35.1 C
Bhubaneswar
Thursday, March 26, 2026
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ୭୫ ଲକ୍ଷ ଗଛ ଲଗାଯିବ

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ୭୫ ଲକ୍ଷ ଗଛ ଲଗାଯିବ

ଭୁବନେଶ୍ୱର: ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ, ସେହି ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗାଯାଉଛି। ଓଡିଶାବାସୀଙ୍କ ପକ୍ଷରୁ ଏହା ହେବ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ସଶ୍ରଦ୍ଧ ଉପହାର। ଜନପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ, ଛାତ୍ରଛାତ୍ରୀ, ମହିଳା ଓ ଯୁବବର୍ଗ ସମସ୍ତେ ଏଥିରେ ସାମିଲ ହୁଅନ୍ତୁ । ସାଧାରଣ ଜନତାଙ୍କ ସଂପୂର୍ଣ୍ଣ ଭାଗିଦାରୀରେ ଏହି ବୃହତ ଲକ୍ଷ୍ୟ ପୂରଣ ହେବ । ଆଜି ଲୋକସେବା ଭବନରେ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଜିଲ୍ଲାପାଳ ମାନଙ୍କ ସହିତ ୭୫ ଲକ୍ଷ ଗଛ ଲଗାଯିବା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରସ୍ତୁତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଜିଲ୍ଲାପାଳମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହ ଯୋଗାଯୋଗ କରିବା ସହିତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବେ ମନିଟରିଂ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତେ ଗଛ ଲଗାଇ ସେଲ୍‌ଫି ଉଠାନ୍ତୁ ଏବଂ ମେରି ଲାଇଫ ପୋର୍ଟାଲ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଅପ୍‌ଲୋଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାଞ୍ଚଦଶକର ରାଜନୈତିକ ଜୀବନ ସମଗ୍ର ଦେଶକୁ ପ୍ରଭାବିତ କରିଛି । ଏକ ସଶକ୍ତ, ଆତ୍ମନିର୍ଭର ଓ ବିକଶିତ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ। ତାଙ୍କ ଜୀବନ ଆଗାମୀ ଅନେକ ପିଢି ପାଇଁ ଏକ ପ୍ରେରଣା । ଓଡିଶା ପାଇଁ ତାଙ୍କ ସ୍ବତନ୍ତ୍ର ଧ୍ୟାନ ରାଜ୍ୟର ବିକାଶଧାରାକୁ ତ୍ବରାନ୍ବିତ କରିଛି ବୋଲି ସେ କହିଥିଲେ ।

ବିକାଶ ସହିତ ପରିବେଶର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଗତ ବର୍ଷ ଠାରୁ ‘ଏକ୍‌ ପେଡ୍‌ ମା କେ ନାମ୍‌’ ଅଭିଯାନ ଆରମ୍ଭ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ବର୍ଷ ଓଡିଶା ଏହି କାର୍ଯ୍ୟକ୍ରମରେ ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଚଳିତ ବର୍ଷ ଏହି ଅଭିଯାନର ଦ୍ବିତୀୟ ସଂସ୍କରଣରେ ଓଡିଶାରେ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଥିବା ବେଳେ, ଆଜି ସୁଦ୍ଧା ୪.୬୫ କୋଟି ଗଛ ଲଗାଯାଇ ସାରିଛି ବୋଲି ସେ କହିଥିଲେ। ତେବେ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗାଇବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକତା ରହିଛି । ତେଣୁ ଏଥିରେ ସମସ୍ତ ବିଭାଗ ଏବଂ ସମସ୍ତ ବର୍ଗର ଲୋକ ସାମିଲ ହେବା ଆବଶ୍ୟକ ବୋଲି ସେ କହିଥିଲେ । ପରିବେଶ ଅନୁକୂଳ, ସ୍ଥାନୀୟ ବୃକ୍ଷ, ଫଳ ଓ ଫୁଲ ଗଛ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ ୭୫ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ନିଶ୍ଚିତ ପୂରଣ ହେବ। ତେବେ ଗଛ ଗୁଡିକ ଯେପରି ବଞ୍ଚି ରହିବ, ସେଥିପାଇଁ ଏହାର ନିୟମିତ ମନିଟରିଂ ଆବଶ୍ୟକ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସେପ୍ଟେମ୍ବର ୧୭ ତାରିଖ ଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଚାରା ରୋପଣ କରାଯିବ। ଇଲେକସନ୍‌ ମୋଡରେ ଏହି କାର୍ଯ୍ୟକ୍ରମ ମନିଟରିଂ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଜଙ୍ଗଲ ବିଭାଗ ୧୫ ଲକ୍ଷ, ପଞ୍ଚାୟତିରାଜ ବିଭାଗ ୩୪ ଲକ୍ଷ, ଶିଳ୍ପ ବିଭାଗ ୧୫ ଲକ୍ଷ, କୃଷି ବିଭାଗ ୨୩ ଲକ୍ଷ, ସେଣ୍ଟ୍ରାଲ ଆର୍ମ୍‌ଡ ପୋଲିସ ଫୋର୍ସେସ ୨.୨ ଲକ୍ଷ, ରାଜ୍ୟ ପୋଲିସ ୩ ଲକ୍ଷ ଓ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାନେ ୨ ଲକ୍ଷ ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି । ତେଣୁ ଏହି କାର୍ଯ୍ୟକ୍ରମରେ ୭୫ ଲକ୍ଷରୁ ଯଥେଷ୍ଟ ଅଧିକ ଗଛ ଲାଗିବାର ସମ୍ଭାବନା ରହିଛି ବୋଲି ବୈଠକରୁ ଜଣାଯାଇଛି ।

ଏହି କାର୍ଯ୍ୟକ୍ରମରେ ଦୁଇ ଲକ୍ଷ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ୧୫ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ, ୭୬ ହଜାର ଅଙ୍ଗନବାଡୀ କର୍ମୀ, ୧୭ ହଜାର ଆଶାକର୍ମୀ, ୧୦ ହଜାର ଇକୋ କ୍ଲବ୍‌, ୧୭,୫୦୦ ବନ ସଂରକ୍ଷଣ ସମିତି, ଏକ ଲକ୍ଷ NSS ସ୍ବଚ୍ଛାସେବୀ, ୧୬,୫୦୦ ମାଇଁ ଭାରତ ଭଲ୍ୟୁଣ୍ଟିଅରସ୍‌ଙ୍କ ସହିତ ହଜାର ହଜାର ସ୍ବୟଂ ସହାୟିକା ଗୋଷ୍ଠୀ, ସରକାରୀ ଉଦ୍ୟୋଗ, ଶିଳ୍ପ ସଂସ୍ଥା, ଏବଂ ଅନ୍ୟାନ୍ୟ ବେସରକାରୀ ସଂସ୍ଥା – ସମସ୍ତେ ସାମିଲ ହେବା ପାଇଁ ସଂପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ମେରି ଲାଇଫ ପୋର୍ଟାଲରେ ଓଡିଶାର ଏକ ଦିବସୀୟ ଚାରା ରୋପଣ କାର୍ଯ୍ୟକ୍ରମକୁ ସ୍ବତନ୍ତ୍ର ଭାବେ ସ୍ଥାନୀତ କରାଯାଇଛି। (Single Day Plantation Odisha included in Meri Life Portal). ସମସ୍ତ ଅଂଶଗ୍ରହଣକାରୀଙ୍କୁ ମେରି ଲାଇଫ ପୋର୍ଟାଲରେ ସାର୍ଟିଫିକେଟ ପ୍ରଦାନ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ବିଭିନ୍ନ ଟିଭି ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏହି ବୈଠକରେ ସୂଚନା ଓ ଲୋକସଂପର୍କ ତଥା ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking