ଭୁବନେଶ୍ୱର: ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱାମିତ୍ୱ ଯୋଜନାରେ ଦେଶର ୫୦ ହଜାରରୁ ଅଧିକ ଗାଁରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଡ ମାଧ୍ୟମରେ ଗାଁ ଗାଁରେ ଜମିବାଡିକୁ ନେଇ ଲାଗି ରହୁଥିବା ଅସୁବିଧା ଦୂର ହୋଇପାରିବ । ଭାରତର ଗ୍ରାମଗୁଡିକରେ ଲକ୍ଷ ଲକ୍ଷ କୋଟି ମୂଲ୍ୟର ସମ୍ପତ୍ତି ଥିବା ସତ୍ତ୍ୱେ ଘରର ଆଇନଗତ ଦଲିଲ ନଥିବା ଯୋଗୁ ସମ୍ପତ୍ତି ମାଲିକ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାଦ୍ୱାରା ଅନେକ ସ୍ଥାନରେ ଶକ୍ତିଶାଳୀ ଲୋକମାନେ ଗରିବ ଲୋକଙ୍କ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରୁଥିଲେ । ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ହୋଇଥିଲା ସ୍ବାମିତ୍ବ ଯୋଜନା । ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ରାୟଗଡାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ଗ୍ରାମାଞ୍ଚଳରେ ଡ୍ରୋନ ଜରିଆରେ ସର୍ଭେ କରାଯାଇ ସାରାଦେଶର ୬୫ଲକ୍ଷ ପାରିବାରକୁ ସେମାନଙ୍କ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ରାୟଗଡା ବିଧାୟକ, ବିଷମକଟକ ବିଧାୟକ, ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଥିବା ରାୟଗଡା ବ୍ଲକର ୨୧୨ଜଣ ଓ କୋଳନରା ବ୍ଲକର ୩୦ଜଣ ମୋଟ ୨୪୨ଜଣ ହିତାଧିକାରୀଙ୍କୁ ସମ୍ପତ୍ତି ମାଲିକନା ଜମି ପଟ୍ଟା ବଣ୍ଟନ ହୋଇଛି ।