ଭୁବନେଶ୍ୱର: ଅତିରିକ୍ତ ତହସିଲଦାରଙ୍କ ଘରେ ପୁଳା ପୁଳା ସମ୍ପତ୍ତି । ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରୁ ୭୫ ଲକ୍ଷ ଜବତ କରାଯାଇଛି । ଭୁବନେଶ୍ୱର ବରଗଡ ବ୍ରିଟ୍ କଲୋନୀ ସ୍ଥିତ ଶାଶୁଙ୍କ ଘରୁ ୭୫ ଲକ୍ଷ ଜବତ କରାଯାଇଛି । ୩ଟି ସୁଉଚ୍ଚ କୋଠା, ଗୋଟିଏ ଫ୍ଲାଟ ଓ ୪ଟି ଦାମୀ ଫ୍ଲଟ୍ ପାଇଲା ଭିଜିଲାନ୍ସ । ଭୁବନେଶ୍ୱର ବଡଗଡର ଗୋପାଳୁଣି ନଗରରେ ୩ ମହଲା କୋଠା ରହିଛି । ବଡଗଡ ବ୍ରିଟ୍ କଲୋନୀରେ ୩ ମହଲା କୋଠା ଓ ଉତ୍ତରାରେ ୨ ବିଏଚକେ ଫ୍ଲାଟ ରହିଛି । ଖୋର୍ଦ୍ଧାର ସାନପଲ୍ଲାଠାରେ ୨ ମହଲା କୋଠା ମଧ୍ୟ ରହିଛି । ଭୁବନେଶ୍ୱରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ଦାମୀ ପ୍ଲଟ୍ ଠାବ କରାଯାଇଛି । ୧୦୦ ଗ୍ରାମ୍ ସୁନା, ଗୋଟିଏ ଦାମୀ କାର୍ ସମେତ ୪ଟି ବାଇକ୍ ଠାବ କରିଛି ଭିଜିଲାନ୍ସ । ଏକାଧିକ ବ୍ୟାଙ୍କ ଖାତା ଓ ପୋଷ୍ଟାଲ୍ ଜମାର ତଦନ୍ତ ଜାରି ରହିଛି । ୧୯୯୫ରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ ମାସିକ ୨ ହଜାରରେ ଚାକିରି ଆରମ୍ଭ କରିଥିଲେ ଜିତେନ୍ଦ୍ର ପଣ୍ଡା ।
ସୂଚନାଯୋଗ୍ୟ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଭିଜିଲାନ୍ସ ଜିତେନ୍ଦ୍ରଙ୍କ ଚାରୋଟି ସ୍ଥାନରେ ଚଢାଉ କରିଛି । ଭିଜିଲାନ୍ସ ବିଭାଗ ଦ୍ୱାରା ଏକ ମାମଲା ପଞ୍ଜିକରଣ ପରେ ତଲାସୀ ଆରମ୍ଭ କରାଯାଇଥିଲା। ଭୁବନେଶ୍ୱରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ତଲାସୀ ୱାରେଣ୍ଟ ଆଧାରରେ ଏହି ଅଭିଯାନ ଚାଲିଛି। ଚାରି ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସପି)ଙ୍କ ନେତୃତ୍ୱରେ ଏକ ବହୁ-ସଦସ୍ୟ ବିଶିଷ୍ଟ ଭିଜିଲାନ୍ସ ଦଳକୁ ତଲାସ ପାଇଁ ନିୟୋଜିତ କରାଯାଇଛି। ଏହି ଦଳରେ ସାତ ଜଣ ଇନ୍ସପେକ୍ଟର, ଜଣେ ସବ-ଇନ୍ସପେକ୍ଟର, ଆଠ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅଛନ୍ତି। ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି।










