ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ବିଏମ୍ସି ପକ୍ଷରୁ କଟକଣା ଜାରି କରାଯାଇଛି । ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଣିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡିପୋ ଓ ଷ୍ଟାଣ୍ଡରେ ନିୟମିତ ବସ୍ ଧୋଇବାକୁ କ୍ରୁଟକୁ ନିର୍ଦ୍ଦେଶ ଦିଆଯାଇଛି । ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ ହଜାର ଫାଇନ୍ । ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱଚ୍ଛ ଜାଳେଣି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି । ତଦାରଖ ପାଇଁ ସବୁ ଜୋନାଲ କମିଶନର, କ୍ରୁଟ ଓ ଆଇଡିସିଓ ଏମ୍ଡିଙ୍କୁ ଚିଠି ପଠାଇଛି ବିଏମସି । ସୂଚନାଯୋଗ୍ୟ, ଆଜି ପ୍ରଦୂଷଣ ପାଇଁ ଟ୍ୱିନ୍ ସିଟିରେ ୭ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ସରକାର । କଟକଣା ଅନୁସାରେ, ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଦ ରହିବ । ବାହାରେ ଆବର୍ଜନା କିମ୍ବା ଢାବାରେ କୋଇଲା ଜାଳିପାରିବେ ନାହିଁ । ରାତିରେ ଭାରି ଯାନ ଚଳାଚଳ ଉପରେ ବି ଲାଗିଲା କଟକଣା । ଏନଏଚ ଉପରେ ଦିନକୁ ୩ ଥର ପାଣି ସିଞ୍ଚନ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବନାହିଁ । କଟକଣାକୁ ବଳବତ୍ତର ରଖିବାକୁ ପୋଲିସ ଏବଂ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।









