ତେହରାନ: ଇସ୍ରାଏଲର ପାଲଟା ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଇରାନ୍। ଅର୍ଥାତ୍ ଇସ୍ରାଏଲ୍ ଉପରେ ଏବେ ଇରାନ ପୁଣିଥରେ ଆକ୍ରମଣ ଲାଗି ଯୋଜନା କରୁଛି। ଏସବୁ ମଧ୍ୟରେ ଶନିବାର ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖାମେନେଇ ସାମ୍ନାକୁ ଆସି ଆମେରିକା ଏବଂ ଇସ୍ରାଏଲକୁ ଏହି ଧମକ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ହେଉ କି ଇସ୍ରାଏଲ, ଶତ୍ରୁ ଦେଶକୁ ଉପଯୁକ୍ତ ଜବାବ ଦିଆଯିବ। ତାଙ୍କର ଏପ୍ରକାର ଧମକ ଇସ୍ରାଏଲ-ଇରାନ୍ ମଧ୍ୟରେ ଯୁଦ୍ଧଂଦେହୀ ଡାକରା ବୋଲି ବିବେଚନା କରାଯାଉଛି। ଏତଦ୍ବ୍ୟତୀତ ଖାମେନେଇ ନିଜ ଦେଶର ସେନାକୁ ପାଲଟା ଆକ୍ରମଣ ପାଇଁ ମଧ୍ୟ ଗ୍ରୀନ୍ ସିଗ୍ନାଲ ଦେଇଥିବା ଜଣାପଡ଼ିଛି।
ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ହୋଇପାରେ ବୋଲି ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ୱାରା ରିପୋର୍ଟ ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ଇରାନର ତିନିଜଣ ଅଧିକାରୀଙ୍କ ଠାରୁ ଏନେଇ ସୂଚନା ମିଳିଛି। ଇସ୍ରାଏଲ ଉପରେ ପ୍ରତିଶୋଧ ନେବା ଲାଗି ପାଲଟା ଆକ୍ରମଣ ପାଇଁ ଖାମେନଇ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଇରାନ୍ ସରକାରଙ୍କ ପକ୍ଷରୁ ଆଗତ ଏକ ପରିଷଦସ୍ତରୀୟ ବୈଠକରେ ଗତ ସପ୍ତାହରେ (ଅକ୍ଟୋବର ୨୬ରେ) ଇସ୍ରାଏଲର ଆକ୍ରମଣ ଯୋଗୁ ଇରାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପରେ ଖାମେନଇ କୁଆଡେ ଏହି ନିଷ୍ପତ୍ତି ନେଇଛନ୍ତି। ଖାମେନେଇ ବୈଠକରେ କହିଛନ୍ତି ଯେ, ଇସ୍ରାଏଲର ଆକ୍ରମଣକୁ ଅଣଦେଖା କରିବା ଏବଂ ପଛକୁ ଫେରିବା ଇରାନ ପାଇଁ ପରାଜୟ ଗ୍ରହଣ କରିବା ସହ ସମାନ ହେବ। ଏଭଳି ପରିସ୍ଥିତିରେ ଇରାନକୁ ଇସ୍ରାଏଲର ଆକ୍ରମଣର ଜବାବ ଦେବାକୁ ପଡିବ ଏବଂ ଏଥିପାଇଁ ପ୍ରସ୍ତୁତି କରାଯିବା ଉଚିତ୍। ଇରାନ ଆକ୍ରମଣରେ ଇସ୍ରାଏଲର ସାମରିକ ବେସ୍ଗୁଡିକ ଟାର୍ଗେଟ୍ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କିମ୍ବା ପରେ ଇରାନ୍, ଇସ୍ରାଏଲ୍ ଉପରେ ଆକ୍ରମଣ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ପ୍ରକାଶ, ଏହା ପୂର୍ବରୁ ଏପ୍ରିଲ ଏବଂ ଅକ୍ଟୋବରରେ ଇରାନ ଇସ୍ରାଏଲ ଉପରେ ଦୁଇଟି ପ୍ରତ୍ୟକ୍ଷ ଆକ୍ରମଣ କରିସାରିଛି।
ଅପରପକ୍ଷେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଭୟ ରାଷ୍ଟ୍ର (ଇରାନ୍ ଏବଂ ଇସ୍ରାଏଲ୍) ମଧ୍ୟରେ ଏପ୍ରକାର ଉତ୍ତେଜନା ପଶ୍ଚିମ ଏସିଆରେ ଉତ୍ତେଜନାକୁ ବଢ଼ାଇପାରେ ବୋଲି ଆକଳନ କରାଯାଉଛି। ଏମିତିରେ ଆମେରିକୀୟ ସେନା ସମଗ୍ର ପଶ୍ଚିମ ଏସିଆରେ ସକ୍ରିୟ ଅଛନ୍ତି। ଏହାର କିଛି ଯବାନ ଏବେ ଇସ୍ରାଏଲରେ ‘ଟର୍ମିନାଲ ହାଇ ଅଲ୍ଟିଚ୍ୟୁଡ୍ ଅଞ୍ଚଳ ଡିଫେନ୍ସ(ଥାଡ୍ର୍) ବାୟୁ ପ୍ରତିରକ୍ଷା ପ୍ରଣାଳୀ ପରିଚାଳନା କରୁଛନ୍ତି। ୟୁଏନ୍ଏସ୍ ଆବ୍ରାହମ ଲିଙ୍କନ୍ ବିମାନ ପରିବହନକାରୀ ଆରବ ସାଗରରେ ଥିବାର ସମ୍ଭାବନା ରହିଥିବା ବେଳେ ପେଣ୍ଟାଗନ୍ ପ୍ରେସ୍ ସେକ୍ରେଟାରୀ ମେଜର ଜେନେରାଲ ପ୍ୟାଟ୍ ରାଇଡର ଶୁକ୍ରମାର କହିଛନ୍ତି ଯେ ଇରାନ ଏବଂ ଏହାର ଉଗ୍ରବାଦୀ ସହଯୋଗୀଙ୍କୁ ରୋକିବା ଲାଗି ଅଧିକ ବିନାଶକାରୀ, ଯୁଦ୍ଧବିମାନ ସ୍କ୍ୱାର୍ଡନ, ଟ୍ୟାଙ୍କର, ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜିତ କରାଯାଉଛି।