ଢାକା: ଶେଖ୍ ହସିନା ସରକାରର ପତନ ପରେ ବାଂଲାଦେଶର କପଡ଼ା ଶିଳ୍ପ କ୍ଷେତ୍ରକୁ ଭୟଙ୍କର ସଂକଟ ମାଡ଼ିବସିଛି । କମ୍ପାନିମାନେ ଦେଶରେ ନିବେଶ ପାଇଁ ମୁହଁ ମୋଡ଼ୁଛନ୍ତି । ଏମିତି କି ପୂର୍ବରୁ ବିପୁଳ ପୁଞ୍ଜି ଖଟାଇ ଲାଭବାନ ହୋଇଥିବା ସଂସ୍ଥାମାନେ ବାଂଲାଦେଶକୁ ଅଲ୍ବିଦା କହିବା ଆରମ୍ଭ କରିଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କ ଗାଦିଚ୍ୟୁତ ହେବାର ୭ ମାସ ପରେ ୧୪୦ରୁ ଅଧିକ କପଡ଼ା ଫ୍ୟାକ୍ଟ୍ରିରେ ତାଲା ପଡ଼ିସାରିଲାଣି । ଏହାଯୋଗୁ ୧ ଲକ୍ଷରୁ ଅଧିକ ଲୋକ ବେରୋଜଗାର ହୋଇଯାଇଛନ୍ତି । କେବଳ ଗାଜିପୁର, ସାୱର, ନାରାୟଣଗଞ୍ଜ ଓ ନର୍ସିନ୍ଦିରେ ୫୦ରୁ ଅଧିକ ପୋଷାକ କାରଖାନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।
ପ୍ରାୟ ୪୦ଟି କାରଖାନା ଅସ୍ଥାୟୀ ଭାବେ ବନ୍ଦ ହୋଇଛି । ଅନ୍ୟ କେତେକ କମ୍ପାନିରେ କାର୍ଯ୍ୟରତ ଶ୍ରମିକଙ୍କ ୨ ମାସରୁ ୧୪ ମାସର ବେତନ ବାକି ରହିଛି । ଏହାଯୋଗୁ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ଇଦ୍ ପରେ ଆହୁରି ଅନେକ ଫ୍ୟାକ୍ଟ୍ରି ବନ୍ଦ ହୋଇପଡ଼ିବା ଆଶଙ୍କା ଉପୁଜିଛି । ଏହାସତ୍ତ୍ୱେ ସରକାର ଓ ପୋଷାକ ଶିଳ୍ପ ସଂସ୍ଥାଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ବାଂଲାଦେଶ ପୋଷାକ ନିର୍ମାତା ଓ ରପ୍ତାନିକାରୀ ସଂଘର ସୂତ୍ର ମୁତାବକ, ୨୦% ଅର୍ଡର ଦେଶରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଛି । ଏବେ ଏହା ପଡ଼ୋଶୀ ଭାରତ, ଭିଏତନାମ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଓ ପାକିସ୍ତାନକୁ ଚାଲିଯାଇଛି । ଗାର୍ମେଣ୍ଟ ଫ୍ୟାକ୍ଟ୍ରି ଅଚାନକ ବନ୍ଦ ହୋଇଯିବା ପଛରେ ଦୁଇଟି ବଡ଼ କାରଣ ଥିବା କୁହାଯାଉଛି । ସୂତ୍ର ମୁତାବକ, ଦେଶରେ ଦେଖାଦେଇଥିବା ଏହି ମାନ୍ଦାବସ୍ଥା ସମ୍ପୂର୍ଣ୍ଣ ରାଜନୈତିକ ।