରଦର୍ଶନ କରୁଥିବା ଏହି ପ୍ରତିଯୋଗିତା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଘରୋଇ ଦାୟିତ୍ୱ ମଧ୍ୟରେ ମଧ୍ୟ ମହିଳାମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ଏଯାଏଁ ପହଞ୍ଚିବା ମହିଳା ସ୍ୱାବଲମ୍ବନ ଓ ସଶକ୍ତିକରଣର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ମହିଳାମାନେ ଉଦ୍ୟୋଗୀ ହେବାର ସାହସ ହିଁ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାର ଏକ ସୁଦୃଢ ପଦକ୍ଷେପ । ଯଦିଓ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରାଜ୍ୟର ପାରମ୍ପରିକ ଓ ବିସ୍ମୃତ ଖାଦ୍ୟ ସଂସ୍କୃତିକୁ ପୁନରୁଦ୍ଧାର କରିବା ଥିଲା ତେବେ ମିଶନ ଶକ୍ତି ବିଭାଗର ଏହି ନୂତନ ପ୍ରୟାସ ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗିତାର ଚେତନା ସୃଷ୍ଟି କରିପାରିଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁଚିନ୍ତିତ ଯୋଜନା, ସଫଳ କାର୍ଯ୍ୟନ୍ଵୟନ ଏବଂ ଦଳଗତ ପରିଶ୍ରମ ପାଇଁ ଆଇଏଚଏମର ଅଧିକାରୀବୃନ୍ଦ, ବିଚାରକ ଶେଫମଣ୍ଡଳୀ ଓ ମିଶନ ଶକ୍ତି ବିଭାଗର ଅଧିକାରୀ ଓ ସହକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ନିର୍ଦ୍ଦେଶକ ଡଃ ମୋନିକା ପ୍ରିୟଦର୍ଶିନୀ, ଅତିରିକ୍ତ ସଚିବଗଣ ଓ ବିଭାଗୀୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ବିଜେତା ଦଳଗୁଡ଼ିକୁ ଆଇଏଚଏମ୍ ଭୁବନେଶ୍ୱରରେ ସାତ ଦିନିଆ ଆବାସିକ ପ୍ରଶିକ୍ଷଣ ଦିଆଯାଇଥିଲା । ସେମିଫାଇନାଲ୍ରେ ଭାଗ ନେଇଥିବା ୩୦ଟି ଦଳ ମଧ୍ୟରୁ ୧୦ଟି ଦଳ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଏବଂ ଆଜି ମେଫେୟାର ହୋଟେଲ୍ ର ଶାନ୍ତ ଓ ସୁନ୍ଦର ପରିବେଶରେ ସେମାନେ ନିଜ ରନ୍ଧନ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରତ୍ୟେକ ଦଳକୁ କୁକିଂ ଗ୍ୟାସ୍, ଇଣ୍ଡକ୍ସନ୍ କୁକ୍ ଟପ, ବାସନକୁସନ୍ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ସହିତ ଏକ ସୁସଜ୍ଜିତ କାର୍ଯ୍ୟସ୍ଥଳୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟସ୍ଥଳୀ, ପ୍ରେଜେଣ୍ଟେସନ୍ ହଲ୍ ଓ ସବୁଜିମା ଏକ ଉତ୍ସବର ଆବେଗ ସୃଷ୍ଟି କରିଥିଲା ।

ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ପାରମ୍ପରିକ ଖାଦ୍ୟ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା, ମହିଳାଙ୍କ ରନ୍ଧନ ଜ୍ଞାନକୁ ସ୍ୱୀକୃତି ଦେବା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଉଦ୍ୟୋଗିତା ବୃଦ୍ଧି କରିବା ଲକ୍ଷ୍ୟରେ ଆୟୋଜିତ ହୋଇଥିଲା। କଟକ, ମୟୁରଭଞ୍ଜ, ଢେଙ୍କାନାଳ, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ନବରଙ୍ଗପୁର ଏବଂ ଜଗତସିଂହପୁର ଜିଲ୍ଲାର ୧୦ଟି ଶ୍ରେଷ୍ଠ ଦଳ ଏହି ଫାଇନାଲ୍ ରେ ଅଂଶଗ୍ରହଣ କରିଥିଲେ ଯେଉଁମାନେ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କରି ଗତ ୨୦ ତାରିଖରେ ଆଇଏଚଏମ ଠାରେ ଆୟୋଜିତ ସେମି-ଫାଇନାଲରେ ବିଜୟ ହାସଲ କରିଥିଲେ । ମାଷ୍ଟରସେଫ୍ ଇଣ୍ଡିଆ ସିଜନ ୬ର ବିଜେତା ସେଫ୍ ଅବିନାଶ ନାୟକ ଏହି ପ୍ରତିଯୋଗିତାର ମୁଖ୍ୟ ବିଚାରକ ଥିଲେ। ମେଫେୟାର ହୋଟେଲ୍ ର କାର୍ଯ୍ୟକାରୀ ସେଫ୍ ସୁରଜ କୁମାର ସାହୁ ଓ ଆଇଏଚଏମ୍ ଭୁବନେଶ୍ୱରର ବିଭାଗୀୟ ମୁଖ୍ୟ ସେଫ୍ ସମ୍ବିତ ସୁମନ ଅନ୍ୟ ବିଚାରକ ଥିଲେ। ଏହି ଅଭିନବ ପ୍ରୟାସ ଆଇଏଚଏମ୍ ଓ ମେଫେୟାର ହୋଟେଲ୍ ର ସହଭାଗିତାରେ ସଫଳ ହୋଇଥିଲା । ଢେଙ୍କାନାଳର ଶ୍ରୀ ଶାକମ୍ବରୀ ସ୍ଵୟଂ ସହାୟକ ଗୋଷ୍ଠୀ, କଟକର ମା ଗଡ଼ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମୟୁରଭଞ୍ଜର ମା ଧାନ କ୍ଷେତ୍ରପାଳ ସ୍ଵୟଂ ସହାୟକ ଗୋଷ୍ଠୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇ ପୁରସ୍କାର ସ୍ୱରୂପ ୨ ଲକ୍ଷ, ୧.୫ ଲକ୍ଷ ଓ ୧ ଲକ୍ଷ ପୁରସ୍କାର ରାଶି ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking