21.1 C
Bhubaneswar
Wednesday, February 4, 2026
Homeଓଡିଶାସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍ : ମୁଖ୍ୟମନ୍ତ୍ରୀ

ସମ୍ବଲପୁରକୁ ୫୦ଟି ନୂଆ ଇ-ବସ୍ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର ବାସୀଙ୍କ ଗମନା ଗମନକୁ ସୁଗମ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ୨୫ଟି ନୂଆ ଇ-ବସ୍‌ର  ଶୁଭାରମ୍ଭ କରିବା ସହିତ ଚଳିତ ମାସ ଶେଷ ସୁଦ୍ଧା ଆଉ ୨୫ଟି ଇ-ବସ୍‌ର ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରିଛନ୍ତି। ସମ୍ବଲପୁରରେ ସମୁଦାୟ ୫୦ଟି ଇ-ବସ୍ ଚାଲିବ।ସମ୍ବଲପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏହି ଇ-ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ବସ ଗୁଡିକର ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଇଁଠାପାଲି ଠାରେ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନସପୋର୍ଟ ବା CRUT  ର ଅତ୍ୟାଧୁନିକ ବସ୍ ଟର୍ମିନାଲ ମଧ୍ୟ ଆଜି ଉଦ୍‌ଘାଟନ କରାଯାଇଛି। ଏଥିସହିତ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଟର୍ମିନାଲ ଏବଂ ବସ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ୨୩୮ କୋଟି ୧୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି। ଏହି ବସ୍ ବ୍ୟବସ୍ଥା ଦ୍ବାରା ସମ୍ବଲପୁର ବାସୀଙ୍କ ଯାତାୟାତ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ, ଏହି ବସ ଗୁଡିକରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରିବା ସହିତ ଯାତ୍ରାମାନଙ୍କର ସୁରକ୍ଷା ଏବଂ ସୁବିଧା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଡିଜିଟାଲ ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟରେ ରିହାତିର ବ୍ୟବସ୍ଥା ମଧ୍ୟ ଏହି ବସରେ କରାଯାଇଛି। ଇ-ବସ୍ ହୋଇଥିବାରୁ ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ଏହି ବସ୍ ଗୁଡିକ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଉକ୍ତ କାର୍ଯ୍ୟକ୍ରମ ଅବସରରେ, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାଏକ, ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ, ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking