20.1 C
Bhubaneswar
Tuesday, December 16, 2025
Homeଓଡିଶାବେଦାନ୍ତକୁ ଛାଟ ୭୧ କୋଟି ତଣ୍ଡ ଗଣିବ

ବେଦାନ୍ତକୁ ଛାଟ ୭୧ କୋଟି ତଣ୍ଡ ଗଣିବ

ସମ୍ବଲପୁର : ମନଇଚ୍ଛା ପାଉଁଶ ଡମ୍ପିଂ ଘଟଣାରେ ବେଦାନ୍ତକୁ ଛାଟ । ୭୧.୧୬ କୋଟି ଟଙ୍କାର ତଣ୍ଡ ଗଣିବ ବେଦାନ୍ତ । ବିଗତ କିଛି ମାସ ହେଲା ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ମନଇଚ୍ଛା ପାଉଁଶ ଡମ୍ପିଂ କରିଆସୁଛି। ଏହି ଘଟଣାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଠୋର ଆଭିମୁଖ୍ୟ ପୋଷଣ କରିବା ସହିତ ଝାରସୁଗୁଡ଼ା ଭୁର୍କାମୁଣ୍ଡା ସ୍ଥିତ ବେଦାନ୍ତ ଆଲୁମିନିୟମକୁ ପରିବେଶ କ୍ଷତିପୂରଣ ବାବଦରେ ୭୧.୧୬ କୋଟି ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି।  କେବଳ ସେତିକି ନୁହେଁ, ବେଆଇନ୍‌ ପାଉଁଶ ଡମ୍ପିଂ ଯୋଗୁ କାହିଁକି ବେଦାନ୍ତର କନ୍‌ସେଣ୍ଟ ଟୁ ଅପରେଟ୍‌ ଅନୁମତି ପ୍ରତ୍ୟାହାର କରା ନ ଯିବ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ; ସେ ନେଇ ବୋର୍ଡ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଏଥିସହିତ ବର୍ଜ୍ୟ ପରିଚାଳନା ପାଇଁ ଏକ ବିସ୍ତୃତ ଆକ୍ସନ ପ୍ଲାନ୍‌ ମଧ୍ୟ ୧୫ ଦିନ ମଧ୍ୟରେ ଦାଖଲ କରିବାକୁ ବୋର୍ଡ ନିର୍ଦ୍ଦେଶ ଦେଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଉତ୍ତର ନ ଆସେ କିମ୍ବା ଉତ୍ତର ସନ୍ତୋଷଜନକ ନହୁଏ; ତେବେ ବିନା କୌଣସି ସୁଯୋଗରେ ବେଦାନ୍ତ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ ଉକ୍ତ ଚିଠିରେ ଦର୍ଶାଇଛି।
ବେଦାନ୍ତର ପାଉଁଶ ଡମ୍ପିଂ ବିରୋଧରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା, ଝାରସୁଗୁଡ଼ା ଓ ସମ୍ବଲପୁରରୁ ଏକାଧିକ ଅଭିଯୋଗ ରାଜ୍ୟ ବୋର୍ଡ ନିକଟକୁ ଯାଇଥିଲା। ଏହାଛଡ଼ା ସମ୍ପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ମଧ୍ୟ ଅଭିଯୋଗ ଆସିଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ୨୦୨୧ ମସିହାରେ ଜାରି ହୋଇଥିବା ଫ୍ଲାଏ ଆସ୍‌ ସମ୍ପର୍କିତ ବିଜ୍ଞପ୍ତିରେ ଏଭଳି ଘଟଣାରେ ପ୍ରତି ଟନ୍‌ ପାଉଁଶ ପିଛା ୧ ହଜାର ଟଙ୍କା ଲେଖା ପରିବେଶ କ୍ଷତିପୂରଣ ପାଇଁ ଜରିମାନା ଲାଗୁ କରିବାର ନିୟମ ରହିଛି। ତେବେ ବେଦାନ୍ତ ଏହି ୩ ଜିଲ୍ଲାରେ ୭ ଲକ୍ଷ ୧୧ ହଜାର ୬୫୩ ଟନ୍‌ ପାଉଁଶ ଡମ୍ପିଂ କରିଥିବାର ଆକଳନ କରାଯାଇଛି। ଯେଉଁଥିରେ ଝାରସୁଗୁଡ଼ା ଜିଲ୍ଲାର ଟାଉନ୍‌ ୟୁନିଟ୍‌-୫, ଏଚ୍‌.କଟାପାଲି, ଖେରୁଆଳ, ପଣ୍ଡ୍ରିପଥର ଭଳି ୮ଟି ଅଞ୍ଚଳରେ ୨ ଲକ୍ଷ ୩୯ ହଜାର ୮୧୪.୩୨ ଟନ୍‌, ସମ୍ବଲପୁର ଆଞ୍ଚଳିକ ପରିବେଶ କାର୍ଯ୍ୟାଳୟ ଅନ୍ତର୍ଗତ ବରଗଡ଼ ଜିଲ୍ଲା ଭେଡେନ୍‌, ଦେବାହାଲ, ସମ୍ବଲପୁର ଜିଲ୍ଲା ବାବୁବନ୍ଧ, ହାତିବାରୀ, ପରଧିଆପାଲି, ‌ଯୋଗୀପାଲି, କୁସୁମଡିହି, ମାନେଶ୍ବର, ଗୋବିନ୍ଦପୁର ଓ ଖୁଲିଆରେ ୧ ଲକ୍ଷ ୩୧ ହଜାର ୧୪୭ ଟନ୍‌, ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଢେଲୁଆ, ବରଗାଁର ୧୦ଟି ସାଇଟ୍‌ ଓ ବାଲିଶଙ୍କରାର ଘୋଘରରେ ୩ ଲକ୍ଷ ୪୦ ହଜାର ୬୯୨ ଟନ୍‌ ପାଉଁଶ ପକାଯାଇଛି। ଏହି ଆକଳନ ଅନୁସାରେ ବେଦାନ୍ତକୁ ୭୧ କୋଟି ୧୬ ଲକ୍ଷ ୫୩ ହଜାର ୩୨୦ ଟଙ୍କାର ପରିବେଶ କ୍ଷତିପୂରଣ ଜରିମାନା ଦେବାକୁ ହେବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି। ଏ ସଂପର୍କରେ ବେଦାନ୍ତର ଜନସମ୍ପର୍କ ବିଭାଗକୁ ଯୋଗାଯୋଗ କରାଯିବାରୁ ଆସନ୍ତାକାଲି ଲିଗାଲ୍‌ ବିଭାଗ ସହିତ ଆଲୋଚନା ପରେ ପ୍ରତିକ୍ରିୟା ପ୍ରଦାନ କରାଯିବ ବୋଲି କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking