ନୂଆଦିଲ୍ଲୀ: ସମଗ୍ର ପୃଥିବୀରେ ତମାଖୁ ସେବନ ତଥା ଧୂମପାନ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି । ତମାଖୁ ସେବନ କରିବା ଦ୍ୱାରା ମୁହଁ ଏବଂ ଫୁସଫୁସ କ୍ୟାନସର ହୋଇଥାଏ । ଏହାଠୁ ବଞ୍ଚିଭଆ ପାଇଁ ହେଲେ ନିଜେ ନିଜକୁ ସତର୍କ ରହିବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଗବେଷଣାରୁ ଜଣାପଡିଛି ଯେ ଏହା ଦ୍ୱାରା ବିଶ୍ୱରେ ବର୍ଷକୁ ପାଖାପାଖି ୫୦ରୁ ୬୦ଲକ୍ଷ ଲୋକ ଏବଂ ଭାରତରେ ପ୍ରାୟ ୯ରୁ ୧୦ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଏ । କେବଳ ଧୁମ୍ରପାନ କରିବା ଦ୍ୱାରା ଜୀବନ ଯାଏନି । ଧୁମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ନିଶ୍ୱାସ -ପ୍ରଶ୍ୱାସ ମାଧ୍ୟମରେ ଧୁଆଁ ଶରୀର ଭିତରକୁ ପ୍ରବେଶ କରି ପ୍ରଭାବିତ କରିଥାଏ । ତମାଖୁରେ ନିକୋଟିନ୍, ଟାର୍ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ଏବଂ ଏପରିକି କର୍କଟ ରୋଗ ସୃଷ୍ଟିକାରୀ ପଦାର୍ଥ ମଧ୍ୟ ଥାଏ ଯାହା କୋଷଗୁଡିକରେ ଡିଏନଏକୁ କ୍ଷତି ପହଞ୍ଚାଇଥାଏ, ଯାହା ଦ୍ଵାରା ଅନିୟନ୍ତ୍ରିତ କୋଷ ବୃଦ୍ଧି ଏବଂ କର୍କଟ ରୋଗ ହୁଏ। ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରେ, ଯାହା ଶରୀର ପାଇଁ କର୍କଟ ରୋଗ ସହିତ ଲଢ଼ିବା କଷ୍ଟକର କରିଥାଏ। ଖୁସିର କଥା ଯେ ସରକାରୀ ସ୍ତରରେ ତମାଖୁ ବର୍ଜନ ନିମନ୍ତେ ପ୍ରୋତ୍ସାହିତ କରାଯାଉଛି । ସର୍ବପ୍ରଥମେ ୧୯୭୫ ମସିହାରେ ପ୍ରଣୀତ ଏକ ଆଇନ ଦ୍ୱାରା ସିଗାରେଟ୍, ବିଡ଼ି ପ୍ୟାକେଟ୍ ଉପରେ ବୈଧାନିକ ସତର୍କତା ଉଲ୍ଲେଖ କରାଯିବା ବାଧ୍ୟତାମୂଳକ କରାଗଲା ।୨୦୦୪ରେ ଅନ୍ୟ ଏକ ସରକାରୀ ଆଇନ ଦ୍ୱାରା ସମଗ୍ର ତମାଖୁ ଜାତୀୟ ଦ୍ରବ୍ୟ ଉପରେ ବୈଧାନିକ ସତର୍କତା ବାଧ୍ୟତାମୂଳକ କରାଗଲା ଏବଂ ଶିକ୍ଷାନୁଷ୍ଠାନ ନିକଟରେ ଏ ସବୁର ବିକ୍ରି ନିଷେଧ କରାଗଲା । ୨୦୦୮ ମସିହାରେ ସର୍ବସାଧାରଣରେ ଧୂମପାନକୁ ନିଷିଦ୍ଧ କରାଗଲା । ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ତମାଖୁ ବିଜ୍ଞାପନକୁ ସଂପୂର୍ଣ୍ଣ ଭାବେ ବର୍ଜନ କରାଗଲା । ତମାଖୁ ଛାଡିବା ଏବଂ ସଚେତନତା ପ୍ରସାର କରିବା ଦ୍ୱାରା, କର୍କଟ ରୋଗକୁ ରୋକିବା ଏବଂ ଅନେକ ଜୀବନ ବଞ୍ଚାଇବା ସମ୍ଭବ।










