ଝାନ୍ସୀ: ଜଣେ ୪ ବର୍ଷର ଶିଶୁକନ୍ୟା ‘ଦର୍ଶିତା’ ନିଜ ମା’ର ହତ୍ୟାକାରୀ ସମ୍ପର୍କରେ ପୁଲିସ୍କୁ ସୂଚନା ଦେଇଛି। ଚିତ୍ର ଆଙ୍କି ନିଜ ମାଆ ମୃତ୍ୟୁର ରହସ୍ୟକୁ ସାମ୍ନାକୁ ଆଣିଛି। ପୁଲିସ୍ ମଧ୍ୟ ଶିଶୁକନ୍ୟାର ବୟାନ ଆଧାରରେ ଅଭିଯୁକ୍ତ ବାପାକୁ ଗିରଫ କରିଛି। ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରୁ ଏଭଳି ଏକ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ଆସିଛି। ଏଠାରେ ସନ୍ଦୀପ ବୁଧୋଲିଆ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସୋନାଲୀ(୨୭)ଙ୍କୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ସୋନାଲୀ ଚେତାଶୂନ୍ୟ ହୋଇପଡିଥିଲେ। ସୋନାଲୀ ମରିଯାଇଥିବା ଭାବି ସନ୍ଦୀପ ଫ୍ୟାନ୍ରେ ରଶି ଲଗାଇ ତାଙ୍କୁ ଝୁଲାଇ ଦେଇଥିଲେ। ବାସ୍ତବରେ ସେ ଏହି ହତ୍ୟାଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ। ତେବେ ଏସବୁ ଘଟଣା ସେ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ କରିଥିଲେ ମଧ୍ୟ ନିଜ ୪ ବର୍ଷର ଝିଅ ଦର୍ଶିତା ଆଖିରୁ ବଞ୍ôଚପାରିନଥିଲେ। ଠିକ୍ ଭାବେ କଥା କହିପାରୁନଥିବା ଝିଅ ଦର୍ଶିତା ଯେ, ଚିତ୍ର ଆଙ୍କି ପୁଲିସ୍କୁ ସବୁକଥା କହିଦେବ ବୋଲି ସେ କଳ୍ପନାରେ ସୁଦ୍ଧା ଭାବିନଥିଲେ।
କିନ୍ତୁ ଝିଅଟି ସବୁକିଛି କହିଦେଇଥିଲା ନିଜ ଚିତ୍ର ମାଧ୍ୟମରେ। ପୁଲିସ୍ ମଧ୍ୟ ଯେତେବେଳେ ପ୍ରଥମେ ଘଟଣାସ୍ଥଳରେ ପହଞ୍ôଚଥିଲା ସେତେବେଳେ ପରିସ୍ଥିତିକୁ ଦେଖି ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି ଭାବିବା ଆରମ୍ଭ କରିଥିଲା। ଅପରପକ୍ଷେ ଯେତେବେଳେ ଦର୍ଶିତାଙ୍କୁ ଦେଖି ସହାନୁଭୂତି ପୂର୍ବକ ଜଣେ ପୁଲିସ୍ ଅଫିସର କିଛି ପଚାରିଥିଲେ ସେତେବେଳେ ଦର୍ଶିିତା ଏକ ସାଧା କାଗଜରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ପୁଲିସ୍ ପ୍ରଥମେ କିଛି ବୁଝି ପାରିନଥିଲେ ମଧ୍ୟ ଦର୍ଶିତା ଯେତେ ଯେତେ ଚିତ୍ର ଆଙ୍କି ଚାଲିଥିଲେ ପୁଲିସ୍ର ଆଖିଆଗରେ ସବୁକିଛି ଗୁମର ଖୋଲି ଖୋଲି ଯାଇଥିଲା। ସେହିପରି ସୋନାଲୀଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ୨୦୧୯ରେ ବିବାହ ସମୟରେ ୨୫ ଲକ୍ଷରୁ ଅଧିକ ଟଙ୍କା ସହ ଅନ୍ୟାନ୍ୟ ସୁନା ଅଳଙ୍କାର ତଥା ଆସବାବପତ୍ର, ଗାଡ଼ି ଆଦି ମଧ୍ୟ ଯୌତୁକ ଦିଆଯାଇଥିବା ସତ୍ତ୍ୱେ ବିବାହର କିଛି ବର୍ଷ ମଧ୍ୟରେ ସନ୍ଦୀପ ଏବଂ ତାଙ୍କ ପରିବାର ଲୋକେ ବାରମ୍ବାର ଅଧିକ ଯୌତୁକ ଆଣିବା ପାଇଁ ସୋନାଲୀଙ୍କ ଉପରେ ଚାପ ପକାଉଥିଲେ।
ଏହାକୁ ନେଇ ସେ ସୋନାଲୀଙ୍କୁ ନିୟମିତ ମାଡ଼ ମଧ୍ୟ ମାରୁଥିଲେ। ବିଶେଷକରି ଦର୍ଶିତା ଜନ୍ମ ହେବା ପରେ ସେମାନେ ସୋନାଲୀଙ୍କୁ ଅଧିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ, କାରଣ ସେମାନଙ୍କୁ ପୁଅ ଦରକାର ଥିଲା। ତେବେ ୪ବର୍ଷର ଝିଅ ଦର୍ଶିତା ଏସବୁ କିଛି ଘଟଣା ମଧ୍ୟ ପୁଲିସ୍କୁ ଚିତ୍ର ମାଧ୍ୟମରେ ଜଣାଇଛନ୍ତି। ଦର୍ଶିତା ଚିତ୍ର ମାଧ୍ୟମରେ କହିଥିଲେ ଯେ, ତାଙ୍କ ମାଙ୍କୁ ବାପା ସନ୍ଦୀପ ହିଁ ହତ୍ୟା କରିଛନ୍ତି। ବାପା ପ୍ରାୟତଃ ମା’ଙ୍କୁ ମାଡ଼ ମାରୁଥିଲେ। ଗୋଟିଏ ଦିନ ସେ ମାଆଙ୍କୁ ସିଡ଼ିରୁ ତଳକୁ ଠେଲି ଦେଇଥିଲେ। ହତ୍ୟା କରିବା ଦିନ ମା’ଙ୍କୁ ବହୁତ ମାଡ଼ ମାରିବା ପରେ ତାଙ୍କ ବେକରେ ରଶି ଲଗାଇ ତାଙ୍କୁ ହତ୍ୟା କରିଥିଲେ। ଏହା ପରେ ଏକ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲେ। ଏସବୁ କରି ସେ ତାଙ୍କ ବନ୍ଧୁମାନଙ୍କ ସହିତ ବାହାରକୁ ଚାଲିଯାଇଥିଲେ।










