30.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆମେରିକା ସମନ୍‌ର ଦୃଢ଼ ଜବାବ ଦେଲା ଭାରତ; ଭିତ୍ତିହୀନ ଅଭିଯୋଗ, ନୀତି ବିରୋଧୀ ସମନ୍‌

ଆମେରିକା ସମନ୍‌ର ଦୃଢ଼ ଜବାବ ଦେଲା ଭାରତ; ଭିତ୍ତିହୀନ ଅଭିଯୋଗ, ନୀତି ବିରୋଧୀ ସମନ୍‌

ନୂଆଦିଲ୍ଲୀ :  ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ମାମଲାରେ ଆମେରିକା କୋର୍ଟ ଭାରତ ସରକାର ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ଅନ୍ୟ କେତେକ ବରିଷ୍ଠ ଅଧିକାରୀଙ୍କ ନାଁରେ ପଠାଇଥିବା ସମନ ଉପରେ ଭାରତ ପ୍ରତିକ୍ରିୟା ରଖିଛି । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକା ଅଦାଲତର ସମନକୁ ବିରୋଧ କରି ଏହାକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି, ଏହି ମାମଲା ସମ୍ପୂର୍ଣ୍ଣ ଅଯଥା ଏବଂ ସରକାରଙ୍କ ନୀତି ବିରୋଧୀ । ଆମେ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛୁ । ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ଏବଂ ସମସ୍ତ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ, ଏହି ମାମଲା ଆମ ମତକୁ କୌଣସି ପ୍ରକାରେ ବଦଳାଇବ ନାହିଁ ।  ମାମଲା ଦାୟର କରିଥିବା ବ୍ୟକ୍ତି ଏକ ବେଆଇନ ସଂଗଠନର ପ୍ରତିନିଧିତ୍ୱ କରନ୍ତି । ଯେତେବେଳେ ଏହି ପ୍ରସଙ୍ଗ ପ୍ରଥମେ ଆମ ସାମ୍ନାକୁ ଅଣାଯାଇଥିଲା, ସେତେବେଳେ ଆମେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ । ଉଗ୍ରବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍‌ର ମୁଖ୍ୟ ପନ୍ନୁ ଭାରତୀୟ ରାଜନେତା ଓ ଅନୁଷ୍ଠାନଗୁଡ଼ିକ ବିରୋଧରେ ଉତ୍ତେଜନାମୂଳକ ଭାଷଣ ଓ ଧମକ ଦେବା ପାଇଁ ଜଣାଶୁଣା । ପନ୍ନୁ ହେଉଛି ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ ଏହି ଶିଖ ଫର୍ ଜଷ୍ଟିସର ମୁଖ୍ୟ । ଏହି ସଂଗଠନ ଭାରତ ବିରୋଧୀ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଭାରତରେ ଏହାକୁ ବ୍ୟାନ କରାଯାଇଛି ଓ ପନ୍ନୁକୁ ୨୦୨୦ରେ ନୂଆଦିଲ୍ଲୀ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇସାରିଛି । ତଥାପି ପନ୍ନୁ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ଉଚ୍ଚସ୍ତରୀୟ କମିଟି କାର୍ଯ୍ୟ କରୁଛି । ସୁତରାଂ ଭାରତ ସରକାରଙ୍କ ବିରୋଧରେ ସେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ରୂପେ ଏକ ଅନାବଶ୍ୟକ ମାମଲା ।
ସୂଚନାଯୋଗ୍ୟ, ପନ୍ନୁ ନ୍ୟୁୟର୍କର ସାଉଥ୍ ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଛି । ଏଥିରେ ପନ୍ନୁ ତା’କୁ ହତ୍ୟା କରିବା ପାଇଁ ଭାରତ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଥିଲା । ତେବେ ପନ୍ନୁ ଅଭିଯୋଗ ଆଧାରରେ ଆମେରିକାର ଏହି କୋର୍ଟ ପଠାଇଥିବା ସମନରେ ଭାରତ ସରକାର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ‘ର\’ର ପୂର୍ବତନ ମୁଖ୍ୟ ସାମନ୍ତ ଗୋଏଲ, ଏଜେଣ୍ଟ ବିକ୍ରମ ଯାଦବ ଏବଂ ଭାରତୀୟ ବ୍ୟବସାୟୀ ନିଖିଲ ଗୁପ୍ତା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସମସ୍ତଙ୍କୁ ୨୧ ଦିନ ମଧ୍ୟରେ ସମନ୍‌ର ଜବାବ ଦେବାକୁ କୁହାଯାଇଛି । ତେବେ ଏହି ବିବାଦ ଭିତରେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଗଣମାଧ୍ୟମକୁ କହିଛନ୍ତି ଯେ ଏହି ମାମଲା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ । ପ୍ରକାଶ, ପନ୍ନୁ ଭାରତ ଛାଡ଼ି ଆମେରିକାରେ ଆଶ୍ରୟ ନେଇଛି । ତା’ ପାଖରେ ଉଭୟ ଆମେରିକା ଓ କାନାଡାର ନାଗରିକତ୍ୱ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking