ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଡିସେମ୍ବର ୬ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଏହି ପୁସ୍ତକ ମହୋତ୍ସବର ଆୟୋଜନ କରାଯାଉଛି। ପୁସ୍ତକ ମେଳା ସରିବାକୁ ଆଉ ୨ ଦିନ ବାକି ଥିବା ବେଳେ ପ୍ରଦର୍ଶନୀ ପଡ଼ିଆରେ ପାଠକମାନଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳୁଛି। ଆଜି ସୁଦ୍ଧା (ଡିସେମ୍ବର ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ) ପୁସ୍ତକ ମହୋତ୍ସବରେ ପ୍ରାୟ ୫ କୋଟି ଟଙ୍କାର ବ୍ୟବସାୟ ହୋଇଛି। ଏହା ପାଠକମାନଙ୍କର ପୁସ୍ତକ ପ୍ରତି ରହିଥିବା ଭଲ ପାଇବା ଏବଂ ଲେଖକ, ପାଠକ ଓ ପ୍ରକାଶକ ଓ ସର୍ବୋପରି ସାହିତ୍ୟ ଜଗତର ସ୍ୱର୍ଣ୍ଣିମ ଭବିଷ୍ୟତକୁ ସୂଚିତ କରୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିର ଇଣ୍ଟରନେଟ ଓ ଜଗତୀକରଣର ଦୁନିଆରେ ବହିର ଚାହିଦା କମିନି, ବରଂ ବେଶ୍ ବଢିଛି ଏବଂ ଯୁବ ପାଠକ ମାନେ ବହି କିଣିବା ପାଇଁ ପୁସ୍ତକ ମହୋତ୍ସବର ଷ୍ଟଲମାନଙ୍କରେ ଭିଡ଼ ଜମାଉଛନ୍ତି।
ଆଜି ଓଡ଼ିଶା ବିଧାନସଭା ପାଠାଗାର ସବ-କମିଟିର ସଦସ୍ୟମାନେ ପୁସ୍ତକମେଳା ପରିଦର୍ଶନରେ ଆସି ଓଡ଼ିଶା ବିଧାନସଭା ପାଠାଗାର ପାଇଁ ପୁସ୍ତକ ଚୟନ କରିଛନ୍ତି। ବିଧାନସଭା ପାଠାଗାର ସବ-କମିଟିର ଅଧ୍ୟକ୍ଷ ତଥା ବିଧାୟକ କୋରେଇ ଶ୍ରୀ ଆକାଶ ଦାସ ନାୟକ, ସଦସ୍ୟ ବିଧାୟକ ଜୟଦେବ ଶ୍ରୀ ନବ କିଶୋର ମଲ୍ଲିକ, ବିଧାୟକ ପାଟକୁରା ଶ୍ରୀ ଅରବିନ୍ଦ ମହାପାତ୍ର, ବିଧାନସଭାର ଯୁଗ୍ମ ସଚିବ ଶ୍ରୀ ବିଦ୍ୟାଧର ମାଝୀ, ବରିଷ୍ଠ ଗବେଷଣା ଅଧିକାରୀ ଶ୍ରୀ ପ୍ରଦୀପ କୁମାର କୁଲ୍ଲୁ, ଗବେଷଣା ଅଧିକାରୀ ଶ୍ରୀ ଜୟକୃଷ୍ଣ ପ୍ରଧାନ, ଉପନିର୍ଦ୍ଦେଶକ ଶ୍ରୀ ବ୍ୟୋମଜିତ ମହାନ୍ତି, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ବିଷ୍ଣୁପ୍ରିୟା ମଲ୍ଲିକ ପ୍ରମୁଖ ପୁସ୍ତକ ମହୋତ୍ସବରେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ଓଡ଼ିଶା ବିଧାନସଭା ପାଠାଗାର ପାଇଁ ପୁସ୍ତକ ଚୟନ କରିଥିଲେ। ବିଶେଷ ଭାବରେ ଓଡ଼ିଶାର ବରପୁତ୍ର ଓ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକକୁ ଚୟନ କରାଯାଇଛି ଏବଂ ଏହାକୁ ବିଧାନସଭା ପାଠାଗାରରେ ସ୍ଥାନିତ କରାଯିବ। ବିଧାନସଭା ପାଠାଗାର ସବ-କମିଟିର ସଦସ୍ୟମାନଙ୍କ ଦ୍ୱାରା ଚୟନୀତ ହୋଇଥିବା ସମସ୍ତ ପୁସ୍ତକଗୁଡ଼ିକର ସର୍ବମୋଟ ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି।
ଚଳିତ ବର୍ଷର ପୁସ୍ତକ ମହୋତ୍ସବରେ ମହାବିଦ୍ୟାଳୟ ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକାଡ଼େମିକ ପାଠ୍ୟ ପୁସ୍ତକ କିଣିବା ପାଇଁ ଷ୍ଟଲରେ ଭିଡ଼ ଜମାଉଛନ୍ତି। ବିଶେଷ ଭାବରେ ଓଡ଼ିଆ ଅଧ୍ୟୟନ ଏବଂ ଗବେଷଣା ସଂସ୍ଥାର ଷ୍ଟଲରେ ଡ଼ିପ୍ଲୋମା ଏବଂ ବିଟେକ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଲିଖିତ ଡିପ୍ଲୋମା, +୨ ବିଜ୍ଞାନ ଏବଂ ବିଟେକ ପାଠ୍ୟକ୍ରମର ପୁସ୍ତକ କିଣୁଛନ୍ତି। ଓଡ଼ିଆ ଅଧ୍ୟୟନ ଏବଂ ଗବେଷଣା ସଂସ୍ଥା ପକ୍ଷରୁ ଡିପ୍ଲୋମା, +୨ ବିଜ୍ଞାନ ଏବଂ ବିଟେକ ପାଠ୍ୟକ୍ରମର ପୁସ୍ତକ ଓଡ଼ିଆ ଭାଷାରେ ପ୍ରକାଶିତ ହେଉଛି। ଜାତୀୟ ଶିକ୍ଷା ନୀତି-୨୦୨୦ ମାତୃଭାଷାରେ ଶିକ୍ଷାଦାନ ପଦ୍ଧତି ଉପରେ ଗୁରୁତ୍ୱାରୋପ କରୁଛି। ମାତୃଭାଷାରେ ପାଠ ପଢ଼ିଲେ ଛାତ୍ରଛାତ୍ରୀମାନେ ବିଷୟବସ୍ତୁକୁ ସହଜରେ ବୁଝିପାରିବେ ଏବଂ ମେଡ଼ିକାଲ ଓ ଇଂଜିନିୟରିଙ୍ଗ ପାଠ୍ୟକ୍ରମ ପାଇଁ ଆୟୋଜିତ ହେଉଥିବା ପ୍ରତିଯୋଗିତା ମୂଳକ ପ୍ରବେଶିକା ପରୀକ୍ଷାରେ ଓଡ଼ିଆରେ ନିଜର ଉତ୍ତର ଦେଇପାରିବେ ବୋଲି ପ୍ରକାଶକ ମତପ୍ରକାଶ କରିଛନ୍ତି।
ଅପରପକ୍ଷରେ ଚଳିତ ଥର ଅନୁବାଦ ସାହିତ୍ୟ ପ୍ରତି ପାଠକମାନଙ୍କର ରୁଚି ବେଶ୍ ବଢ଼ିଛି। ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ ଷ୍ଟଲରେ ପାଠକଙ୍କ ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ଆଞ୍ଚଳିକ ଓ ବିଦେଶୀ ଭାଷାରେ ଲିଖିତ ପୁସ୍ତକର ଓଡ଼ିଆ ଅନୁବାଦକୁ ପାଠକମାନେ ବେଶ୍ ପସନ୍ଦ କରୁଛନ୍ତି। ଅନୁବାଦ ସାହିତ୍ୟ ପରିଷଦ ଟ୍ରଷ୍ଟ ପକ୍ଷରୁ ଏଯାବତ୍ ୧୦୦ରୁ ଉର୍ଦ୍ଧ୍ୱ ପୁସ୍ତକକୁ ଅନୁଦିତ କରାଯାଇଛି ବୋଲି ପ୍ରକାଶକ ନିଜର ମତ ରଖିଛନ୍ତି। ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷର ପୁସ୍ତକ ମହୋତ୍ସବରେ ୫୫୦ଟି ଷ୍ଟଲ ନିର୍ମାଣ ହେବା ସହ ୨୦୦ରୁ ଉର୍ଦ୍ଧ୍ୱ ପ୍ରକାଶକ ଓ ପୁସ୍ତକ ବିକ୍ରେତା ପୁସ୍ତକ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ପାଠକମାନେ ବହି କିଣିବା ସହ କୋରାପୁଟ କଫିର ମଜା ନେଉଛନ୍ତି ଓ ଫୁଡ଼ ଷ୍ଟଲରେ ମିଲେଟ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ଖାଦ୍ୟକୁ ବେଶ୍ ପସନ୍ଦ କରୁଛନ୍ତି।










