22.1 C
Bhubaneswar
Wednesday, January 15, 2025
Homeଓଡିଶାବଜେଟ ନେଇ ବିଧାନସଭାରେ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ବଜେଟ ନେଇ ବିଧାନସଭାରେ ବିଜେଡି ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଜେଟ୍‌ରେ ଆମେ ଏକ ‘ବିକଶିତ ଓଡ଼ିଶା’ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପରିବର୍ତ୍ତନ, ବିକାଶ, ସୁଶାସନ ଏବଂ ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଇଛୁ । ଏହାଦ୍ୱାରା ଆମେ ଏକ ‘ବିକଶିତ ଭାରତ’ ଗଠନରେ ପ୍ରମୁଖ ଯୋଗଦାନ କରିବା ସହିତ ଓଡ଼ିଶା ଗଠନର ଶହେ ବର୍ଷ ପୂର୍ତ୍ତୀରେ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ଭିଜନ-୨୦୩୬ର ଏକ ସ୍ପଷ୍ଟ ଖସଡ଼ା ପ୍ରସ୍ତୁତି ଦିଗରେ କାର୍ଯ୍ୟ କରୁଛୁ । ତେବେ ରାଜ୍ୟର ହୀତ ତଥା ଅସ୍ମିତା ପାଇଁ କିଛି ଯୋଜନାର ନାଁ ନୂଆ ନାମ ଦେଇଛୁ । ଏଥିରେ କିଛି ସମସ୍ୟା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ବିଧାନସଭାରେ ୨୦୨୪-୨୫ ବଜେଟ୍‌ର ସଧାରଣ ଆଲୋଚନା ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଗତ ୨୫ରେ ୨୦୨୪-୨୫ ବର୍ଷର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଥିଲା । ୨୯ରୁ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହୋଇ ବର୍ତ୍ତମାନ ତା’ର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ସାଧାରଣ ଆଲୋଚନାରେ ଉଭୟ ବିରୋଧି ଓ ଶାସକ ଦଳର ସଦସ୍ୟ ମାନେ ଭାଗ ନେଇଛନ୍ତି । ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ଏହି ଆଲୋଚନା ଉପରେ ବର୍ତ୍ତମାନ ମୁଁ ମୋର ଉତ୍ତର ରଖିବି ।

ଗତ ନିର୍ବାଚନରେ ନିର୍ଣ୍ଣାୟକ ମତଦାନ କରି ରାଜ୍ୟବାସୀ ଆମକୁ ସରକାର ଗଠନ କରିବାର ସୁଯୋଗ ଦେଇ ଥିବାରୁ ଅଶେଷ ଧନ୍ୟବାଦ । ଓଡ଼ିଶାବାସୀ ଲମ୍ବା ସମୟ ଧରି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲେ ସେମାନଙ୍କ ଭାଗ୍ୟ ପରିବର୍ତ୍ତନ କରିବା ପାଇଁ । କିନ୍ତୁ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ ହେଲା ନାହିଁ । ହତାଶ ହୋଇ ଓଡିଶାବାସୀ ସରକାର ପରିବର୍ତ୍ତନ କଲେ । ନିର୍ବାଚନ ପରେ ଏହା ଆମ ସରକାରର ପ୍ରଥମ ପୂର୍ଣାଙ୍ଗ ବଜେଟ୍ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର ଏବଂ ଏହି ବଜେଟ୍ ହେଉଛି ଲୋକଙ୍କ ବଜେଟ । ନିର୍ବାଚନୀ ଇସ୍ତାହାରରେ ଆମେ ଓଡ଼ିଶାବାସୀଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲୁ । ଏହି ବଜେଟ ତାର ଏକ ପ୍ରତିଫଳନ । ଏଥିରେ ସାମାଜିକ ନ୍ୟାୟ, ଭିତ୍ତିଭୂମିର ଉନ୍ନତି, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ବଞ୍ଚିତଙ୍କ ପାଇଁ ସାମାଜିକ ନିରାପତ୍ତା, ମହିଳା, ଯୁବ ବର୍ଗ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ସଂଖ୍ୟାଲଘୁ, ଭିନ୍ନକ୍ଷମ, ତଥା ବରିଷ୍ଠ ନାଗରିକ ମାନଙ୍କ ସଶକ୍ତିକରଣ ମାଧ୍ୟମରେ ସାମୁହିକ ତଥା ଦୃଢ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ୍ ଅଟକଳ ମଧ୍ୟରୁ କାର୍ଯ୍ୟକ୍ରମ ବ୍ୟୟ ୧ ଲକ୍ଷ ୫୫ ହଜାର କୋଟି ଟଙ୍କା ଆକଳନ କରାଯାଇଛି ଯାହାକି ୨୦୨୩-୨୪ ଆର୍ôଥକ ବର୍ଷ ତୁଳନାରେ ୨୪ ପ୍ରତିଶତ ଅଧିକ ଅଟେ । ପୁଞ୍ଜି ବ୍ୟୟ ବାବଦକୁ ୫୮ ହଜାର ୧ ଶହ ୯୫ କୋଟି ଟଙ୍କା ଅଟକଳ ହୋଇଛି ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ ର ୬ ଦଶମିକ ୩ ପ୍ରତିଶତ ଅଟେ । ଦେଶର ସମସ୍ତ ପ୍ରମୁଖ ରାଜ୍ୟ ତୁଳନାରେ ଓଡ଼ିଶାର ମୋଟ ବଜେଟରେ ପୁଞ୍ଜି ବ୍ୟୟର ଅନୁପାତ ସର୍ବାଧିକ ଅଟେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ବଜେଟରେ ମଧ୍ୟ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ଖର୍ଛ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା ରାଶିକୁ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରୁ ଓଡିଶା ପ୍ରାୟ ୬ ହଜାର କୋଟି ଟଙ୍କାର ସହାୟତା (୫୦ ବର୍ଷୀୟ ସୁଧ ବିହୀନ ଋଣ) ପାଇବ, ଯାହାକି ଆମେ ଆମର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ଖର୍ଚ୍ଚ କରିପାରିବୁ । ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପୂର୍ବୋଦୟ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଏହି ଯୋଜନାରେ ଓଡିଶାକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ଆମ ରାଜ୍ୟରେ ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ ।

ବିରୋଧୀ ଦଳ ନେତା ଏହି ବଜେଟ୍‌କୁ ଏକ ଜୁମଲା କହିଛନ୍ତି । ଏଠି ମୁଁ ପ୍ରକୃତ କଥା ରଖିବି ଆଉ କ୍ଷୀର ନିର ଅଲଗା ହେବ । ପୂର୍ବ ସରକାର ଥିଲା ଜୁମଲା ସରକାର । ଭୋଟ୍ ବ୍ୟାଙ୍କ ପାଇଁ ଯୋଜନା କରୁଥିଲେ । ଅନେକ ଯୋଜନା ଆରମ୍ଭ ହୋଇ ବନ୍ଦ ହୋଇଯାଉଥିଲା । ତେଣୁ ଲୋକମାନେ ସେ ସରକାରକୁ ବଦଳାଇ ଦେଲେ । ଆମ ସରକାର ଓଡିଆ ଅସ୍ମିତାର ସରକାର । ସମସ୍ତ ଓଡିଆ ବରପୁତ୍ରଙ୍କୁ ଉଚିତ ସମ୍ମାନ ଦେବା ଆମ ସରକାରଙ୍କର ଏକ ପ୍ରାଥମିକତା । ଅନେକ ଓଡ଼ିଆ ବରପୁତ୍ରଙ୍କର ଓଡିଆ ଭାଷା, ଐତିହ୍ୟ, ସଂସ୍କୃତି, ସମାଜ ସେବା, ସ୍ୱାଧୀନତା ସଂଗ୍ରାମ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବିଶେଷ ଅବଦାନ ରହିଅଛି । ତେଣୁ ଏହି ମହାନ ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ସେମାନଙ୍କ ନାମରେ କେତେକ ଯୋଜନା ନାମିତ କରିବା କଣ ଭୁଲ? ଯଦି ଜଣକ ନାଁରେ ସମସ୍ତ ଯୋଜନାକୁ ନାମିତ କରିଦେବା ଓ ବରପୁତ୍ରମାନଙ୍କୁ ଭୁଲି ଯିବା, ତେବେ ତାହା ମଧ୍ୟ ଓଡିଶାର ଅସ୍ମିତା ପ୍ରତି ଆଘାତ ଦେବ ।

ସହିଦ୍ ମାଧୋ ସିଂହ ଙ୍କ ନାଁରେ ଯୋଜନା କରିବା କଣ ଜୁମଲା ? ମାଧୋ ସିଂହଙ୍କୁ କେତେ ଲୋକ ଜାଣିଛନ୍ତି । ଓଡିଶା ପ୍ରତି ତାଙ୍କର ଅବଦାନ କଣ ଅଛି, ତାହା ଜାଣିଛନ୍ତି କି ? ‘ମାଧବ ସିଂହ ବରିହା ବା ମାଧୋ ସିଂହ ଓଡ଼ିଶାର ବରଗଡ଼ ଜିଲ୍ଲାର ଘେଂସ ଅଞ୍ଚଳର ଆଦିବାସୀ ବିଂଝାଲ ଜମିଦାର ଥିଲେ ଏବଂ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସମ୍ବଲପୁର ବିଦ୍ରୋହରେ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ଥିଲେ । ଡିସେମ୍ବର ୧୮୫୭ରେ କ୍ୟାପଟେନ ଉଡ୍ ନାଗପୁରରୁ ସମ୍ବଲପୁର ଅଭିମୁଖେ ବାହାରିଥିଲେ । ମାଧୋ ସିଂହ ବିଦ୍ରୋହୀଙ୍କ ସହ ସିଙ୍ଗୋଡା ଘାଟିରେ ତାଙ୍କ ପ୍ରଗତିକୁ ଅଟକାଇ ଥିଲେ ଏବଂ ଅନେକ ବ୍ରିଟିଶ ସୈନିକଙ୍କୁ ହତ୍ୟା କରିଥିଲେ । ଇଂରେଜ୍ ସେନାପତି କ୍ୟାପ୍େଟନ୍ ଉଡ ପରାସ୍ତ ହୋଇ ପ୍ରାଣବିକଳରେ ପଳାୟନ କରିଥିଲେ । ମାଧୋ ସିଂହ ଅଧିକାଂଶ ସମୟ ଏହି ଘାଟିରେ ରହି ବ୍ରିଟିଶ କବଳରୁ ମୁକ୍ତ ରଖିଥିଲେ । ଇଂରେଜ୍ ପ୍ରଶାସନ ଘେଂସକୁ ପୋଡି ଦେଇଥିଲେ ଓ ମାଧୋ ସିଂହଙ୍କୁ ଗୁପ୍ତଚର ଲଗାଇ ଗିରଫ କରି ବିନା ବିଚାରରେ ୧୮୫୮ରେ ସମ୍ୱଲପୁରରେ ଫାଶିଖୁଣ୍ଟରେ ଝୁଲାଇ ଦେଇଥିଲେ । ତାଙ୍କ ପୁଅମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ନିଜ ଜୀବନକୁ ବଳିଦାନ ଦେଇଥିଲେ । ତାଙ୍କ ନାମରେ ଏକ ଯୋଜନା ପ୍ରଣୟନ କରି ଆମେ ସମସ୍ତେ ଗର୍ବିତ ଅନୁଭବ କରିବା ଉଚିତ । ସେହିପରି ଇଂରାଜୀ ଶବ୍ଦ ବ୍ୟବହାର କରି ନାମିତ ହୋଇଥିବା ଯୋଜନାକୁ ଓଡିଆ ଶବ୍ଦ ଦ୍ୱାରା ନାମିତ କରିବା କଣ ଭୁଲ? ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତ ଓଡିଆ ଜାତିର ପ୍ରାଣ କେନ୍ଦ୍ର ତଥା “ଓଡ଼ିଆ ଅସ୍ମିତା” ଆମର ପରିଚୟ । ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ତଥା ଯାତ୍ରୀ ସୁବିଧା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପାଇଁ ୫ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ତଥା ଓଡ଼ିଆ ଅସ୍ମିତା ପାଇଁ ୨ ଶହ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନିମନ୍ତେ ଏହି ବଜେଟରେ ବ୍ୟବସ୍ଥା କରାଯାଇଛି । ଏତଦ୍‌?ବ୍ୟତୀତ ଘଟଗାଁ ସ୍ଥିତ ମା ତାରିଣୀ ପୀଠର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି । ପୂର୍ବ ସରକାର କଣ ଏହା କରିପାରି ନଥାନ୍ତେ ? ଏହା ନ କରି ସମାଲୋଚନା କରିବା ହେଉଛି ତାଙ୍କର ଅସହିଷ୍ଣୁତା । ଓଡ଼ିଆ ଭାଷା ଏବଂ ସାହିତ୍ୟର ପ୍ରଚାର ପ୍ରସାରକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ବୃତ୍ତି ଯୋଜନାରେ ଅଧିକ ସଂଖ୍ୟକ ହିତାଧିକାରୀଙ୍କୁ ବର୍ଦ୍ଧିତ ପରିମାଣର ରାଶି ଯୋଗାଇ ଦିଆଯିବ ।

ଏହାବ୍ୟତୀତ, ଐତିହ ସମ୍ପନ୍ନ (ହେରିଟେଜ୍‌) ବିଦ୍ୟାଳୟ ବିକାଶ ଯୋଜନା ମାଧ୍ୟମରେ ୧ ଶହ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ବିଦ୍ୟାଳୟଗୁଡିକର ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଓଡିଆ ଭାଷାର ପ୍ରସାର ପାଇଁ ଆଇନ ପାଠ୍ୟକ୍ରମ, ବୈଷୟିକ ବିଦ୍ୟା ଏବଂ ଭେଷଜ ପାଠ୍ୟକ୍ରମଗୁଡିକ ଓଡିଆ ଭାଷାରେ ଶିକ୍ଷାଦାନ କରାଯିବ । ସତ୍ୟବାଦୀଠାରେ ଥିବା ଓଡିଆ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିଭୂମି ବିକାଶ ପାଇଁ ୫୦ କୋଟି ଟଙ୍କା ପ୍ରସ୍ତାବ ରହିଅଛି । ଯଥାର୍ଥ ଉତ୍ତର ଦେବା ମୋର ଧର୍ମ । ମୁଁ କେବଳ ଅର୍ଥ ମନ୍ତ୍ରୀ ନୁହେଁ, ମୁଖ୍ୟମନ୍ତ୍ରୀ ମଧ୍ୟ । ସେଥିରେ ଯଦି ବିରୋଧୀ ଦଳ କକ୍ଷ ତ୍ୟାଗ କରି ଚାଲିଯିବେ, ତେବେ ସେଥିପାଇଁ ମୁଁ ଦୁଃଖିତ । ରାଜ୍ୟରେ ସୁଦୃଢ ସ୍ୱାସ୍ଥ୍ୟସେବା ଭିତ୍ତିଭୁମି ସ୍ଥାପନ କରିବା ସହ ସରକାରୀ ସ୍ତରରେ ସୁଲଭ ମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସାର୍ବଜନୀନ ଉପଲବ୍‌ଧି ସୁନିଶ୍ଚିତ କରାଇବା ନିମନ୍ତେ ଆମ ସରକାର ପ୍ରତିଶୃତିବଦ୍ଧ । ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବାପାଇଁ ସମୁଦାୟ ୨୧ ହଜାର ୨ ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ଏହା ବିଗତ ବର୍ଷର ବଜେଟ ଆକଳନ ତୁଳନାରେ ପ୍ରାୟ ୩୨ ପ୍ରତିଶତ ଅଧିକ ଅଟେ ଓ ସମୁଦାୟ ରାଜ୍ୟ ବଜେଟର ୮ ପ୍ରତିଶତ ଅଟେ ।

ଏହା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟର ଆକାର ପଞ୍ଚଦଶ ଅର୍ଥ ଆୟୋଗ ସୁପାରିଶ ସ୍ତରରେ ପହଞ୍ଚି ପାରିଛି ବଜେଟ୍‌ରେ ଆମେ ଏକ ‘ବିକଶିତ ଓଡ଼ିଶା’ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ପରିବର୍ତ୍ତନ, ବିକାଶ, ସୁଶାସନ ଏବଂ ଓଡ଼ିଆ ଅସ୍ମିତା ଉପରେ ଗୁରୁତ୍ୱ ଦେଇଛୁ । ଏହା ଦ୍ୱାରା ଆମେ ଏକ ‘ବିକଶିତ ଭାରତ’ ଗଠନରେ ପ୍ରମୁଖ ଯୋଗଦାନ କରିବା ସହିତ, ଓଡିଶା ଗଠନର ଶହେ ବର୍ଷ ପୂର୍ତ୍ତୀରେ ‘ବିକଶିତ ଓଡ଼ିଶା’ ଗଠନ ପାଇଁ ଭିଜନ-୨୦୩୬ର ଏକ ସ୍ପଷ୍ଟ ଖସଡ଼ା ପ୍ରସ୍ତୁତି ଦିଗରେ କାର୍ଯ୍ୟ କରୁଛୁ । ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସର୍ବବୃହତ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା । କିନ୍ତୁ ପରିତାପର ବିଷୟ ହେଉଛି ଯେ ଆଜି ପର୍ଯ୍ୟନ୍ତ ଓଡିଶା ବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରି ରଖାଯାଉଥିଲା । ଆମ ସରକାର ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ରାଜ୍ୟର ନିଜସ୍ୱ ଯୋଜନା – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସଂଯୋଜନ ମାଧ୍ୟମରେ ଯୋଗ୍ୟ ପରିବାରମାନଙ୍କୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡ଼ିକରେ ନଗଦ ବିହୀନ (କ୍ୟାଶ ଲେସ) ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାପାଇଁ ବ୍ୟବସ୍ଥା କରାଯାଇଛି ।

ଏହି ପଦକ୍ଷେପ ଦ୍ୱାରା ଓଡ଼ିଶା ବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ପଞ୍ଜୀକୃତ ଦେଶର ସମସ୍ତ ୨୭ ହଜାର ହସପିଟାଲରେ ଚିକିତ୍ସା ସୁବିଧା ମିଳିପାରିବ । ଏଠାରେ ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ଉତ୍କଳମଣି ଗୋପବନ୍ଧୁ ହେଉଛନ୍ତି ସେବା ଓ ବଳିଦାନର ପ୍ରତୀକ । ତେଣୁ ତାଙ୍କ ନାମରେ “ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା” ନାମିତ ହେବାରେ ଆପଣ ମାନେ ପ୍ରଶ୍ନବାଚୀ କରିବା ଉଚିତ ନୁହେଁ । ସରକାରଙ୍କର ଏହି ନାମକରଣକୁ ଅଗଣିତ ଗୋପବନ୍ଧୁ ପ୍ରେମୀ ପ୍ରଶଂସା କରିଛନ୍ତି । କେହି ବିରୋଧ କରିନାହାନ୍ତି । ବିରୋଧୀ ଦଳ କେବଳ ବିରୋଧ କରିବା ବାହାନାରେ ବିରୋଧ କରୁଛନ୍ତି । ସମାଜର ମୁଖ୍ୟ ସଂପାଦକ ଡଃ ପ୍ରଭାସ ଆଚାର୍ଯ୍ୟ କହିଛନ୍ତି ଯେ ଏହାଦ୍ୱାରା ଉତ୍କଳମଣି ଗୋପବନ୍ଧୁଙ୍କୁ ପ୍ରକୃତ ସମ୍ମାନ ଦିଆଯାଇ ପାରିଛି ।

ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବକୁ ଦୂର କରିବା, ରାଜ୍ୟର ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏବଂ ଯୋଗ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଡାକ୍ତର ଓ ଆନୁଷଙ୍ଗିକ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ କରାଯିବ । ମେଡିକାଲ କଲେଜ ଗୁଡିକ ପାଇଁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ର ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବ ଶକ୍ତିର ବ୍ୟାପକ ବିକାଶ ସୁନିଶ୍ଚିତ କରିବା ନିମିତ୍ତ ଶିକ୍ଷା କ୍ଷେତ୍ର ଲାଗି ୨୦୨୪-୨୫ ଆର୍ôଥକ ବର୍ଷରେ ୩୫ ହଜାର ୫ ଶହ ୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନାମକ ଏକ ନୂତନ ଯୋଜନାରେ ୫୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ଗୋଦାବରୀଶ ମିଶ୍ର ହେଉଛନ୍ତି ଓଡିଶାର ଜଣେ ବିଶିଷ୍ଟ ଶିକ୍ଷାବିତ । ସିଏ ଓଡିଶାର ଶିକ୍ଷାମନ୍ତ୍ରୀ ଥିଲେ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ କରି ଥିଲେ । ଏଭଳି ମହାନ ଓଡିଆଙ୍କ ନାମରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନାମିତ ହେବା ତାଙ୍କ ଉଚିତ ସମ୍ମାନ । ଅନୁସୂଚିତ ଜନଜାତି ସ୍କୁଲ ଡ୍ରପ-ଆଉଟ ହାରକୁ ରୋକିବା ପାଇଁ ଆମର ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ “ମାଧୋ ସିଂହ ହାତ ଖର୍ଚ୍ଚ” ନାମକ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରିବୁ । ଆମର ଡ୍ରପ ଆଉଟ ହାର ଆଜି ଦେଶରେ ଶୀର୍ଷ ସ୍ଥାନରେ ଅଛି ।

ଏହି ଯୋଜନାରେ ଅଧିକ ଡ୍ରପ-ଆଉଟ ହେଉଥିବା ଶ୍ରେଣୀରେ ନାମ ଲେଖାଇଥିବା ପ୍ରତ୍ୟେକ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହା ଦ୍ୱାରା ଚଳିତ ବର୍ଷ ପ୍ରାୟ ୩ ଲକ୍ଷ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ଏହାଦ୍ୱାରା ଡ୍ରପ ଆଉଟ ହାର ବହୁ ପରିମାଣରେ କମିଯିବ । ତେଣୁ ବଜେଟ୍ ଆକଳନ ୨୦୨୪-୨୫ ରେ ଏହି ଯୋଜନା ଅଧିନରେ ୧ ଶହ ୫୬ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପ୍ରସ୍ତାବ ରହିଛି । ଏତଦବ୍ୟତୀତ, ବିଦେଶୀ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓ ଡକ୍ଟରେଟ୍ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ “ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି” ଯୋଜନା ମାଧ୍ୟମରେ ପ୍ରତିବର୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ଶତ ପ୍ରତିଶତ ଛାତ୍ରବୃତ୍ତି ପ୍ରଦାନ କରାଯିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ପାଇଁ ୧ ହଜାର ୧ ଶହ ୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଚଗ-ଝଐଜଓ ଓ ଉଚ୍ଚତର ଶିକ୍ଷା ଅଭିଯାନ ଆଦି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ଗୁଡିକୁ ପୂର୍ବ ସରକାର କାର୍ଯ୍ୟକାରୀ କରୁ ନଥିଲେ । ଆମେ ହଜାର ହଜାକ କୋଟି ଟଙ୍କା ହରାଉଥିଲୁ । ତେଣୁ ନୂଆ ସରକାର ଆସିବା ପରେ ଏସବୁ ଯୋଜନାମାନ କାର୍ଯ୍ୟକାରୀ କରାଯାଇ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ ଶିକ୍ଷାର୍ଥୀ ପ୍ରୋତ୍ସାହନ ଯୋଜନା” ମାଧ୍ୟମରେ ଯୋଗ୍ୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ନିମିତ୍ତ ଛାତ୍ରବୃତ୍ତି ପ୍ରଦାନ ପାଇଁ ୭ ଶହ ୧ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ଅଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍‌? ବିତରଣ କରିବା ପାଇଁ “ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ” ଯୋଜନା ଅଧିନରେ ୫୪ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି । ଶିକ୍ଷକମାନେ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ମୂଳସ୍ତମ୍ଭ । ପ୍ରଥମ ପର୍ଯ୍ୟାୟରେ ଖାଲି ପଡିଥିବା ପ୍ରାୟ ୨୦ ହଜାର ଶିକ୍ଷକ ପଦବୀ ଖୁବ ଶୀଘ୍ର ପୂରଣ କରାଯିବ । ଏତତ୍ ବ୍ୟତୀତ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ଖାଲିଥିବା ପଦବୀ ଗୁଡିକ ପୂରଣ କରିବାପାଇଁ ପଦକ୍ଷେପ ନିଆଯିବ । ‘ବିକଶିତ ଓଡ଼ିଶା’ର ପରିକଳ୍ପନାକୁ ସାକାର କରିବାକୁ ଆମେ ‘ସମୃଦ୍ଧ କୃଷକ ଯୋଜନା’ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଛୁ । ତେଣୁ ବଜେଟ୍‌କୁ ଜୁମଲା କହିବା ଠିକ ନୁହେଁ । ନୂଆ ଓଡିଶା ଗଠନର ଆମର ଯେଉଁ ଚିନ୍ତାଧାରା ଅଛି, ୨୦୩୬ରେ ବିକଶିତ ଓଡିଶାର ସ୍ୱପ୍ନ ପୂରଣ ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ସେଥିପାଇଁ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସନ୍ତୁ । ବିକାଶିତ ଭାରତରେ ଓଡିଶା ରହିବ ପ୍ରଥମ ସ୍ଥାନରେ । ଆମ ପାଖରେ ଯେଉଁ ୧୨ ବର୍ଷ ସମୟ ଅଛି, ଏଥିରେ ଏହି ୫ ବର୍ଷରେ ମୂଳଦୁଆ ପଡିବ । ବିକାଶ, ସୁଶାସନ ଓ ଓଡିଆ ଅସ୍ମିତା ଉପରେ ଆମ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛି ତାହା ନିଶ୍ଚୟ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking