ଭୁବନେଶ୍ୱର: ବାରମ୍ବାର ଆଖି ମଳୁଛନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଅତ୍ୟଧିକ ଆଖି ମାଳିଲେ କେଉଁ ସମସ୍ୟାର ସମ୍ମୁଖୀନ ହେବେ ? ଡାକ୍ତରଙ୍କ କହିବା ଅନୁସାରେ ଯଦି ଆଖି ଅଧିକ ମଳିବେ, ଆଖିକୁ ସାମୟିକ ଆଶ୍ବସ୍ତି ଦେବା ବଦଳରେ ଆଖିର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ହୋଇପାରେ । ମାତ୍ରାଧିକ ଆଖି ମଳିବା ଦ୍ବାରା ସଂକ୍ରମଣ ଓ ଦୃଷ୍ଟିଶକ୍ତିର ଦୀର୍ଘକାଳୀନ କ୍ଷତିସାଧନର ଆଶଙ୍କା ରହିଛି । ଚକ୍ଷୁ ହେଉଛି ଆମ ଶରୀରର ଏକ ସୂକ୍ଷ୍ମ ତଥା କୋମଳ ପ୍ରତ୍ୟଙ୍ଗ, ଯାହାର ସକ୍ରିୟତା ବଜାୟ ରଖିବା ପାଇଁ ତାହାର ଯତ୍ନ ସର୍ବାଦୌ କାମ୍ୟ । ତେଣୁ ଆଖି ମଳିବାର କାରଣ ଏବଂ ସେଥିରୁ ନିବୃତ୍ତ ରହିବାର ଉପାୟ ବାବଦରେ ଜାଣିବା । ଆବଶ୍ୟକ ଲୁହ ନ ଝରି ଯଦି ଚକ୍ଷୁଡୋଳା ଶୁଷ୍କ ହୋଇଯାଏ କି ଆଖିରେ କୌଣସି ଧୂଳିକଣା କି ଲୋମ ପରି କ୍ଷୁଦ୍ର ବସ୍ତୁ ପଡ଼ିଯାଏ, ଅଥବା କୌଣସି ଖାଦ୍ୟ ବିକାର (ଆଲର୍ଜି) ଦେଖାଦିଏ, ତେବେ ଆଖି କୁଣ୍ଡାଇ ହୋଇଥାଏ । ସେହିପରି କମ୍ପ୍ୟୁଟର ପରଦା କି ଅନ୍ୟ କୌଣସି ବସ୍ତୁକୁ ଦୀର୍ଘ ସମୟ ଦୃଷ୍ଟିନିକ୍ଷେପ କରି ରହିଲେ ଆଖିକୁ ଅସହଜ ମନେ ହୁଏ । ଆଖିରେ ଧୂଆଁ ବାଜିଲେ କି କୌଣସି ସଂକ୍ରମଣ ହେଲେ କି ଅନିଦ୍ରା ଥିଲେ ମଧ୍ୟ ଆଖିପତା ଭାରୀ ଭାରୀ ଲାଗିଥାଏ । ଏଭଳି କୌଣସି ସ୍ଥିତି ଉପୁଜିଲେ ଆମେ ଆଖିକୁ ମନ୍ଥିଦେଇ ସାମାନ୍ୟ ଆଶ୍ବସ୍ତ ହୋଇଥାଉ । ମାତ୍ର ଏଭଳି ବାରମ୍ବାର ଆଖିକୁ ମଳିଲେ ଚକ୍ଷୁର ଗୁରୁତ୍ବପୂର୍ଣ୍ଣ ଅଂଶ କର୍ଣ୍ଣିଆରେ ଦାଗ ପଡ଼ିଯାଏ । ବିଶେଷ କରି କୌଣସି ଧୂଳିକଣା ବା ଲୋମ ପରି ସାମଗ୍ରୀ ଆଖି ଭିତରେ ଥାଇ ତାହାକୁ ମଳିଲେ କର୍ଣ୍ଣିଆ ବେଶୀ କ୍ଷତିଗ୍ରସ୍ତ ହୋଇଥାଏ । ଆଖିର ଆଖପାଖ ତ୍ବଚା ଅତ୍ୟନ୍ତ ନରମ ଓ ସମ୍ବେଦନଶୀଳ । ତେଣୁ ବାରମ୍ବାର ଆଖି ମନ୍ଥିବା ଦ୍ବାରା ଆଖି ତଳେ କଳା ଦାଗ ବା ଅପରିପକ୍ବ ବାର୍ଦ୍ଧକ୍ୟ ପରି ଚର୍ମ ଝୁଲିପଡ଼ିବାର ଆଶଙ୍କା ରହିଛି । ସେହିପରି ଆଖି ମଳିବା ଦ୍ବାରା କିଛି କ୍ଷଣ ପାଇଁ ଚକ୍ଷୁର ଅନ୍ତର୍ଚାପ ବଢ଼ିଯାଇଥାଏ, ଯାହା ଗ୍ଳୁକୋମା ରୋଗୀଙ୍କ ପାଇଁ କ୍ଷତିକାରକ । ଏଥି ସହିତ ଆଖି ମନ୍ଥିଲା ବେଳେ ଆମ ଖୋଲା ପାପୁଲିରେ ଲାଖିଥିବା ଅନେକ ଜୀବାଣୁ ଆଖି ସଂସ୍ପର୍ଶରେ ଆସି ସଂକ୍ରମଣ କରାଇଥା’ନ୍ତି । ତେଣୁ ଆଖିର ସ୍ବାସ୍ଥ୍ୟ ପାଇଁ ହାତକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ସହ ନିୟମିତ ଆଇଡ୍ରପ୍ ବା କୃତ୍ରିମ ଲୁହ ବ୍ୟବହାର କରିବା ଦରକାର । କୌଣସି ଧୂଳିମଳିରୁ ମୁକ୍ତ ରଖିବା ଲାଗି ଚଷମା ବ୍ୟବହାର ମଧ୍ୟ ଜରୁରି । ସେହିପରି ଏକକାଳୀନ ୨୦ ମିନିଟ୍ରୁ ଅଧିକ ସମୟ କୌଣସି ପରଦା ଉପରେ ଦୃଷ୍ଟି ନିକ୍ଷେପ କରିବା ନାହିଁ । ଆଖି ଉପରେ ଚାପ ନ ପକାଇବା ପାଇଁ ୨୦ ସେକେଣ୍ଡ୍ ପାଇଁ କୌଣସି ବସ୍ତୁଠାରୁ ୨୦ ଫୁଟ୍ ଦୂରେଇ ଯିବା । ସର୍ବୋପରି ଆଖି ଅଧିକ କୁଣ୍ଡାଇ ହେଲେ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଏକାନ୍ତ କାମ୍ୟ ।