ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ଆତଙ୍କ । କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର। ଜଣେ ପୁଲିସ ଏସ୍ଆଇଙ୍କ ଘରୁ ହୋଇଛି ଚୋରି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ-୩ ଆର୍ବିଆଇ ଅଫିସ ପଛପାର୍ଶ୍ୱ ଏସ୍ଆଇ ରମାକାନ୍ତ ପ୍ରଧାନଙ୍କ କ୍ୱାର୍ଟର୍ସକୁ ଚୋରମାନେ ଟାର୍ଗେଟ୍ କରିଥିଲେ। ରମାକାନ୍ତ ବାବୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା ଆଦି ଚୋରି କରି ନେଇଯାଇଛନ୍ତି ଚୋର। ସୂଚନା ଅନୁସାରେ ରମାକାନ୍ତ ଟ୍ରେନିଂରେ ଥିବାବେଳେ ସରକାରୀ କ୍ୱାର୍ଟର୍ସରେ ତାଙ୍କ ପୁଅ ରାକେଶ କୁମାର ପ୍ରଧାନ ଓ ବୋହୂ ରହୁଥିଲେ। ଗତକାଲି ସକାଳେ ପୁଅ ଓ ବୋହୂ ଅଫିସ ଯାଇଥିଲେ। ଏହି ସମୟରେ ଚୋରମାନେ ପୁଲିସ ବାବୁଙ୍କ କ୍ୱାର୍ଟର୍ସରେ ପାଇ କଳାକନା ବୁଲାଇ ଦେଇଥିଲେ। ଅପରାହ୍ଣ ସାଢ଼େ ୫ଟା ସମୟରେ ପୁଅବୋହୂ ଘରକୁ ଫେରି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଘର କବାଟର ତାଲା ଭଙ୍ଗାଯିବା ସହ ଲୁହା ଆଲମିରା ତାଡ଼ି ଚୋରମାନେ ସୁନା ଅଳଙ୍କାର, ଟଙ୍କା, ଦାମିକା ଘଣ୍ଟା ସାଙ୍ଗକୁ ୪ଟି ହାର୍ଡ ଡିସ୍କ ଚୋରି ନେଇଥିବା ଅଭିଯୋଗ ହୋଇଛି। ଚୋରି ସଂକ୍ରାନ୍ତରେ ରମାକାନ୍ତଙ୍କ ବଡ଼ପୁଅ ରାକେଶ ପ୍ରଧାନ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।










