ବେଙ୍ଗାଲୁରୁ: କରୋନା ଭୂତାଣୁ ବିଶ୍ୱସ୍ତରରେ ପୁଣିଥରେ ନିଜ ସଂକ୍ରମଣ ଖେଳ ଆରମ୍ଭ କରିଥିବା ବେଳେ ଭାରତରେ ମଧ୍ୟ ନୂଆ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ରିପୋର୍ଟ ଅନୁସାରେ ଗୁରୁବାର କର୍ଣ୍ଣାଟକରେ ନୂଆ ୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି। ଏମାନଙ୍କୁ ମିଶାଇ ଦେଶରେ ମୋଟ୍ କରୋନା ସଂଖ୍ୟା ୧୦୧୦କୁ ବୃଦ୍ଧି ପାଇଥିବା ସରକାରୀ ତଥ୍ୟ ଦର୍ଶାଉଛି। ସେହିପରି କର୍ଣ୍ଣାଟକରେ ଜଣେ, ମହାରାଷ୍ଟ୍ରରେ ୩ଜଣ ଏବଂ କେରଳରେ ୨ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି। କିନ୍ତୁ ବାସ୍ତବିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୦ରୁ ଅଧିକ ଏବଂ ମୋଟ୍ ମୃତ୍ୟୁ ସଂଖ୍ୟା ୧୬ରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
କିଛି ବର୍ଷର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି କୋଭିଡ-୧୯ ଭୂତାଣୁ। ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ଗତ ୧୯ ତାରିଖ ପରଠାରୁ ପଶ୍ଚିମବଙ୍ଗରେ ୧୧ଜଣ, ଉତ୍ତରପ୍ରଦେଶରେ ୧୫ଜଣ, ରାଜସ୍ଥାନରେ ୧୧ଜଣ, ମହାରାଷ୍ଟ୍ରରେ ୧୫୪ଜଣ, କେରଳରେ ୩୩୫ଜଣ, କର୍ଣ୍ଣାଟକରେ ୩୪ଜଣ, ଗୁଜରାଟରେ ୭୬ଜଣ ଏବଂ ଦିଲ୍ଲୀରେ ୯୯ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ଅନ୍ୟ ପ୍ରଦେଶଗୁଡ଼ିକରେ ମଧ୍ୟ ଏକ ଅଙ୍କ ବିଶିଷ୍ଟ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ସଂଗୃହୀତ ୩୫୬ ସାମ୍ପଲ୍ ଆଧାରରେ ଦୈନିକ ସଂକ୍ରମଣ ହାର ୧୦.୧୨% ରହିଛି। ତେବେ କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହନ୍ତି କେନ୍ଦ୍ର ସରକାର। ପ୍ରକାଶ, ମେ’ ମାସରେ, କେରଳରେ ସର୍ବାଧିକକୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେରଳର ଡାକ୍ତରଖାନାଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ଏବଂ ଥଣ୍ଡା ଓ କାଶ ଲକ୍ଷଣ ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପଡ଼ୋଶୀ କର୍ଣ୍ଣାଟକରେ ମଧ୍ୟ କୋଭିଡ୍ ମାମଲାରେ ସାମାନ୍ୟ ବୃଦ୍ଧି ଘଟିଛି। ଏସବୁ ମଧ୍ୟରେ ଚଣ୍ଡିଗଡ଼ରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲେ ମଧ୍ୟ ସରକାରୀ ଡାଟାବେସ୍ରେ ଏନେଇ ଅପଡେଟ୍ କରାଯାଇନାହିଁ। ସଂକ୍ରମିତ ବ୍ୟକ୍ତିଙ୍କୁ ଲୁଧିଆନାରୁ ଜିଏମ୍ସିଏଚ୍ ସେକ୍ଟର ୩୨କୁ ସ୍ଥାନାନ୍ତର କରାଯାଇଛି।