ସିରିଆ: ଦେଶ ଛାଡି ଚାଲିଯାଇଛନ୍ତି ରାଷ୍ଟ୍ରପତି ବଶର ଅଲ-ଅସଦ । ଏହାପରେ ବିଦ୍ରୋହୀ ଗୋଷ୍ଠୀ ସିରିଆର ବିଭିନ୍ନ ସ୍ଥାନ ସହିତ କୁଖ୍ୟାତ ସେଡନାୟା ଜେଲ୍ ଉପରେ କରିଛନ୍ତି କବ୍ଜା । ଜେଲ୍ର ହଜାର ହଜାର କଏଦୀଙ୍କୁ କରିଛନ୍ତି ମୁକ୍ତି । ଜେଲ୍ ଭିତରର ଚିତ୍ର ଏବଂ କଏଦୀଙ୍କ କଥା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଅସଦଙ୍କ ବିରୋଧରେ ସ୍ବର ଉଠାଉଥିବା ଲୋକଙ୍କୁ ପଠାଯାଉଥିଲା କୁଖ୍ୟାତ ସେଡନାୟା ଜେଲ୍କୁ । ସେଠାରେ ଲୋକଙ୍କୁ ପଶୁହତ୍ୟା କାରଖାନାରେ ରଖାଯାଉଥିଲା । ଆଉ ୭୨ରୁ ଅଧିକ ପ୍ରକାରର ଦଣ୍ଡ ଲୋକଙ୍କୁ ଦିଆଯାଉଥିଲା । ଜେଲରେ ୧.୫୭ ଲକ୍ଷରୁ ଅଧିକ ଲୋକଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି । ସେମାନଙ୍କ ମଧ୍ୟରେ ୫ ହଜାର ୨୭୪ ଜଣ ଶିଶୁ ଏବଂ ୧୦ ହଜାର ୨୨୧ ମହିଳା ରହିଥିଲେ । ଜେଲ୍ରେ ଗୋଟିଏ ଛୋଟ କୋଠରୀରେ ୨୫ ଲୋକଙ୍କୁ ରଖାଯାଏ । ଜେଲରେ ସମସ୍ତେ ପୁରା ଚୁପ ରହିଥାନ୍ତି । କଏଦୀଙ୍କୁ କିଛି କହିବାକୁ ଅନୁମତି ନଥାଏ । ସେଥିପାଇଁ ସେମାନେ କାନ୍ଥରେ ସନ୍ଦେଶ ଲେଖିଥାନ୍ତି । ଜେଲ୍ର ଗୋଟିଏ ଭାଗରେ ରହିଛି ବିଶାଳକାୟ ଆଇରନ୍ ପ୍ରେସ୍ । ଲୋକଙ୍କୁ ଚାପି ମାରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ଜେଲ୍ ପ୍ରଶାସନ ଦ୍ବାରା କଏଦୀଙ୍କୁ ୭୨ ପ୍ରକାରର ନିର୍ଯ୍ୟାତନା ଦିଆଯାଇଥାଏ । ଏଥିରେ ଯୌନାଙ୍ଗରେ କରେଣ୍ଟ ଦେବା, କଏଦୀଙ୍କୁ ରଡ, ବନ୍ଧୁକ କିମ୍ବା ଜ୍ୱଳନଶୀଳ କୀଟନାଶକ ସହିତ ଜାଳିବା ପରି ଦଣ୍ଡ ଦିଆଯାଏ । ଏହାବ୍ୟତୀତ କାନ୍ଥ ଓ ଜେଲ୍ର କବାଟରେ କଏଦୀଙ୍କ ମୁଣ୍ଡ ରଖି ଚାପିଦେବା, ଶରୀରରେ ଛୁଞ୍ଚି କିମ୍ବା ପିନ ଫୋଡିବା ପରି ଭୟାନକ ଦଣ୍ଡ ଦେଇଥାନ୍ତି ଅସଦଙ୍କ ବିଶ୍ବସ୍ତ ଜେଲ୍ କର୍ମଚାରୀ ।