ଭୁବନେଶ୍ୱର: ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ୧୨ତାରିଖରୁ ଆରମ୍ଭ ହେବ। ସାମ୍ସ ପୋର୍ଟାଲରେ ୧୨ତାରିଖ ଅପରାହ୍ନ ୪ଟାରେ କମନ ଆପ୍ଲିକେସନ ଫର୍ମ(ସିଏଏଫ୍) ଉପଲବ୍ଧ ହେବ। ନାମଲେଖା ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ୨୯ତାରିଖ ରାତି ୧୧ଟା ୪୫ ଭିତରେ ଆବେଦନ କରିପାରିବେ। ସେପ୍ଟେମ୍ବର ୨ତାରିଖ ଅପରାହ୍ନ ୪ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀମାନେ ୩ତାରିଖ ସକାଳ ୧୦ଟାରୁ ୬ତାରିଖ ସନ୍ଦ୍ୟା ୫ଟା ଭିତରେ ନାମଲେଖାଇବେ।
୧୦ତାରିଖ ଅପରାହ୍ନ ୨ଟାରେ ୱେଟିଂ ଥିବା ଛାତ୍ରଛାତ୍ରୀଙ୍କର ମେଧା ତାଲିକା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ତାଙ୍କ ନୋଟିସ ବୋର୍ଡ/ୱେବ୍ସାଇଟରେ ପ୍ରକାଶ କରିବେ। ସେହି ଛାତ୍ରଛାତ୍ରୀମାନେ ୧୧ ରୁ ୧୨ତାରିଖ ସନ୍ଧ୍ୟା ୫ଟା ଭିତରେ ନାମଲେଖାଇବେ। ଏହାପରେ ଯଦି ସିଟ୍ ବଳକା ପଡ଼େ ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ୱେଟିଂ ଥିବା ଛାତ୍ରଛାତ୍ରୀଙ୍କୁ କଲ୍ କିମ୍ବା ହ୍ୱାଟ୍ସ ଆପ୍ କରି ନାମଲେଖା ପାଇଁ କହିବେ। ସୂଚନାଯୋଗ୍ୟ, ରାଜ୍ୟର ୧,୦୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ୩ ନାମଲେଖା ପାଇଁ ମୋଟ ୨,୭୪,୧୫୧ଟି ସିଟ୍ ରହିଛି। ପ୍ରଥମ ପର୍ଯ୍ୟାୟରେ ୧,୭୭,୬୭୩ଜଣ ନାମଲେଖାଇଥିବା ବେଳେ ଆଉ ୯୬,୪୭୮ଟି ସିଟ୍ ଖାଲି ପଡ଼ିଛି।
ଅନ୍ୟପକ୍ଷରେ ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଶନିବାର ଶେଷ ହୋଇଛି। ୨୦ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ୨୨ରୁ ୨୮ଭିତରେ ନାମଲେଖାଇବେ। ତେବେ ସାମ୍ସ ପୋର୍ଟାଲର ତଥ୍ୟ ଅନୁସାରେ, ରାଜ୍ୟରେ ଥିବା ୨,୩୪୧ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ନାମଲେଖା ପାଇଁ ମୋଟ ୫,୪୭,୯୯୩ଟି ସିଟ୍ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ୩,୮୨,୧୬୧ଜଣ ଛାତ୍ରଛାତ୍ରୀ ନାମଲେଖାଇଥିବା ବେଳେ ଆହୁରି ୧,୬୫,୮୩୨ଟି ସିଟ୍ ରହିଛି। ଏଥିମଧ୍ୟରେ କଳାରେ ପ୍ରାୟ ୬୨ହଜାର, ବିଜ୍ଞାନରେ ୭୨ହଜାର, ବାଣିଜ୍ୟରେ ୧୯ହଜାର, ସଂସ୍କୃତରେ ୬ହଜାର ଏବଂ ଧନ୍ଦାମୂଳକରେ ପ୍ରାୟ ୬ହଜାର ସିଟ୍ ଏବେ ବି ଖାଲି ପଡ଼ିଛି।
୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିଲା। ତେବେ ନାମଲେଖା ପାଇଁ ୧୨ତାରିଖ ଅପରାହ୍ନ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀମାନେ ୧୩ତାରିଖ ପୂର୍ବାହ୍ନ ୧୦ଟାରୁ ୧୭ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମଲେଖାଇବେ। ତେବେ ୧୫ତାରିଖ ଦିନ ନାମଲେଖା ଅନୁଷ୍ଠିତ ହେବ ନାହିଁ। ୨୪ତାରିଖ ଅପରାହ୍ନ ୨ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୭ ରୁ ୨୯ତାରିଖ ଭିତରେ ନାମଲେଖାଇବେ।
ସେପ୍ଟେମ୍ବର ୫ ଅପରାହ୍ନ ୨ଟାରେ ତୃତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ମନୋନୀତ ଛାତ୍ରଛାତ୍ରୀ ୬, ୯ ଏବଂ ୧୦ତାରିଖରେ ନାମଲେଖାଇବେ। ସେହିଭଳି ସେପ୍ଟେମ୍ବର ୧୭ରେ ଚତୁର୍ଥ ମେଧା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀମାନେ ୧୮ ରୁ ୨୧ତାରିଖ ମଧ୍ୟରେ ନାମଲେଖାବାକୁ ପଡ଼ିବ। ସେପ୍ଟେମ୍ବର ୨୩ତାରିଖରୁ ବିଏଡ୍, ବିଏଚ୍ଏଡ୍ ଏବଂ ଏମ୍ଏଡ୍ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ତେବେ ନାମଲେଖା ପ୍ରକ୍ରିୟା କିପରି ହେବ ସେ ନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡ଼ଲାଇନ ପ୍ରସ୍ତୁତ କରିଛି। ଏ ନେଇ ବିଭାଗ ପକ୍ଷରୁ ୨ବର୍ଷିଆ ବିଏଡ୍ ଏବଂ ଏମ୍ଏଡ୍ ଥିବା ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଚେୟାରମ୍ୟାନ ଏବଂ ସମସ୍ତ ସରକାରୀ ଶିକ୍ଷକ ଶିକ୍ଷା ଶିକ୍ଷାନୁଷ୍ଠାନ ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି।










