25.1 C
Bhubaneswar
Friday, February 20, 2026
Homeଓଡିଶାସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି

ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି

କୃଷକଙ୍କ ଆୟ ବୃଦ୍ଧିକୁ ସୁନିଶ୍ଚିତ କରି ସେମାନଙ୍କୁ ଅର୍ଥନୈତିକ ମୁଖ୍ୟସ୍ରୋତରେ ଦୃଢ଼ ଭାବରେ ସାମିଲ କରିବା ପାଇଁ ଏକ ନିର୍ଣ୍ଣାୟକ ଏବଂ ଐତିହାସିକ ପଦକ୍ଷେପ ସ୍ୱରୂପ, ରାଜ୍ୟ ସରକାର ‘ସମୃଦ୍ଧ କୃଷକ’ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ଅଧୀନରେ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟରେ ଧାନ କ୍ରୟର ସୁବିଧା ଯୋଗାଇ ଦିଆଯାଉଛି। ଆର୍ôଥକ ବର୍ଷ ୨୦୨୬-୨୭ ପାଇଁ ବଜେଟରେ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କୁ ଫୋକସ୍ କରିଛନ୍ତି। ୩ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍‌ରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଇଛି। ସମୃଦ୍ଧ କୃଷକ ଯୋଜନା ପାଇଁ ୬,୦୮୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହାଛଡ଼ା ଚାଷୀମାନଙ୍କୁ ସମୟୋଚିତ ପୈଠ ଏବଂ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ସରକାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ ୫ ହଜାର କୋଟି ଟଙ୍କାର ଏକ ଆବର୍ତ୍ତନ ପାଣ୍ଠି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଚାଷୀମାନଙ୍କ ଆର୍ôଥକ ସଶକ୍ତୀକରଣ ପାଇଁ ବ୍ୟାପକ ସହାୟତା ରାଶିର ବଜେଟରେ ବ୍ୟବସ୍ଥା ହୋଇଛି। କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଚଳିତ ବଜେଟରେ ପୁଷ୍ଟିଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ରାଜ୍ୟର ପ୍ରତ୍ୟେକ କୃଷକ ପରିବାରକୁ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ସିଏମ୍ କିଷାନ ଯୋଜନା ପାଇଁ ୨୦,୨୩୦ କୋଟି
ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଚାଷୀ, ଜମି ମାଲିକ, ଭୂମିହୀନ ପରିବାର ଏବଂ ବିଶେଷ ଭାବେ ସମ୍ବେଦନଶୀଳ ଜନଜାତିଙ୍କ ପାଖରେ ଅତିରିକ୍ତ ସହାୟତା ପହଞ୍ଚାଇ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ-କିଷାନ ଯୋଜନାକୁ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନା ଜରିଆରେ କାର୍ଯ୍ୟକାରୀ କରି ଆସୁଛନ୍ତି। ୨୦୨୫-୨୬ ବର୍ଷରେ ୩ ହଜାର ୨ଶହ ୩୬ ଜଣ ପି.ଭି.ଟି.ଜି ଚାଷୀ, ୩୧ହଜାର ୬ ଶହ ୯୫ ଜଣ ସହରାଞ୍ଚଳ ଚାଷୀ ଏବଂ ୩୯ ହଜାର ୨ଶହ ୩୯ଜଣ ଭୂମିହୀନ କୃଷି ପରିବାର ସମେତ ୫୧ ଲକ୍ଷ ୫୬ ହଜାର କୃଷକଙ୍କ ନିକଟରେ ଏହି ସହାୟତା ପହଞ୍ôଚପାରିଛି। ଏହି ପ୍ରମୁଖ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୨ହଜାର ୩୦ କୋଟି ଟଙ୍କାର ପ୍ରସ୍ତାବ ରହିଛି।

‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୪୦୦ କୋଟି
ମାଣ୍ଡିଆ ଭଳି ଜଳବାୟୁ ସହନଶୀଳ ଏବଂ ପୁଷ୍ଟିକର ଶସ୍ୟକୁ ପୁନର୍ଜୀବିତ କରି ପୁଷ୍ଟିକର ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ‘ଶ୍ରୀ ଅନ୍ନ ଅଭିଯାନ’ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୪ଶହ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ଆଧୁନିକ ଗୋଦାମ ନିର୍ମାଣ ପ୍ରସ୍ତାବ
-କ୍ଷମତା ୧୧ ଲକ୍ଷ ମେଟ୍ରିକ୍ ଟନ୍‌
ସାର୍ବଜନୀନ ବଣ୍ଟନ ବ୍ୟବସ୍ଥାରେ କ୍ଷତି ହ୍ରାସ କରିବା ଏବଂ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବୈଜ୍ଞାନିକ ଭଣ୍ଡାରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦୃଷ୍ଟିକୋଣରୁ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ବ୍ୟାପକ ବିଶ୍ଳେଷଣକୁ ଆଧାର କରି ରାଜ୍ୟରେ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ୍ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି।

ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ
୪୬୯ କୋଟି ଟଙ୍କାର ବ୍ୟୟବରାଦ
ଧାନ ଉପରେ ଅତ୍ୟଧିକ ନିର୍ଭରଶୀଳତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜଳବାୟୁ ସହନଶୀଳ କୃଷିକୁ ପ୍ରାଥମିକତା ଦେଇ ବିଭିନ୍ନ କିସମର ଡାଲି, ତୈଳବୀଜ ଏବଂ ଦେଶୀ ସୁଗନ୍ଧିତ ଓ ଅଣସୁଗନ୍ଧିତ ଧାନ ଚାଷକୁ ପ୍ରୋତ୍ସାହିତ କରାଯାଉଅଛି। ଏଥିଲାଗି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ, ସ୍ୱଦେଶୀ ପ୍ରଜାତିର ଧାନକୁ ପ୍ରୋତ୍ସାହନ ଏବଂ ଅମଳ ପରବର୍ତ୍ତୀ ଧାନ ପଡ଼ିଆର ବ୍ୟାପକ ପରିଚାଳନା ଆଦି ପଦକ୍ଷେପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ମୋଟ ୪ଶହ ୬୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।

୬ ଜିଲ୍ଲାରେ କଫି ଚାଷ ପାଇଁ ୧୫୦ କୋଟି
– ଆଖୁ ଚାଷ ନିମନ୍ତେ ୨୭ କୋଟି
-ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ୨୮ କୋଟି
ଦୀର୍ଘସ୍ଥାୟୀ ଜୀବିକା ନିର୍ବାହ ପାଇଁ ଉଚ୍ଚ-ମୂଲ୍ୟଯୁକ୍ତ ବାଣିଜ୍ୟ ଉପଯୋଗୀ ଏବଂ ଜୈବିକ ଚାଷର ସୁପରିକଳ୍ପନା କରି ୬ଟି ଜିଲ୍ଲାରେ କଫି ଚାଷ ପାଇଁ ୧ ଶହ ୫୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ସେହିପରି ‘ପ୍ରଯୁକ୍ତିବିଦ୍ୟା ଦ୍ୱାରା ଉନ୍ନତ ଆଖୁ ଚାଷ’ ନିମନ୍ତେ ୨୭ କୋଟି ଟଙ୍କା ଏବଂ ବଳଭଦ୍ର ଜୈବିକ ଚାଷ ମିଶନ ନିମନ୍ତେ ୨୮ କୋଟି ଟଙ୍କାର ବ୍ୟବସ୍ଥା ରହିଛି।

ଅବହେଳିତ ଶସ୍ୟର ପୁନରୁଦ୍ଧାର ଯୋଜନା
ବ୍ୟୟବରାଦ ୫୫ କୋଟି
ଓଡ଼ିଶାର କୃଷି-ଜୈବ ବିବିଧତା ଏବଂ ପାରମ୍ପରିକ ଖାଦ୍ୟ ପ୍ରଣାଳୀର ସମୃଦ୍ଧି ଓ ପୁନରୁଦ୍ଧାର ପାଇଁ ସରକାର ଚଳିତ ଆର୍ଥିକ ବର୍ଷରେ ‘ଓଡ଼ିଶାରେ ବିସ୍ମୃତ ଖାଦ୍ୟ/ ଅବହେଳିତ ଶସ୍ୟର ପୁନରୁଦ୍ଧାର’ ଯୋଜନା ଆରମ୍ଭ କରିଛନ୍ତି ଯାହା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ୫୫ କୋଟି ଟଙ୍କାର ପ୍ରସ୍ତାବ ରହିଛି।

କୃଷି ଯାନ୍ତ୍ରିକୀକରଣ
୪୦୦କୋଟି ବ୍ୟୟବରାଦ
‘କୃଷି ଉପକରଣର ଲୋକପ୍ରିୟତା’ ଯୋଜନା ଅଧୀନରେ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ୪ଶହ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। କୃଷି-ଉଦ୍ୟୋଗୀକତା ଏବଂ ଗ୍ରାମୀଣ ଜୀବିକାର ସଶକ୍ତିକରଣ ପାଇଁ ରାଜ୍ୟ କୃଷି ନୀତିରେ କୃଷି ଉଦ୍ୟୋଗ ଏବଂ କୃଷି ସେବା କେନ୍ଦ୍ରଗୁଡ଼ିକୁ ପୁଞ୍ଜି ନିବେଶ ସହାୟତା ବାବଦକୁ ୪ ଶହ ୪୧ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଥିବାବେଳେ ନୂତନ ‘ଶୀତଳ ଭଣ୍ଡାର ନୀତି’ରେ ଅମଳ ପରବର୍ତ୍ତୀ ଭିତ୍ତିଭୂମିକୁ ମଜବୁତ କରିବା ଉଦ୍ଦେଶ୍ୟରେ ୬୩ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ଫୁଲ ଓ ଛତୁ ଚାଷ ବାବଦକୁ ୫୭ କୋଟି
‘ନାରୀ ଶକ୍ତି ସମାଜର ଶକ୍ତି’ -ଏହି ଆହ୍ୱାନରେ ପ୍ରେରିତ ହୋଇ ରାଜ୍ୟ ସରକାର ଉଦ୍ୟୋଗୀକରଣ ଏବଂ ଗ୍ରାମାଞ୍ଚଳ ସ୍ଥାୟୀ ଜୀବିକାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ଭୂମିକାକୁ ପ୍ରାଥମିକତା ଦେଇଆସୁଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ହେବାକୁ ଥିବା ଫୁଲ ଓ ଛତୁ ଚାଷ ବାବଦକୁ ୫୭ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି। ଏହା ସହିତ କୃଷି ଉତ୍ପାଦକ କ୍ଲଷ୍ଟରଗୁଡ଼ିକୁ ସୁଦୃଢ଼ କରିବା ପାଇଁ ୩୮ କୋଟି ଟଙ୍କା ବ୍ୟବବରାଦ କରାଯାଇଛି।

ଉଦ୍ୟାନ କୃଷି ମିଶନ ପ୍ଲସ ପାଇଁ ୫୪୪ କୋଟି
ଉଦ୍ୟାନ କୃଷିରେ ଫସଲ- ନିର୍ଦ୍ଦିଷ୍ଟ କ୍ଲଷ୍ଟରଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ଉଦ୍ୟାନ କୃଷି ଫସଲ-ନିର୍ଦ୍ଦିଷ୍ଟ ଯୋଜନା, ମସଲା ମିଶନ୍ ସମେତ ଆଳୁ ଚାଷର ଉନ୍ନୟନ ଏବଂ ଉଦ୍ୟାନ କୃଷି ମିଶନ ପ୍ଲସ ମାଧ୍ୟମରେ କ୍ଷେତ୍ରଫଳ ବିସ୍ତାର, ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା, ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବଜାର ସଂଯୋଗକୁ ବୃଦ୍ଧି କରାଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ, ଏଥିପାଇଁ ମୋଟ ୫ଶହ ୪୪ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ କରାଯାଇଛି।ରାଜ୍ୟ ସରକାର, ଭାରତ ସରକାରଙ୍କ ସହିତ ଘନିଷ୍ଠ ସହଭାଗିତାରେ, ଜାତୀୟ ପ୍ରାଥମିକତା ସହିତ ସମନ୍ୱିତ ପ୍ରମୁଖ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି। ଏହି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ମଧ୍ୟରେ ନବସୃଜନ ଆଧାରିତ ଅଭିବୃଦ୍ଧି ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ୧ଶହ ୬୦ କୋଟି ଟଙ୍କା, କୃଷି ଯାନ୍ତ୍ରିକୀକରଣ ପାଇଁ କୃଷି ଯାନ୍ତ୍ରିକୀକରଣ ଉପ-ମିଶନ ଅଧୀନରେ ୨ଶହ ୫୦ କୋଟି ଟଙ୍କା, କୃଷି ସମ୍ପ୍ରସାରଣ ଉପ-ମିଶନ ବାବଦକୁ ୧ ଶହ ୩୧ କୋଟି ଟଙ୍କା, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଅଧୀନରେ ୨ଶହ ୨କୋଟି ଟଙ୍କା, ଉଦ୍ୟାନ କୃଷିର ସମନ୍ୱିତ ବିକାଶ ମିଶନ ଅଧୀନରେ ୧ ଶହ ୪କୋଟି ଟଙ୍କା ଅନ୍ତର୍ଭୁକ୍ତ।

ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ବିକାଶ ବିଭାଗ ପାଇଁ ୨୦୧୯ କୋଟି
ମତ୍ସ୍ୟ ଏବଂ ପ୍ରାଣିସମ୍ପଦ ବିକାଶ ବିଭାଗ ପାଇଁ ରାଜ୍ୟ ସରକାର ୨ ହଜାର ୧୯ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରୟାସଗୁଡ଼ିକ ମଧ୍ୟରେ ଚିଙ୍ଗୁଡ଼ି ଚାଷର ସମ୍ପ୍ରସାରଣ, ଗଭୀର ସମୁଦ୍ରରେ ମାଛ ଧରିବାକୁ ପ୍ରୋତ୍ସାହନ, ଆଧୁନିକ ମାଛଧରା ବନ୍ଦର, ମାଛ ଅବତରଣ କେନ୍ଦ୍ର, ମଧୁରଜଳ ମାଛ ଚାଷ କ୍ଲଷ୍ଟର, କଙ୍କଡ଼ା ଚାଷ ଏବଂ ରପ୍ତାନି ସକ୍ଷମ ଭିତ୍ତିଭୂମି ଅନ୍ତର୍ଭୁକ୍ତ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟ ଚାଷରେ ସହାୟତା ଯୋଗାଇ ଦେବା, ମାଛ ବିହନ ହାଚେରୀ ପ୍ରତିଷ୍ଠା କରିବା, ବର୍ଷସାରା ଗୁଣାତ୍ମକ ମାଛ ଯାଅଁଳ ଯୋଗାଣ ପାଇଁ ବହିନ ଉତ୍ପାସନକାରୀଙ୍କ ଏକ ନେଟୱାର୍କ ବିକାଶିତ କରିବା ଏବଂ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନାକୁ ଉପଯୋଗୀ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅଧୀନରେ ୨ଶହ ୧ କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ରହିଛି। ଅସ୍ତରଙ୍ଗ ମାଛଧରା ବନ୍ଦରର ଆଧୁନିକୀକରଣ ଏବଂ ଗୋପାଳପୁରରେ ଗଭୀର ସମୁଦ୍ରରେ ମାଛଧରା ବନ୍ଦର ନିର୍ମାଣ ସମେତ ୪୦ଟି ହିତାଧିକାରୀ ଭିତ୍ତିକ ଯୋଜନାକୁ ପ୍ରଭାବଶାଳୀ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ୨ ଶହ ୪୫ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ଆରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସହାୟତାରେ ଦୁଗ୍ଧ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୧ଶହ ୫୯ କୋଟି ଟଙ୍କା ବ୍ୟୟ ଅଟକଳର ପ୍ରସ୍ତାବ ରହିଛି। ସେହିଭଳି, ପ୍ରାଣୀସମ୍ପଦ ବିକାଶ ଏବଂ କୃଷକ ସହାୟତାକୁ ଦୃଷ୍ଟିରେ ରଖି ପ୍ରାଣି ସମୃଦ୍ଧି ଯୋଜନାରେ ୧ ଶହ ୮୫ କୋଟି ଟଙ୍କାର ପ୍ରସ୍ତାବ ରହିଛି। ପ୍ରାଣୀ ଚିକିତ୍ସାଳୟ, ଡିସପେନସାରୂ, ପଶୁପାଳନ ସହାୟତା କେନ୍ଦ୍ର ଏବଂ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଇତ୍ୟାଦି ମାଧ୍ୟମରେ ବ୍ୟାପକ ପ୍ରାଣୀ ଚିକିତ୍ସା ସେବା ଅନ୍ତର୍ଭୁକ୍ତ। ଠିକ୍ ସମୟରେ ନିଦାନ, ପ୍ରତିଷେଧକ ଯତ୍ନ ଏବଂ ପଶୁ ରୋଗର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଗୋମାତା ଯୋଜନା ଅଧୀନରେ ୫୭ କୋଟି ଟଙ୍କାର ପ୍ରସ୍ତାବ ରହିଛି।

ସୁଦୃଢ଼ ହେବ ଜଳ ଭିତ୍ତିଭୂମି ଓ ଜଳସେଚନ
-ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା ପାଇଁ ୧୦ କୋଟି
-୮୦ କୋଟି ବ୍ୟୟ ଅଟକଳରେ ମହାନଦୀ ନଦୀ କୂଳ ବିକାଶ ଯୋଜନା
୨୦୨୬-୨୭ ଆର୍ଥିକ ବର୍ଷରେ, ଜଳ ଭିତ୍ତିଭୂମି ଏବଂ ଜଳସେଚନକୁ ସୁଦୃଢ଼ କରିବା ପାଇଁ ଅନେକ ପ୍ରମୁଖ ସଂସ୍କାର ଏବଂ ପଦକ୍ଷେପ ନିଆଯିବ। ଜଳସେଚନ, ବନ୍ୟା ନିୟନ୍ତ୍ରଣ ଏବଂ ଜଳ ଉପଲବ୍ଧତାରେ ଉନ୍ନତି ଆଣିବା ନିମନ୍ତେ ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ବଜେଟ୍‌ରେ ୧୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ମହାନଦୀ ତଟବର୍ତ୍ତୀ ସୁରକ୍ଷା, ସହରାଞ୍ଚଳ ସହନଶୀଳତା ଏବଂ ପର୍ଯ୍ୟଟନକୁ ପ୍ରୋତ୍ସାହନ ନିମନ୍ତେ ୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ମହାନଦୀ ନଦୀ କୂଳ ବିକାଶ ଯୋଜନା ଜାରି ରହିବ। ଜଳସେଚନ ବିଶ୍ୱସନୀୟତା ବୃଦ୍ଧି ତଥା ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ଇମ୍ପ୍ରୋଭମେଣ୍ଟ ଟୁ ଡାଇଭର୍ସନ ଓୟାରର୍ସ ସ୍କିମରେ ୧ ଶହ କୋଟି ଟଙ୍କାର ପ୍ରସ୍ତାବ ଥିବାବେଳେ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ନଦୀ ପରିବହନ କ୍ଷମତାକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବନ୍ୟା ପରିଚାଳନା ଯୋଜନାରେ ୫ଶହ ୩୦ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଇନଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର ପ୍ରଗ୍ରୋମ ଯୋଜନାରେ ୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ ୧ ଶହ ୮୦ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ୨ ଶହ ୮୦ କୋଟି ଟଙ୍କାର ବ୍ୟୟ ବରାଦରେ ଚେକ୍ ଡ୍ୟାମ୍ ଏବଂ ଜଳସେଚନ ସମ୍ଭାବନା ସୃଷ୍ଟି ଏବଂ ପରିବେଶ ସ୍ୱାସ୍ଥ୍ୟକୁ ପୁନଃସ୍ଥାପିତ କରି ସ୍ଥାୟୀ ଜଳ ଉପଲବ୍ଧତା ସୁନିଶ୍ଚିତ କରିବା ତଥା ପ୍ରାଚୀନ ନଦୀକେନ୍ଦ୍ରିକ ଐତିହ୍ୟକୁ ପୁନରୁଜ୍ଜୀବିତ କରିବା ପାଇଁ ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ‘ସଞ୍ଜୀବନୀ’ ମାଧ୍ୟମରେ ଜଳ ସଂରକ୍ଷଣ ପଦକ୍ଷେପର ସମ୍ପ୍ରସାରଣ ଜାରି ରହିବ। ଏଥିପାଇଁ ୧ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଓଡ଼ିଶାକୁ ଜଳ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସରକାର ୨୦୨୯ ସୁଦ୍ଧା ୧୫ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ଉପଲବ୍ଧ କରିବାର ଲକ୍ଷ୍ୟ ରଖିଛନ୍ତି ଯାହା ମଧ୍ୟରୁ ୨୦୨୬-୨୭ ଆର୍ଥିକ ବର୍ଷରେ ୩ଲକ୍ଷ ୩୩ ହଜାର ହେକ୍ଟର ଜମିରେ ଆଧୁନିକ ପ୍ରଯୁକ୍ତି ଏବଂ ଚାହିଦା ଆଧାରିତ ଜଳସେଚନ ପରିଚାଳନାର ଲକ୍ଷ୍ୟ ରଖାଯାଇଛି। ଏହି ବର୍ଷ ସରକାର କୁସୁମି ସ୍ମାର୍ଟ ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବେ। ଏହି ବର୍ଷ ମଧ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକ ଯଥା ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ଅପର ଲାନ ପ୍ରକଳ୍ପର ଅଗ୍ରଗତି ସହିତ ସନ୍ଦୁଲ ବ୍ୟାରେଜ ପ୍ରୋଜେକ୍ଟରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆୟକଟର ସ୍ଥିରୀକରଣ ଲକ୍ଷ୍ୟ ରଖି ୮୦ କୋଟି ଟଙ୍କା ବ୍ୟବସ୍ଥା ସହିତ ଟ୍ୟାଙ୍କ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଉନ୍ନତି ମାଧ୍ୟମରେ ନିମ୍ନ ପ୍ରଭାଗୀ ଅଞ୍ଚଳକୁ ଜଳସେଚନ ସୁନିଶ୍ଚିତ କରାଯିବ। ଏହା ବ୍ୟତୀତ, ବ୍ୟାପକ ଉଦ୍ୟାନ କୃଷି ବୃଦ୍ଧି ଏବଂ ପରିବର୍ତ୍ତନ ପଦ୍ଧତି ଏବଂ ଗ୍ରାମୀଣ ଏବଂ ସହରାଞ୍ଚଳ ପାଇଁ ଆବଣ୍ଟନ ଯୋଜନା ଅଧୀନରେ ୫୩ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି ଯାହା ଦ୍ୱାରା ରାଜ୍ୟର ଜଳ ସଙ୍କଟ କ୍ଷେତ୍ରରେ ଭୂତଳ ଜଳ ପୁନଃ କାର୍ଯ୍ୟକ୍ଷମ ହେବା ସହ ସ୍ଥାୟୀ ଜଳ ପରିଚାଳନାକୁ ପ୍ରୋତ୍ସାହିତ କରାଯାଇପାରିବ।

ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ଯୋଜନା ଅଧୀନରେ ଚାଲୁଥିବା ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ପ୍ରକଳ୍ପ ସମାପ୍ତିକୁ ତ୍ୱରାନ୍ୱିତ କରିବା ଏବଂ ଉଚ୍ଚଭୂମି ଅଞ୍ଚଳଗୁଡ଼ିକରେ ଜଳସେଚନକୁ ବୃଦ୍ଧି କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୩୨ଟି ପ୍ରକଳ୍ପର ଲକ୍ଷ୍ୟ ରଖାଯାଇଛି ଯାହା ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି କରିବ। ୨୦୨୬-୨୭ ଆର୍ଥିକ ବର୍ଷରେ ବୃହତ ଉଠା ଜଳସେଚନର ସମ୍ପ୍ରସାରଣ, ୨୦ ହଜାର ଗଭୀର ନଳକୂପ ଖନନ, ୨ ହଜାର ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏବଂ ଉଠା ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣକୁ ସମର୍ଥନ କରିବା ପାଇଁ ୨ ହଜାର ୨୯ କୋଟି ଟଙ୍କାର ଏକ ସମନ୍ୱିତ ବଜେଟ୍ ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି। ୨୦୨୬-୨୭ ଆର୍ଥିକ ବର୍ଷରେ ସେଚାଞ୍ଚଳ ଉନ୍ନୟନ ଓ ଜଳ ପରିଚାଳନା ଯୋଜନା ଅଧୀନରେ ଶେଷ ମାଇଲ ପର୍ଯ୍ୟନ୍ତ ଦକ୍ଷ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ୨ ଶହ ୮୮ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ସହିତ ପ୍ରାୟ ୩୮ ହଜାର ହେକ୍ଟର ଅଞ୍ଚଳ ପରିସରଭୁକ୍ତ କ୍ଷେତ୍ର ଚ୍ୟାନେଟଗୁଡ଼ିକର ନିର୍ମାଣ ଏବଂ ପୁନଃନିର୍ମାଣ ପ୍ରସ୍ତାବ ରହିଛି। ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା ଅଧୀନରେ ପରିବହନ ଜନିତ କ୍ଷତି ହ୍ରାସ କରିବା ପାଇଁ ୧ ଶହ ୬୦ କିଲୋମିଟର କେନାଲ ଲାଇନିଂ ନିର୍ମାଣ ନିମନ୍ତେ ୪ ଶହ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହା ବ୍ୟତୀତ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଅଧୀନରେ ୧ଶହ ୮୦ କୋଟି ଟଙ୍କା ବ୍ୟୟବରାଦ ସହିତ ଆୟାକଟର ପୁନରୁଦ୍ଧାର ସ୍ଥିରତା ଏବଂ ସମ୍ପ୍ରସାରଣର ଯୋଜନା ରଖାଯାଇଛି। ଏଥିସହ, ଜଳବାୟୁ-ଅନୁକୂଳ ଜଳସେଚନ ଅଭ୍ୟାସକୁ ପ୍ରୋତ୍ସାହିତ କରାଯାଇ ବିଶ୍ୱ ବ୍ୟାଙ୍କ ସହାୟତାରେ ଚାଲୁଥିବା ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଶହ ୪୫କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ବିଶ୍ୱ ବ୍ୟାଙ୍କ ସହାୟତାରେ ଡ୍ୟାମ୍ ଥଇଥାନ ଏବଂ ଉନ୍ନତି କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ୍‌ର ଅତିରିକ୍ତ ସ୍ପିଲ୍‌ୱେ ନିର୍ମାଣ, ନିରୀକ୍ଷଣାଧୀନ ନିୟନ୍ତ୍ରଣ ଓ ତଥ୍ୟ ସଂଗ୍ରହ ପ୍ରଣାଳୀ ବ୍ୟବହାର କରି ଗେଟ୍ ସ୍ୱୟଂଚାଳିତ କରଣ ଏବଂ ବିପର୍ଯ୍ୟସ୍ତ ଡ୍ୟାମ୍‌ଗୁଡ଼ିକର ସର୍ଭେ-ଭିତ୍ତିକ ଥଇଥାନ କାର୍ଯ୍ୟ ନିମନ୍ତେ ୨୦୨୬-୨୭ ଆର୍ଥିକ ବର୍ଷରେ ୧ଶହ ୧୫କୋଟି ଟଙ୍କାର ପ୍ରସ୍ତାବ ରହିଛି। ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା- ହର କ୍ଷେତ୍ କୋ ପାନି ଆଧୀନରେ ୫ଶହ ୭୪ଟି ଜଳସେଚନ ପ୍ରକଳ୍ପର ମରାମତି, ପୁନନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ଜାର ରହିବ। ଏହା ସହିତ ପ୍ରାୟ ୧୨ ହଜାର ହେକ୍ଟରରୁ ଅଧିକ ଆୟାକଟ୍ କ୍ଷେତ୍ରର ସ୍ଥିରତାକୁ ଲକ୍ଷ୍ୟ କରି ପ୍ରକଳ୍ପର ମରାମତି, ପୁନନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟମାନ ମଧ୍ୟ ଅବ୍ୟାହତ ରହିବ ଏବଂ ଏଥିପାଇଁ ୧ ଶହ ୧କୋଟି ଟଙ୍କାର ପ୍ରସ୍ତାବ ରହିଛି। ୧ ହଜାର ୭ଶହ କିଲୋମିଟର ନାଳ ଏବଂ ୨୫ ହଜାର ହେକ୍ଟର ଜଳବନ୍ଦୀ ଚାଷ ଜମି ପୁନରୁଦ୍ଧାର ନିମନ୍ତେ ଜଳ ନିଷ୍କାସନ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ୩ଶହ ୬୫ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଗେଟ୍ ଗୁଡ଼ିକୁ ସ୍ୱୟଂଚାଳିତକରଣ କରି ଦକ୍ଷ ଜଳ ନିୟନ୍ତ୍ରଣ ପାଇଁ ୩୦କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking