ନୂଆଦିଲ୍ଲୀ: ନିକଟରେ ଏକାଡେମିକ୍ ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସସେସ୍ ପକ୍ଷରୁ ଏକ ରିସର୍ଚ୍ଚଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ କରୋନା ସମୟରେ (୨୦୨୦) ଭାରତୀୟଙ୍କ ଜୀବନକାଳ ୨.୬ ବର୍ଷ ଯାଏ ହ୍ରାସ ପାଇଥିବା ଉଲ୍ଲେଖ କରାଯାଇଥିଲା । ତେବେ ଏପ୍ରକାର ରିପୋର୍ଟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଏହା ବାସ୍ତବ ରିପୋର୍ଟ ହୋଇନପାରେ । କାରଣ କରୋନା ସଂକ୍ରମଣ ପରବର୍ତ୍ତୀ ସମୟରେ ଲୋକଙ୍କ ସ୍ୱାସ୍ଥ୍ୟଗତ ସର୍ଭେ ସମୟରେ ଆୟୁ କାଳ ହ୍ରାସ ପାଇବାର କୌଣସି ସୂଚନା ମିଳିନଥିଲା । ସୁତରାଂ ଏ ପ୍ରକାର ରିପୋର୍ଟ ଅସମ୍ଭବ ଏବଂ ଅବିଶ୍ୱାସଯୋଗ୍ୟ ବୋଲି ମନ୍ତ୍ରଣାଳୟ ଦର୍ଶାଇଛି ।
ସୂଚନାଯୋଗ୍ୟ, ସାଇନ୍ସ ଆଡଭାନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ ୨୦୧୯ ରୁ ୨୦୨୦ ମଧ୍ୟରେ ଭାରତ ହାରାହାରି ଆୟୁକାଳ ୨.୬ ବର୍ଷ ପର୍ଯ୍ୟନ୍ତ ହ୍ରାସ ପାଇଛି । ବିଶେଷକରି ମୁସଲମାନ ଏବଂ ଅନୁସୂଚିତ ଜନଜାତି ଭଳି ସାମାଜିକ ଅନଗ୍ରସର ଗୋଷ୍ଠୀ ସର୍ବାଧିକ କ୍ଷତି ସହିଛନ୍ତି । ସେହିପରି ମହିଳାମାନଙ୍କ କ୍ଷେତ୍ରରେ ମଧ୍ୟ ଆୟୁକାଳ ଯଥେଷ୍ଟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏକାଡେମିକ୍ ଜର୍ଣ୍ଣାଲ ସାଇନ୍ସ ଆଡଭାନ୍ସସେସ୍ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ କରୋନା ସମୟରେ ପୁରୁଷଙ୍କ ଆୟୁକାଳ ହାରାହାରି ୨.୧ ବର୍ଷ, ମହିଳାଙ୍କର ୩.୧ ବର୍ଷ ପର୍ଯ୍ୟନ୍ତ ହ୍ରାସ ପାଇଥିବା ଜଣାପଡ଼ିଛି । ସେହିପରି ମୁସଲିମ୍ ଓ ଆଦିବାସୀ ବର୍ଗର ଲୋକଙ୍କ ଆୟୁକାଳ ମଧ୍ୟ ଅନେକାଂଶରେ ହ୍ରାସ ପାଇଛି । ସୁତରାଂ ହାରାହାରି ସବୁବର୍ଗର ହିତାଧିକାରୀଙ୍କ ଆୟୁକାଳକୁ ହିସାବକୁ ନେଲେ ଭାରତୀୟଙ୍କ ଜୀବନ କାଳ ୨.୬ ବର୍ଷ ଯାଏ ହ୍ରାସ ପାଇଥିବା ସ୍ପଷ୍ଟ ହୋଇଛି ବୋଲି ରିପୋର୍ଟ ଦର୍ଶାଇଛି, ଯାହାକୁ ସରକାର ଖଣ୍ଡନ କରିଛନ୍ତି ।
ଅନ୍ୟପକ୍ଷେ ଅଧ୍ୟୟନରେ ଅନେକ ପଦ୍ଧତିଗତ ତ୍ରୁଟି ଉପରେ ଆଲୋକପାତ କରିବା ପୂର୍ବକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ରିପୋର୍ଟରେ ଜାନୁଆରୀରୁ ଏପ୍ରିଲ୍ ୨୦୨୧ ମଧ୍ୟରେ ଚାଲିଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଏନ୍ଏଫ୍ଏଚ୍ଏସ୍-୫ ର ଏକ ଅଣ-ପ୍ରତିନିଧୀ ଉପସେଟ୍ ବ୍ୟବହାର କରି ସମଗ୍ର ଦେଶରେ ମୃତ୍ୟୁ ହାରକୁ ବର୍ଦ୍ଧିତ ଭାବେ ଦର୍ଶାଯାଇଛି । ମନ୍ତ୍ରଣାଳୟ ଯୁକ୍ତି ଦର୍ଶାଇଛି ଯେ କେବଳ ୧୪ ଟି ରାଜ୍ୟରୁ ମାତ୍ର ୨୩% ପରିବାର ଉପରେ ଅଧ୍ୟୟନଜନିତ ସର୍ଭେ ଉପରେ ଏପ୍ରକାର ରିପୋର୍ଟକୁ ପ୍ରକାଶ କରାଯାଇଛି । କିନ୍ତୁ ଏନ୍ଏଫ୍ଏଚ୍ଏସ୍-୫ର ଟୁଲ୍ସ (ନମୁନା) ଏହି ପରିମାଣର ସର୍ଭେଜନିତ ବିଶ୍ଳେଷଣ ଜାତୀୟ ମୃତ୍ୟୁ ଧାରାକୁ ସଠିକ୍ ଭାବରେ ପ୍ରତିଫଳିତ କରିପାରିବ ନାହିଁ ।
କୋଭିଡ -୧୯ ମହାମାରୀର ଶିଖରରେ ତଥ୍ୟ ସଂଗ୍ରହ ହୋଇଥିବାରୁ ସମ୍ଭାବ୍ୟ ଚୟନ ଏବଂ ରିପୋର୍ଟର ପକ୍ଷପାତିତା ପାଇଁ ମନ୍ତ୍ରଣାଳୟ ଏହି ଅଧ୍ୟୟନକୁ ସମାଲୋଚନା କରିଛି । ସରକାରୀ ତଥ୍ୟ ଅନୁଯାୟୀ, ପୁରୁଷ ଏବଂ ବୟସ୍କ ବୟସ ବର୍ଗଙ୍କ ମଧ୍ୟରେ କୋଭିଡ୍ -୧୯ ମୃତ୍ୟୁହାର ଅଧିକ ଥିଲା, ଅଧ୍ୟୟନର ମତ ଅନୁଯାୟୀ ଯୁବ ବ୍ୟକ୍ତି ଏବଂ ମହିଳାମାନେ ଅଧିକ ମୃତ୍ୟୁହାର ଅନୁଭବ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ ଏପ୍ରକାର ରିପୋର୍ଟ ପ୍ରକାଶ କରିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ହୁଏତ ନିଜ ପ୍ରଣାଳୀରେ ଏନେଇ ଯାଞ୍ଚ କରିଥାଇପାରନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏହା ବାସ୍ତବ । ସରକାରଙ୍କର ପକ୍ଷରୁ ମଧ୍ୟ କେତେକ ଟୁଲ୍ସ ଅନ୍ତର୍ଗତ ସର୍ଭେ କରାଯାଇଥିଲା । ଏଥିରୁ କରୋନା କାଳରେ ଦେଶବାସୀଙ୍କ ଜୀବନକାଳ ହ୍ରାସ ପାଇବାର କୌଣସି ପ୍ରମାଣ ମିଳି ନଥିଲା ।









