ଭୁବନେଶ୍ୱର : ଆଳୁ ବଜାରରେ ପୁଣି ନିଆଁ । କେଜିକୁ ଛୁଇଁଲା ୫୫ ଟଙ୍କା । ରୋଷେଇ ଘରେ ଏହି ଜରୁରୀ ପରିବା ଉଭାନ । ତିନି ଦିନ ହେଲା ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆସିନାହିଁ । ଯାହା ବି ଆସିଛି ବଜାର ଚାହିଦା ପୂରଣ କରିପାରୁନାହିଁ । ଓଡ଼ିଶାରେ ଖାଉଟି ବି ସେସବୁ ଆଳୁକୁ ସେତେଟା ପସନ୍ଦ କରୁନାହାନ୍ତି । କଟକ ଛତ୍ରବଜାର ଓ ଭୁବନେଶ୍ୱରସ୍ଥ ଆଇଗଣିଆ କୁବେରପୁରୀ ଗୋଦାମରେ ମହଜୁଦ୍ ଥିବା ପଶ୍ଚିମବଙ୍ଗ ଆଳୁ ଆଉ ତିନି ଦିନ ଭିତରେ ଶେଷ ହୋଇଯିବ । ଫଳରେ ଆଳୁ ସଙ୍କଟ ଆହୁରି ସମସ୍ୟା ସୃଷ୍ଟି କରିବ । ହେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଏକଥା ମାନିବାକୁ ନାରାଜ । କେହି ଚଢ଼ା ନେଉନାହାନ୍ତି । ଯିଏ ନେଇଥିବ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ମଙ୍ଗଳବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୁଣି ଥରେ ରାଜ୍ୟରେ ଆଳୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଭିନ୍ନ ସ୍ଥାନ ପରିଦର୍ଶନ ସହ ବିଭିନ୍ନ ବ୍ୟବସାୟୀ ସଂଘଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ପରେ ଗଣମାଧ୍ୟକୁ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଉତ୍ତରପ୍ରଦଶ ଓ ପଞ୍ଜାବରୁ ଆଳୁ ଆସିବା ପରେ ପାଇକାରୀ ଦରରେ ସାମାନ୍ୟ ସୁଧାର ଆସିଛି । ପୂର୍ବରୁ ଆଳୁ କେଜି ପ୍ରତି ୪୫ରୁ ୫୦ ଟଙ୍କା ଥିଲା । ଏବେ ତାହା କମି ୩୨ରୁ ୩୫ ଟଙ୍କା ହୋଇଛି । ତେବେ କିଛି ସ୍ଥାନରେ ଆଳୁ କେଜି ପ୍ରତି ୪୦ରୁ ୪୫ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହାର ସତ୍ୟତା ପ୍ରମାଣ ମିଳିଲେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେହି ଚଢ଼ା ଦରରେ ଆଳୁ ବିକି ପାରିବେ ନାହିଁ । ସରକାର କରିଥିବା ଧାର୍ଯ୍ୟ ଦରରେ ଆଳୁ ବିକ୍ରି ହେବ । ତେବେ ଆଗାମୀ ଚବିଶ ଘଣ୍ଟା ଭିତରେ ଆଳୁ ସମସ୍ୟାର ସମାଧାନ କରାଯିବ ।
ମନ୍ତ୍ରୀ ପୁଣି କହିଥିଲେ, ଉତ୍ତରପ୍ରଦଶ ଓ ପଞ୍ଜାବ ଆଳୁର ମାନ ନିମ୍ନମାନର ବୋଲି କହିବା ଭୁଲ । ପଚିଯିବା କଥା ବି ଗୁମର । ପଶ୍ଚିମବଙ୍ଗ ଠାରୁ ଏହି ଦୁଇ ରାଜ୍ୟର ଆଳୁର ମାନ ଉନ୍ନତ । ଏଥିପାଇଁ ଓଡ଼ିଶାବାସୀ ଭଲ କ୍ୱାଲିଟିର ଆଳୁ ଖାଇବା ଆରମ୍ଭ କରିଛନ୍ତି । ଆଗାମୀ ଦିନରେ ବି ଖାଇବେ । ତେଣୁ ଉତ୍ତର ପ୍ରଦେଶ ଓ ପଞ୍ଜାବରୁ ଆହୁରି ଅଧିକ ଟନର ଆଳୁ ଆସିବ । ଏଣିକି ଆଉ ପଶ୍ଚିମବଙ୍ଗରୁ ଆଳୁ ଆସିବ ନାହିଁ । ଓଡ଼ିଶା ବ୍ୟବସାୟୀ ଓ ବିଭିନ୍ନ ସଂଘର ଅନୁରୋଧକୁ ରକ୍ଷା କରି ଉତ୍ତରପ୍ରଦେଶ ଓ ପଞ୍ଜାବରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ପ୍ରକାଶ କରିଥିଲେ ।
ଅନ୍ୟପକ୍ଷରେ ବ୍ୟବସାୟୀ ମହାସଂଘ କହିଛି ଯେ, ରାଜ୍ୟରେ ଏବେ ଆଳୁ ବ୍ୟବସାୟରେ ପ୍ରାୟ ୧୦ ହଜାର ଲୋକ ସଂପୃକ୍ତ । ଚାହିଦା ତୁଳନାରେ ଆଳୁ ଆସୁନାହିଁ । ରାଜ୍ୟରେ ଏବେ ପ୍ରାୟ ୧୭ ଟନ ଆଳୁ ଗଚ୍ଛିତ ଅଛି । ତିନି ଦିନ ଭିତରେ ତାହା ଶେଷ ହୋଇଯିବ । ତେଣୁ ସରକାର ଆଗୁଆ ପଦକ୍ଷେପ ନେଲେ ସମସ୍ୟାର ସମାଧାନ ହେବ ।