ଭୁବନେଶ୍ୱର: ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଆଇଏଏସ୍, ଆଇପିଏସ୍ ଓ ଅ।ଇଏଫ୍ଏସ୍ ପଦବୀ ଖାଲି ନେଇ ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ପ୍ରତାପ କେଶରୀ ଦେବଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୪୬ ଆଇଏଏସ, ୬୭ ଆଇପିଏସ୍ ଓ ୭୦ ଆଇଏଫ୍ଏସ୍ ପଦବୀ ଖାଲି ପଡ଼ିଛି। ଆଇଏଏସ୍ଙ୍କର ୨୪୮ ଅନୁମୋଦିତ ପଦବୀ ମଧ୍ୟରୁ ୪୬ ଖାଲି ପଦବୀ ରହିଛି। ସେହିପରି ଆଇପିଏସ୍ଙ୍କର ୧୯୫ ଅନୁମୋଦିତ ପଦବୀ ମଧ୍ୟରୁ ୬୭ ଖାଲି ପଦବୀ ରହିଛି। ଅପରପକ୍ଷରେ ଆଇଏଫ୍ଏସ୍ଙ୍କର ୧୪୧ ଅନୁମୋଦିତ ପଦବୀ ମଧ୍ୟରୁ ୭୦ ଖାଲି ପଦବୀ ରହିଛି। ମୋଟ ୧୮୩ ପଦବୀ ଖାଲି ରହିଛି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ପଦବୀଗୁଡ଼ିକ ସର୍ବ ଭାରତୀୟ ସେବାର ଅଂଶ ଏବଂ ଭାରତ ସରକାରଙ୍କ ଦ୍ୱାରା ପୂରଣ କରାଯାଇଥାଏ। ସେ ଗୃହକୁ ଆଶ୍ୱାସନା ଦେଇଛନ୍ତି, ରାଜ୍ୟ ସରକାର ସମୟୋଚିତ ନିଯୁକ୍ତି ସୁନିଶ୍ଚିତ କରିବା ଏବଂ ପ୍ରଶାସନିକ ଦକ୍ଷତା ବଜାୟ ରଖିବା ପାଇଁ କେନ୍ଦ୍ର ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି ଯେ ଖାଲି ପଦବୀଗୁଡ଼ିକ ଶାସନ ଏବଂ ସେବା ପ୍ରଦାନକୁ ପ୍ରଭାବିତ କରୁଛି, କିନ୍ତୁ କେନ୍ଦ୍ର ସରକାର ଏହି ପଦବୀଗୁଡ଼ିକ ପୂରଣ ପ୍ରକ୍ରିୟା ତଦାରଖ କରନ୍ତି ବୋଲି ଗୁରୁତ୍ୱାରୋପ କରିଛନ୍ତି।









