କଟକ: ନୟାଗଡ଼ ଜିଲା ଇଟାମାଟି ଥାନା ଅଞ୍ଚଳରେ ୧୧ବର୍ଷ ପୂର୍ବେ ସଂଗଠିତ ନାବାଳିକା ବଳାତ୍କାର ମାମଲାର ସଠିକ୍ ଭାବେ କରିବା ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଗୌରୀଶଙ୍କର ଶତପଥୀ ଏହି ମାମଲାର ଶୁଣାଣି କରି ସମ୍ପୃକ୍ତ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ମାମଲାର ତଦନ୍ତ ଆଦେଶ ଦେଇ ମାମଲାର ଅନ୍ତ ଘଟାଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ୨୦୧୩ ଏପ୍ରିଲ ୧୯ ତାରିଖରେ ନାବାଳିକା ଜଣଙ୍କୁ ଅଭିଯୁକ୍ତ ଶିବୁ ଜେନା ଇଟାମାଟିରୁ ଅପହରଣ କରିଥିଲେ । ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜବରଦସ୍ତ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ । ଶାରୀରିକ ସମ୍ପର୍କ ନରଖିଲେ ଜୀବନରୁ ମାରିଦେବାକୁ ମଧ୍ୟ ସେ ଧମକ ଦେଇଥିଲେ । ମାତ୍ର ସେଇ ମାସ ୨୫ ତାରିଖରେ ନାବାଳିକାଙ୍କୁ ଗାଁ ଛକ ନିକଟରେ ଅପହରଣ କରି ଶିବୁ ଫେରାର ହୋଇଯାଇଥିଲା । ପରବର୍ତ୍ତି ସମୟରେ ନାବାଳିକାଙ୍କ ପିତା ତାଙ୍କୁ ସେଠାରୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ପରିସ୍ଥିତିରେ ନାବାଳିକାଙ୍କୁ ଉଦ୍ଧାରକରି ଘରକୁ ଆଣିଥିଲେ । ପରେ ମେ ମାସ ୧୬ ତାରିଖରେ ଏନେଇ ସେ ଇଟାମାଟି ଥାନାରେ ଏତଲା ଦେଇଥିଲେ । ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାତ୍ର ପୁଲିସ ମାମଲା ତଦନ୍ତରେ ସେପରି ଆଗ୍ରହ ନଦେଖାଇବାରୁ ନୟାଗଡ଼ ଏସ୍ପିଙ୍କୁ ନାବାଳିକାଙ୍କ ପିତା ଗୁହାରି କରିଥିଲେ । ଇତି ମଧ୍ୟରେ ଶିବୁ ଅନ୍ୟଜଣଙ୍କୁ ବିବାହ କରି ଖୁଲମଖୁଲା ଭାବେ ବୁଲୁଥିଲେ । ମାତ୍ର ପୋଲିସ ତାଙ୍କୁ ଗିରଫ କଲାନାହିଁ । ଫଳରେ ପୀଡିତାଙ୍କ ପିତା ଜୁଲାଇ ୮ ତାରିଖରେ ପୁଣି ସ୍ପିଡ୍ ପୋଷ୍ଟ ଯୋଗେ ଇଟାମାଟି ଥାନାକୁ ଅଭିଯୋଗପତ୍ର ପଠାଇଥିଲେ । ପୁଣି ଜୁଲାଇ ୧୩ ତାରିଖରେ ନୟାଗଡ଼ ଏସ୍ପିଙ୍କ ନିକଟରେ ଫେରାଦ ହୋଇଥିଲେ । ମାତ୍ର ଏହାର ଏକ ବର୍ଷ ବିତିଯାଇଥିଲେ ବି କୌଣସି ଫଳ ନପାଇବାରୁ ଗତ ଜୁଲାଇ ୨୯ ତାରିଖରେ ପୀଡିତାଙ୍କ ପିତା ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।