ପୁରୀ: ପ୍ରତୀକ୍ଷାର ଅନ୍ତ ଘଟାଇ, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ମହାପ୍ରଭୁଙ୍କ ମହଣ ମହଣ ଦୁର୍ମୂଲ୍ୟ ଅଳଙ୍କାର ଥିବା ଏହି ରହସ୍ୟମୟ ଭଣ୍ଡାରଘରକୁ ନେଇ ଉତ୍ସାହ ଓ ଉତ୍କଣ୍ଠା ଲାଗି ରହିଥିବା ବେଳେ, ଅପେକ୍ଷା ରହିଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ଏସ୍ଓପି ଅନୁମୋଦନକୁ । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଚୂଡ଼ାନ୍ତ ଏସ୍ଓପିକୁ ସ୍ୱୀକୃତି ପ୍ରଦାନ କଲେ ରାଜ୍ୟ ସରକାର । ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଗଲା ନିର୍ଦ୍ଧାରିତ ଏସ୍ଓପି । ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ମିଳିବା ପରେ, ଶ୍ରୀମନ୍ଦିର ପ୍ରଶାସନର ଜରୁରୀ ବୈଠକ ଚାଲିଥିବା ସୂଚନା ମିଳିଛି ।
ସେପଟେ ରତ୍ନଭଣ୍ଡାରକୁ ନେଇ ବଡ଼ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ‘ରତ୍ନଭଣ୍ଡାର ଖୋଲିବା ନେଇ ଏସ୍ଓପିକୁ ସରକାର ମଞ୍ଜୁର କରିଛନ୍ତି । କାଲିଠାରୁ ଖୋଲିବା ପ୍ରକ୍ରିୟା ଆରମ୍ଭ, କ୍ରମାଗତ ଭାବେ ଚାଲିବ । କେତେବେଳେ ଖୋଲିବ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି । ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ‘ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଈଓର ସହାୟତା ମଧ୍ୟ ନିଆଯିବ । ରତ୍ନଭଣ୍ଡାର ଖୋଲିବା ସମୟରେ ଜଈଓର ପ୍ରତିନିଧି ଉପସ୍ଥିତ ରହିବେ । ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଆମ ଟିମ୍କୁ ସହାୟତା ଦେବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେହିପରି ସ୍ୱଚ୍ଛତାର ସହ ପ୍ରକ୍ରିୟା ପରିଚାଳନା କରିବା ମୁଖ୍ୟ ପ୍ରଶାସକଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି । ସେହିପରି ରତ୍ନଭଣ୍ଡାର ଗଣତି, ମଣତି ସଂପର୍କରେ ମଧ୍ୟ ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ । ଅଳଙ୍କାର ଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ । ଫଟୋଗ୍ରାଫ କରାଯାଇ ଏକ ଡିଜିଟାଲ କାଟାଲଗ୍ ତିଆରି ହେବ । ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ’ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
– ରତ୍ନଭଣ୍ଡାର ଭିତରକୁ ଶୁଦ୍ଧପୂତ ହୋଇ ଯିବାକୁ ହେବ
– ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କୁ ପ୍ରଥମେ ପୂଜାର୍ଚ୍ଚନା
– ଭଣ୍ଡାର ଭିତରେ ଯାହା ଦେଖିବେ ବାହାରେ ପ୍ରଘଟ ନ କରିବା ପାଇଁ ଶପଥ ନେବେ
– ରତ୍ନଭଣ୍ଡାରର ସମସ୍ତ କମିଟି ସଦସ୍ୟ ସାତ୍ତ୍ୱିକ ଆହାର ଭୋଜନ କରୁଛନ୍ତି
– ସମସ୍ତେ ସେବାୟତଙ୍କ ଭଳି ମଠା ଲୁଗା ଗାମୁଛା ପିନ୍ଧି ଭିତରକୁ ଯିବେ
– ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ସମସ୍ତଙ୍କୁ ଭଲଭାବେ ଯାଞ୍ଚ କରାଯିବ
– ରତ୍ନଭଣ୍ଡାର ଭିତରେ ସାପ ଥିବା କଥା ଜନଶ୍ରୁତି ରହିଛି
– ଏଥିରୁ ରକ୍ଷା ପାଇବା ପାଇଁ ସ୍ନେକ ହେଲପଲାଇନ୍ ସହାୟତା ନିଆଯାଇଛି
– ରତ୍ନଭଣ୍ଡାରରେ ଆଲୋକୀକରଣ ଓ ବାୟୁ ସଞ୍ଚାଳନର ସ୍ୱତନ୍ତ୍ର ବ୍ୟବସ୍ଥା ହେବ
– ରତ୍ନଭଣ୍ଡାର ଯିବାକୁ ଥିବା ଟିମ୍ର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ
– କୌଣସି ଅଘଟଣର ମୁକାବିଲା ପାଇଁ ଡାକ୍ତରୀ ଟିମ୍ ବାହାରେ ଅପେକ୍ଷା କରିବେ
– ମେଟାଲ୍ ଡିଟେକ୍ଟର, ଅକ୍ସିଜେନ୍ ସିଲିଣ୍ଡର ଓ ସର୍ଚ୍ଚ ଲାଇଟ ଆଦି ସରଞ୍ଜାମ ରହିବ
– ଭଣ୍ଡାର ମେକାପ ରତ୍ନଭଣ୍ଡାରର ବିଭିନ୍ନ ଦ୍ୱାର ସମ୍ପର୍କରେ ଅବଗତ ଅଛନ୍ତି
– ତାଲା ନଖୋଲିଲେ ତାକୁ ଭାଙ୍ଗିବା ପାଇଁ ଜଣଙ୍କୁ ସାଙ୍ଗରେ ନିଆଯିବ
– ଶ୍ରୀମନ୍ଦିର ଭିତରେ ଓ ବାହାରେ ଅଧିକ ଫୋର୍ସ ମୁତୟନ ସହ ସୁରକ୍ଷା କଡ଼ାକଡ଼ି ହେବ
– ତଦାରଖ କମିଟିର ୨ ଜଣ, ଜିଲ୍ଲାପାଳ ଓ ତାଲଶ ଭଙ୍ଗା ଟିମ୍ ଭିତରକୁ ଯିବେ
– ଏଏସ୍ଆଇ ଟିମ୍, ଭଣ୍ଡାର ମେକାପ ଓ ତଡ଼ଉ କରଣ ମଧ୍ୟ ଭିତରକୁ ଯିବେ
– ରତ୍ନ ଅଳଙ୍କାର ରଖିବା ପାଇଁ ମନ୍ଦିର ଭିତର ସ୍ଥାନ ଚିହ୍ନଟ କରାଯାଇଛି
– ସମସ୍ତ ପ୍ରକାର ଭିଡିଓଗ୍ରାଫୀ କରାଯିବ
ଗଣତି ସମୟରେ ରିଜର୍ଭବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ମଧ୍ୟ ରହିବେ । ସେହିଭଳି ଭିତର ରତ୍ନଭଣ୍ଡାରକୁ କେଉଁମାନେ ଯିବେ ତାହା ମଧ୍ୟ ଚୂଡ଼ାନ୍ତ ହୋଇଛି। ବିଭିନ୍ନ କମିଟିରେ ମନ୍ଦିର ପରିଚାଳନା ସଦସ୍ୟ, ସେବାୟତ, ଏଏସଆଇ ପ୍ରତିନିଧି, ରିଜର୍ଭ ବ୍ୟାଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏସବୁ କମିଟିର ସୁପରିଚାଳନା ଦାୟିତ୍ୱ ତୁଲାଇବେ ବୋଲି ସେ କହିଛନ୍ତି । ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ, ଗତଥର ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କାର୍ଯ୍ୟ ପାଇଁ ୭୦/୭୨ଦିନ ସମୟ ଲାଗିଥିଲା । କିନ୍ତୁ ଚଳିତଥର ଟେକ୍ନୋଲୋଜିରେ ସୁଧାର ଆସିଛି । ମାତ୍ର ଏହି କାର୍ଯ୍ୟ ପାଇଁ କେତେଦିନ ସମୟ ଲାଗିବ ତାହା କହିବା ଏବେ ସମ୍ଭବପର ନୁହେଁ । ଏହି ମରାମତି ଓ ଗଣତିମଣତି ଯୋଗୁ ମହାପ୍ରଭୁଙ୍କ ଦର୍ଶନ କିମ୍ବା ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି । ତେବେ ରତ୍ନଭଣ୍ଡାର ଖୋଲିବା ଓ ଗଣତିମଣତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ମହାପ୍ରଭୁଙ୍କ ନୀତି ତଥା ଧାର୍ମିକ ଭାବନା ସହ ଜଡ଼ିତ ଥିବାରୁ କିଛି କଥା ଲୁକାୟିତ ରହିବା ଜରୁରୀ ବୋଲି ସେ କହିଛନ୍ତି ।