15.1 C
Bhubaneswar
Sunday, January 5, 2025
Homeଦେଶ ବିଦେଶକାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ; ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ: କାପୁରୁଷଙ୍କ ପରିଚୟ

କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ; ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ: କାପୁରୁଷଙ୍କ ପରିଚୟ

ନୂଆଦିଲ୍ଲୀ: କାନାଡ଼ାର ଆଣ୍ଟାରିଓ ପ୍ରାନ୍ତ ବ୍ରାମ୍ପଟନ୍ ସ୍ଥିତ ହିନ୍ଦୁ ମହାସଭା ମନ୍ଦିର ଉପରେ ଆକ୍ରମଣ ହୋଇଛି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସେଠାକାର ଖଲିସ୍ତାନୀ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଆକ୍ରମଣରୁ ମହିଳା ଏବଂ ଶିଶୁମାନଙ୍କୁ ମଧ୍ୟ ବାଦ୍ ପଡ଼ିନାହାନ୍ତି। ଆକ୍ରମଣକାରୀମାନେ ଏସବୁ କରିବା ସହ ଏଠାରେ ଖଲିସ୍ତାନୀ ସଂଗଠନ ସମର୍ଥିତ ପତାକା ମଧ୍ୟ ଉଡ଼ାଇଛନ୍ତି। ରବିବାର ଘଟିଥିବା ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପୁଲିସ ମାତ୍ର ୩ ଜଣଙ୍କୁ ହିଁ ଗିରଫ କରିଛି। ତେବେ ଏହି ଘଟଣାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏପ୍ରକାର ଘଟଣାକୁ କଦାପି ବରଦାସ୍ତ କରାଯିବ ନାହିଁ। କାନାଡାରେ ବସବାସ କରୁଥିବା ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷାକୁ ନେଇ ତାଙ୍କ ସରକାର ସତର୍କ ଓ ସଚେତନ ରହିଛନ୍ତି।
ଗୋଟିଏ ପଟେ ଟ୍ରୁଡେୟୁଙ୍କ ଏପ୍ରକାର ପ୍ରତିକ୍ରିୟା ଆସିଥିବା ବେଳେ ଅନ୍ୟପକ୍ଷେ ଭାରତ କିନ୍ତୁ ଏହି ଘଟଣାର ଦୃଢ଼ ନିନ୍ଦା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଏବଂ ଏପ୍ରକାର ଘଟଣାକୁ ନେଇ ଟ୍ରୁଡେୟୁ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ ବୋଲି କହିଛନ୍ତି। ମୋଦୀଙ୍କ କହିବାନୁସାରେ ଏପ୍ରକାର ଆଚରଣ କାପୁରୁଷଙ୍କ ଅସଲ ପରିଚୟ। ଏସବୁ କରି ଭାରତ ଏବଂ ଭାରତୀୟଙ୍କ ଏକତାକୁ ସେମାନେ କଦାପି କ୍ଷତି ପହଞ୍ଚାଇପାରିବେନି। ସେହିପରି ଏକ ବିବୃତି ଜାରି ପୂର୍ବକ ଏପ୍ରକାର ଘଟଣାକୁ ନେଇ ଭାରତ ଅତ୍ୟନ୍ତ କ୍ଷୁବ୍ଧ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୈଶୱାଲ କହିଛନ୍ତି। କାନାଡ଼ା ସରକାର ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୂଜାସ୍ଥଳଗୁଡ଼ିକର ନିରାପତ୍ତାକୁ ନିଶ୍ଚିତ କରନ୍ତୁ ବୋଲି ଜୈଶୱାଲ ଦାବି କରିଛନ୍ତି। ଜୈଶୱାଲ୍ କହିଛନ୍ତି, କାନାଡାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଆମେ ଗଭୀର ଚିନ୍ତିତ । ଭାରତୀୟ ଏବଂ କାନାଡାବାସୀଙ୍କୁ ସମାନ ଭାବରେ ସେବା ଯୋଗାଇବା ପାଇଁ ଆମର ଦୂତାବାସ ଅଧିକାରୀଙ୍କ ପ୍ରବେଶକୁ ଧମକ, ନିର୍ଯାତନା ଏବଂ ହିଂସା ଦ୍ୱାରା ରୋକାଯାଇପାରିବ ନାହିଁ।
ହିନ୍ଦୁ ମନ୍ଦିରରେ ଆକ୍ରମଣ ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ବହୁ ସଂଖ୍ୟକ ଆକ୍ରମଣକାରୀ ମନ୍ଦିର ବାହାରେ ଶ୍ରଦ୍ଧାଳୁମାନଙ୍କୁ ମାଡ଼ ମାରୁଥିବା ଏଥିରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ଭାରତ ଏବଂ କାନାଡ଼ା ମଧ୍ୟରେ ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ସୁରକ୍ଷା ଦେଉଥିବାରୁ ଭାରତ ଏହାର ବିରୋଧ କରିଆସୁଛି। କେବଳ ସେତିକି ନୁହେଁ ନିଜାର ହତ୍ୟା ମାମଲାରେ ମଧ୍ୟ କାନାଡା ଭାରତକୁ ଦୋଷାରୋପ କରୁଛି। କାନାଡା ସରକାର ଏବେ ସେଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଅଧିକାରୀ, କୂଟନୀତିଜ୍ଞଙ୍କ ଉପରେ ନଜର ରଖୁଥିବା ଭଳି ଅଭିଯୋଗ ମଧ୍ୟ ହୋଇଛି। ତେବେ ଏସବୁ ଘଟଣା ମଧ୍ୟରେ ଏଠାରେ ଥିବା ଖଲିସ୍ତାନୀମାନେ ଏବେ କାନାଡ଼ାରେ ବସବାସ କରୁଥିବା ହିନ୍ଦୁଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking