16.1 C
Bhubaneswar
Thursday, February 5, 2026
Homeଓଡିଶା୭ମ ରାଜ୍ୟ ପୁସ୍ତକ ମହୋତ୍ସବ: ୧୦୦ରୁ ଅଧିକ ବହି କିଣିଲେ ସଂସ୍କୃତି ମନ୍ତ୍ରୀ

୭ମ ରାଜ୍ୟ ପୁସ୍ତକ ମହୋତ୍ସବ: ୧୦୦ରୁ ଅଧିକ ବହି କିଣିଲେ ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଚଳିତ ବର୍ଷ ୫୫୦ଟି ଷ୍ଟଲ ରହିଥିବା ବେଳେ ପୁସ୍ତକ ମହୋତ୍ସବରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଭାଗ ନେଇଛନ୍ତି।ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପୁସ୍ତକ ମହୋତ୍ସବ ପରିଦର୍ଶନରେ ଯାଇ ୧୦୦ରୁ ଅଧିକ ବହି କିଣିଛନ୍ତି। ଏଥିସହ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଷ୍ଟଲ ବୁଲି ଦେଖିଛନ୍ତି।ବିଭିନ୍ନ ଷ୍ଟଲମାନଙ୍କରେ ପ୍ରକାଶକ ଓ ପାଠକ ବନ୍ଧୁମାନଙ୍କ ସହ ବାର୍ତ୍ତାଳାପ କରିବା ସହ ପୁସ୍ତକ ମହୋତ୍ସବରେ ପାଠକମାନଙ୍କ ଅନୁଭୂତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସୂରଜ ପଚାରି ବୁଝିଥିଲେ। ବିଶେଷ ଭାବରେ ପୁସ୍ତକ ମହୋତ୍ସବରେ ଶିଶୁ ପାଠକମାନଙ୍କର ଭିଡ଼କୁ ଦେଖି ମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଶିଶୁ ପାଠକମାନଙ୍କର ଉତ୍ସାହ ବର୍ଦ୍ଧନ କରିଥିଲେ।”ଭୀମଭୋଇ ଗ୍ରନ୍ଥାବଳୀ”, “ସମୁଦ୍ର ସ୍ନାନ”, “ଯନ୍ତ୍ରାରୂଢ଼”, “ଓଡ଼ିଶାର ଇତିହାସ”, “ମନୋଜ ଦାସଙ୍କ କଥା ଓ କାହାଣୀ”, “ଫକୀରମୋହନଙ୍କ ଉପନ୍ୟାସ ଓ ଗଳ୍ପ ସମୂହ”, “ସ୍ରୋତସ୍ଵତୀ” ଆଦି ପୁସ୍ତକ ସହ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ରାଧାନାଥ ରାୟ, ସୁରେନ୍ଦ୍ର ମହାନ୍ତି, ଅଖିଳ ମୋହନ ପଟ୍ଟନାୟକ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ରଚିତ ପୁସ୍ତକ ସମୂହକୁ ମନ୍ତ୍ରୀ ଶ୍ରୀ ସୂରଜ ପୁସ୍ତକ ମହୋତ୍ସବରୁ କିଣିଥିଲେ।

ଏଥିସହ ମନ୍ତ୍ରୀ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର, ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସାହିତ୍ୟ ଅକାଦେମି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ପୁସ୍ତକ ଷ୍ଟଲକୁ ବୁଲି ଦେଖିଥିଲେ। ଓଡ଼ିଶାର ବରପୁତ୍ରମାନଙ୍କ ଜୀବନୀକୁ ଉର୍ଦ୍ଦୁ ଭାଷାରେ ଅନୁବାଦ କରି ପୁସ୍ତକ ପ୍ରକାଶନ କରିବା, ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫରୁ ପ୍ରସ୍ତୁତ ହୋଇଥିବା ଗୀତ, ଛନ୍ଦ, ଚମ୍ପୁ ଆଦିକୁ ଶ୍ରୋତା ଓ ଦର୍ଶକମାନଙ୍କ ପାଇଁ ପେନ୍‌ ଡ୍ରାଇଭରେ ଉପଲବ୍ଧ କରାଇବା, ଓଡ଼ିଆ ଭାଷା ପ୍ରତିଷ୍ଠାନର ପତ୍ରିକା “ଶିଶୁଲେଖା”ରେ ସୁନ୍ଦର ଚିତ୍ର ସମୂହକୁ ସ୍ଥାନିତ କରିବା ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପ୍ରକାଶ ପାଉଥିବା ଗବେଷଣାତ୍ମକ ପୁସ୍ତକକୁ ଲୋକାଭିମୁଖୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସୂରଜ ଉପଦେଶ ଦେଇଥିଲେ।

ପରିଶେଷରେ ଖାଦ୍ୟ ଷ୍ଟଲ ବୁଲିବା ଦେଖିବା, କୋରାପୁଟ କଫି ଷ୍ଟଲରେ କଫି ପିଇବା ସହ ପାଠକମାନଙ୍କ ସହ ବିଭିନ୍ନ ପୁସ୍ତକ ସମ୍ବନ୍ଧରେ ଆଲୋଚନା କରିଥିଲେ। ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ତରଫରୁ ପଡ଼ିଥିବା ଲାଇଭ ସ୍କେଚିଙ୍ଗ ଷ୍ଟଲକୁ ପରିଦର୍ଶନରେ ଯାଇ ମନ୍ତ୍ରୀ ଶ୍ରୀ ସୂରଜ ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ପ୍ରସ୍ତୁତ ହୋଇଥିବା ଚିତ୍ରକଳା ଗୁଡ଼ିକର ପ୍ରଶଂସା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଚିତ୍ରକଳା ବିଭାଗର ଛାତ୍ର ମନ୍ତ୍ରୀଙ୍କ ଲାଇଭ ସ୍କେଚିଙ୍ଗ ଚିତ୍ର ଆଙ୍କି ତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking