ଢ଼ାକା: ପଡୋଶୀ ଦେଶ ବାଂଲାଦେଶରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି । ବାଂଲାଦେଶର ବିଭିନ୍ନ ପ୍ରାନ୍ତରେ ସଂଖ୍ୟାଲଘୁ ଭାବେ ରହୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କ ପକ୍ଷରୁ ପବିତ୍ର ରଥଯାତ୍ରା ଆୟୋଜିତ ହୋଇଛି । ତେବେ ଇସ୍କନ୍ ଟ୍ରଷ୍ଟ ପକ୍ଷରୁ ଏଠାରେ ଆୟୋଜିତ ଏକ ରଥଯାତ୍ରା କାର୍ଯ୍ୟକ୍ରମରେ ଏକ ଅଭାବନୀୟ ଅଘଟଣ ଘଟି ୬ଜଣଙ୍କ ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସେଉଜଗରି ଜିଲ୍ଲା ବୋଗ୍ରାରେ ଇସ୍କନ୍ ପକ୍ଷରୁ ଆୟୋଜିତ ରଥଟଣା କାର୍ଯ୍ୟକ୍ରମ ଚାଲିଥିବା ବେଳେ ରଥ ଉପରେ ଲାଗିଥିବା ଲୁହା ଗୁମୁଟଟି ଏଠାରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ତାର ଛିଣ୍ଡିପଡ଼ି ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩୫ରୁ ଅଧିକ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଲାଇନ ଶିବ ମନ୍ଦିରରେ ଥିବା ଗୁଣ୍ଡିଚା ଘରକୁ ରଥଟାଣି ଯାଉଥିଲେ ସମସ୍ତ ଶ୍ରଦ୍ଧାଳୁ । କିନ୍ତୁ, ଅଧବାଟରେ ଏହି ଅଘଟଣ ଘଟିଥିଲା । ତେବେ ଗୁରୁତରଙ୍କ ମଧ୍ୟରୁ କେତେକଙ୍କ ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା କରାଯାଉଛି । ବାଂଲାଦେଶ ସରକାର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।