22.1 C
Bhubaneswar
Friday, February 6, 2026
Homeଓଡିଶାବେଆଇନ ମାଟି ଓ ମୁରୁମ ବୋଝେଇ ୬ ଡ଼ମ୍ପର ଜବତ

ବେଆଇନ ମାଟି ଓ ମୁରୁମ ବୋଝେଇ ୬ ଡ଼ମ୍ପର ଜବତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଦିନକୁଦିନ ମୁରୁମ୍, ମାଟି ଓ ବାଲିର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ମାଫିଆ ଗୋଷ୍ଠୀଙ୍କ ସହିତ ଅଲିଖିତ ଭାଗିଦାରୀ ରଖି ବିଭାଗୀୟ ଅଧିକାରୀମାନେ ଦାୟିତ୍ଵ ଓ କର୍ତ୍ତବ୍ୟ ନିର୍ବାହ କରୁଥିବାରୁ ଆଇନକୁ ଧୂଳି ଚଖାଇ ଖସି ପଳାଇବାକୁ ସମର୍ଥ ହେଉଥିବା ଭଳି ଅଭିଯୋଗ ଦାଣ୍ଡରେ ପଡ଼ି ହାଟରେ ଗଦୁଥିବା ଲକ୍ଷ୍ୟ କରାଯାଉଛି । ମାତ୍ର ମୁଷ୍ଟିମେୟ ନିଷ୍ପକ୍ଷ ବିଭାଗୀୟ ଅଧିକାରୀମାନଙ୍କ ପାଇଁ ବହୁତାଂଶରେ ଏଭଳି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଇବା ସମ୍ଭବ ହେଉଥିବା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପ୍ରମାଣ କରି ଦେଖାଇଥିବା ଦେଖିବାକୁ ମିଳିଛି। ରାସଗୋବିନ୍ଦପୁର ଥାନା ତଥା ତହସିଲ ଅଞ୍ଚଳରେ ବେଆଇନ ଲଘୁଖଣିଜ ଚୋରାଚାଲାଣ କାରବାର ଚରମ ସୀମାରେ ପହଞ୍ଚି ଥିବା ବେଳେ ମାଇନିଂ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନଥିବାର ଅଭିଯୋଗ ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି l ଉଲ୍ଲେଖଯୋଗ୍ୟ ରେଳ ବିଭାଗ ପକ୍ଷରୁ ତୃତୀୟ ଲାଇନ ସଂପ୍ରସାରଣ କାର୍ଯ୍ୟ ପୋଦଶୀ ବାଲେଶ୍ଵର ଜିଲ୍ଲାରେ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରୁ ମୁରୁମ୍ ଓ ମାଟି ଚୋରି କରି ପୋଡଶୀ ବାଲେଶ୍ବର ଜିଲ୍ଳାକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି । ବିଶେଷ ଭାବେ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା କେନାଲ ଓ ଜଙ୍ଗଲ ଜମିକୁ ଖୋଳି ବାହାରୁଥିବା ମୁରୁମକୁ ବହୁଳ ଭାବରେ ଚୋରି ହେଉଥିବା ଜଣାପଡିଛି ।

ତେବେ ମୁରୁମ୍ ଚୋରମାନେ ଦୈନିକ ଶହ ଶହ ଟ୍ରିପ ମୁରୁମ ଚୋରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସମାଜରେ ପ୍ରତିଷ୍ଠିତ ଭଦ୍ରବ୍ୟକ୍ତି ସାଜିଥିବା ମଧ୍ୟ ଆଲୋଚନା ହେଉଛି । ପୂର୍ବରୁ ଏହି ଅଞ୍ଚଳରେ ବାଲି,ମୁରୁମ ଚାଲାଣ ଖୁଲମଖୋଲା ଭାବେ ଦିନରାତି ହେଉଥିଲା l ତେବେ ନୂତନ ଥାନା ଅଧିକାରୀ ଯୋଗ ଦେବା ପରେ ମାଫିଆମାନେ ନୂତନ କୌଶଳରେ ଲଘୁଖଣିଜ ଦ୍ରବ୍ୟ ଚୋରି କରୁଥିବାର ଜଣାପଡିଛି l ସୂଚନା ମୁତାବକ ରାସଗୋବିନ୍ଦପୁର ଥାନା ଅଧୀନ ଆମ୍ବଡିହା ଗ୍ରାମରୁ ମାଟି ଖନନ ନିମନ୍ତେ ଏକ ଘରୋଇ କମ୍ପାନୀ ଅନୁମତି ନେଇଥିବା ବେଳେ ମାଟି ପରିବର୍ତ୍ତେ ବେଆଇନ ଭାବେ ମୁରୁମ ଖୋଳୁଥିବାର ଦେଖିବାକୁ ମିଳିଛି l ଡମ୍ଫରରେ ପ୍ରଥମେ ମୁରୁମ ଭର୍ତ୍ତି କରିବା ପରେ ତା ଉପରେ ମାଟି ଦେଇ ଚତୁରତାର ସହିତ ମୁରୁମ ଚାଲାଣ ହେଉଥିବାର ଖବରପାଇ ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ପୋଲିସ ନାକିଚୁଆ ପଞ୍ଚାୟତର ଚିଞ୍ଚଳଗଡିଆ ନିକଟରେ ତିନୋଟି ଡମ୍ଫରକୁ ଜବତ କରିଛି l ସେହିପରି ଆଜି ଭୋର ଚାରିଟାରୁ ପୁଣି ତିନୋଟି ବେଆଇନ ମୁରୁମ ବୋଝେଇ ଡମ୍ଫରକୁ ଜବତ କରିଛି ରାସଗୋବିନ୍ଦପୁର ଥାନା ପୋଲିସ l ସେହିପରି ଗୋଟିଏ ପରମିଟରେ ଏକାଧିକ ଥର ମାଟି ଚାଲାଣ ହେଉଥିବାର ଅଞ୍ଚଳବାସୀ କହିଛନ୍ତି l ସେପଟେ ଏମିତି ବେଆଇନ ଖନନକୁ ଗ୍ରାମବାସୀ ବିରୋଧ କରିବା ସହିତ ଅଞ୍ଚଳରେ ପ୍ରବଳ ଧୂଳି ଉଡିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି ବୋଲି କହିଛନ୍ତି l ତେବେ ଏହି ମାଫିଆମାନଙ୍କ ପ୍ରଚ୍ଛଦପଟରେ ନ୍ୟସ୍ତସ୍ୱାର୍ଥ କ୍ଷମତାସୀନ ଦଳର ଆଗଧାଡ଼ିର ନେତାଙ୍କ ସମର୍ଥନ ରହିଥିବାରୁ ହାତବାନ୍ଧି ବସୁଥିବା ପ୍ରଶାସନ ବାସ୍ତବରେ କାହା ପାଇଁ ସରକାରୀ ଦାୟିତ୍ଵ ଓ କର୍ତ୍ତବ୍ୟ ନିର୍ବାହ କରୁଛନ୍ତି ବୋଲି ଅଭିଯୋଗ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking