16.1 C
Bhubaneswar
Saturday, December 6, 2025
Homeଓଡିଶା୪୧ତମ ଏଚ୍‌ଏଲସିଏ ବୈଠକ: ୮ ମେଗା ପ୍ରକଳ୍ପକୁ ମଞ୍ଜୁରୀ

୪୧ତମ ଏଚ୍‌ଏଲସିଏ ବୈଠକ: ୮ ମେଗା ପ୍ରକଳ୍ପକୁ ମଞ୍ଜୁରୀ

-ବିନିଯୋଗ ହେବ ୧.୫ ଲକ୍ଷ କୋଟି
– ୬୦,୨୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪୧ତମ ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଏଚ୍‌ଏଲ୍‌ସିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୧,୫୧,୨୩୯.୫୦ କୋଟି ଟଙ୍କା ବିନିଯୋଗରେ ୮ଟି ପରିବର୍ତ୍ତନଶୀଳ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର ମିଳିଛି। ଏହାଦ୍ୱାରା ୬୦,୨୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବୈଠକରେ ବୁହୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଦ୍ରୁତ ଶିଳ୍ପ ଅଭିବୃଦ୍ଧି, ମେଗା ନିବେଶ ଆକର୍ଷିତ କରିବା ଓ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ବଡ଼ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଅଧିକ ଫୋକସ୍ କରିଛନ୍ତି। ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେଉଁଝର, ଖୋର୍ଦ୍ଧା ଓ ସମ୍ବଲପୁର ଭଳି ଛଅଟି ଜିଲ୍ଲାରେ ୧.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଆଲୁମିନିୟମ, ରସାୟନ, ଇସ୍ପାତ, ବୟନଶିଳ୍ପ ଓ ଧାତୁ କ୍ଷେତ୍ରରେ ସହାୟକ ଏବଂ ଡାଉନଷ୍ଟ୍ରିମ୍ ସମେତ ଆନୁସଂଗିକ କ୍ଷେତ୍ରଗୁଡ଼ିକ ଅନ୍ତର୍ଭୁକ୍ତ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଅବସରରେ କହିଛନ୍ତି ଯେ ତାଙ୍କ ସରକାର ଆସିବା ପରେ ଏହି ବୈଠକକୁ ମିଶାଇ ବର୍ତ୍ତମାନସୁଦ୍ଧା ୬ଟି ଏଚ୍‌ଏଲ୍‌ସିଏ ବୈଠକ ବସିଛି। ମୋଟ୍ ୫.୬୭ ଲକ୍ଷ ନିବେଶ ସୁଯୋଗ ପ୍ରସ୍ତାବ ସହିତ ୬୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରାୟ ୨.୪୨ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ‘୨୦୪୭ ସୁଦ୍ଧା ବିକାଶ ଭାରତ’ର ଜାତୀୟ ଲକ୍ଷ୍ୟ ଏବଂ “୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା’ର ରାଜ୍ୟର ଦୃଷ୍ଟିକୋଣ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଓଡ଼ିଶା ଭାରତରେ ଏକ ଅଗ୍ରଣୀ ଶିଳ୍ପ ଓ ନିବେଶ କେନ୍ଦ୍ର ହେବା ଦିଗରେ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି।
୪୧ତମ ଏଏଚ୍‌ଏଲ୍‌ସିଏ ବୈଠକରେ ୮ଟି ଶିଳ୍ପ ପ୍ରକଳ୍ପରେ ୬୦,୨୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ଆଲୁମିନିୟମ କ୍ଷେତ୍ରରେ ବେଦାନ୍ତ ଲିମିଟେଡ୍ ଢେଙ୍କାନାଳରେ ୧.୨୮ଲକ୍ଷ କୋଟିର ଏକ ବଡ଼ ନିବେଶ ସହିତ ୩ ଏମ୍‌ଟିପିଏ ଆଲୁମିନିୟମ ସ୍ମେଲ୍ଟର ଏବଂ ୪୯୦୦ ମେଗାୱାଟ୍ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (ସିପିପି) ସ୍ଥାପନ କରିବାକୁ ଆଗ୍ରହୀ। ଏହି ଏକକ ମେଗା ପ୍ରକଳ୍ପ ୩୦ହଜାର ନିଯୁକ୍ତି ସୃଷ୍ଟି କରିବ। ଫଳରେ ଓଡ଼ିଶା ହେବ ବିଶ୍ୱ ଆଲୁମିନିୟମର ଏକ ହବ୍‌। ରାସାୟନିକ କ୍ଷେତ୍ରରେ ମଧ୍ୟ ଏସଆରଏଫ୍ ଲିମିଟେଡ୍ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ଗଞ୍ଜାମରେ ୧୦ହଜାର କୋଟି ନିବେଶ କରିବା ସହିତ ବାର୍ଷିକ ୨ ଲକ୍ଷ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ ସ୍ୱତନ୍ତ୍ର ରାସାୟନିକ ଏବଂ ରେଫ୍ରିଜରେଣ୍ଟ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏହା ଦ୍ୱାରା ୨୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଇସ୍ପାତ ଓ ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ଜିନ୍ଦଲ ଇଣ୍ଡିଆ ଷ୍ଟିଲ୍ ଟେକ୍ ଲିମିଟେଡ୍ ଢେଙ୍କାନାଳରେ ୩,୬୦୦ କୋଟି ନିବେଶ କରି ୧.୨୬ ଏମ୍‌ଟିପିଏ ସ୍ପେଶାଲିଟି ଷ୍ଟିଲ୍ ପ୍ରକ୍ରିୟାକରଣ ସୁବିଧା ସ୍ଥାପନ କରିବ। ତାହା ୩,୬୦୦ କୋଟି ନିବେଶ ସହିତ ୨ହଜାର ନିଯୁକ୍ତି ସୃଷ୍ଟି କରିବ। ଏହା ବ୍ୟତୀତ ଶ୍ୟାମ ଷ୍ଟିଲ୍ ମାନୁଫାକ୍‌ଚରିଂ ଲିମିଟେଡ୍ କେନ୍ଦୁଝରରେ ୨,୪୯୦ କୋଟିରେ ୦.୫୩ ଏମ୍‌ଟିପିଏ ସମନ୍ୱିତ ଇସ୍ପାତ ପ୍ଲାଣ୍ଟ, ଡିଆଇ ପାଇପ୍ ୟୁନିଟ୍ ଓ ୪୬ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରିବ। ଏହାଦ୍ୱାରା ୨,୩୭୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଲିଣ୍ଡେ ଇଣ୍ଡିଆ ଲିମିଟେଡ୍ ଯାଜପୁରରେ ଏକ ଏୟାର ସେପାରେଶନ୍ ୟୁନିଟ୍ ପ୍ରତିଷ୍ଠା ପାଇଁ ୧,୩୦୩.୫୦ କୋଟି ନିବେଶ କରିବ। ଏହି ଉଚ୍ଚମାନର ଶିଳ୍ପ ଗ୍ୟାସ୍ ପ୍ରଦାନ କରିବ ଓ ୧୦୦ ଜଣଙ୍କୁ ନିଯୁକ୍ତି ଦେବ। ଷ୍ଟାର ମେଟାଲ୍ ୱାର୍କ୍ସ ପ୍ରାଇଭେଟ୍ ଲିମିଟେଡ୍ ସମ୍ବଲପୁରରେ ଏକ ନ୍ୟାରୋ ହଟ୍ ଷ୍ଟ୍ରିପ୍ ମିଲ୍‌, କୋଲ୍ଡ ରୋଲିଂ ଓ ପ୍ଲେଟ୍ କମ୍ ଷ୍ଟେକଲ୍ ମିଲ୍ ସ୍ଥାପନ ପାଇଁ ୨,୨୯୧ କୋଟି ନିବେଶ କରିବ। ଏହି ପ୍ରକଳ୍ପ ଦ୍ୱାରା ୨୫୦ ନିଯୁକ୍ତି ସୃଷ୍ଟି ହେବ। ସୁପ୍ରିମ ମେଟାଲ୍ସ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ କେଉଁଝରରେ ଟିଏମ୍‌ଟି ବାର୍ ଏବଂ ତାର ରଡ୍ ପାଇଁ ୧.୨ ଏମ୍‌ଟିପିଏ ରୋଲିଂ ମିଲ୍ ଯୋଜନା କରିଛି। ମୋଟ୍ ୧୫୦୦ କୋଟି ଟଙ୍କା ବିନିଯୋଗ କରିବ। ଏହାଦ୍ୱାରା ୬୮୦ ନିଯୁକ୍ତି ସୃଷ୍ଟି ହେବ। ସେହିପରି ସ୍ପୋର୍ଟକିଙ୍ଗ୍ ଇଣ୍ଡିଆ ଲିମିଟେଡ୍ ଖୋର୍ଦ୍ଧାରେ ୨୦୫୫ କୋଟି ନିବେଶ କରି ବାର୍ଷିକ ୬୨ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏକ କପା ଓ ମିଶ୍ରିତ ସୂତା ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ। ଏହାଦ୍ୱାରା ୪,୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking