କୋଲାର: କର୍ଣ୍ଣାଟକରେ ଘଟିଯାଇଛି ଜଘନ୍ୟ କାଣ୍ଡ । ୮୦ ବର୍ଷୀୟ ମହିଳାଙ୍କୁ ରେପ୍ କରିବା ପରେ ତାଙ୍କୁ ହତ୍ୟା କରାଯାଇଛି ଏବଂ ତାଙ୍କ ନିକଟରେ ଥିବା ଟଙ୍କା ପଇସା ଲୁଟ୍ କରିଛି ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ପୋଲିସ । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କର୍ଣ୍ଣାଟକର କେଲାର ଜିଲ୍ଲା ଶ୍ରୀନିବାସପୁରାରେ । ଅଭିଯୁକ୍ତ ବାବା ଜାନ୍ (୩୭) ଜାଫର ଖାନ୍ ମୋହଲ୍ଲାରେ ରହୁଥିବା ଜଣାପଡ଼ିଛି । ସୋମବାର ସହରର ମଲବଗଲ ରୋଡରେ ଥିବା ଖୋଲାପଡ଼ିଆ ଗ୍ୟାରେଜରେ ବୃଦ୍ଧାଙ୍କ ମୃତଦେହ ପୋଲିସକୁ ମିଳିଥିଲା । ପ୍ରାଥମିକ ତଦନ୍ତ ଅନୁସାରେ ବୃଦ୍ଧାଙ୍କୁ ରେପ୍ କରିବା ପରେ ତାଙ୍କ ହତ୍ୟା ହୋଇଥିବା ପୋଲିସ ଜାଣିବାକୁ ପାଇଲା । ଚର୍ଚ୍ଚ ଯିବା ପାଇଁ ବୃଦ୍ଧା ଜଣଙ୍କ ଘରୁ ବାହାରି ଥିଲେ । ଚର୍ଚ୍ଚରୁ ଘରକୁ ଫେରିବାବେଳେ ବୃଦ୍ଧା ବସକୁ ଅପେକ୍ଷା କରିଥିଲେ । ସେଠାରେ ଅଭିଯୁକ୍ତ ତାଙ୍କୁ ଦେଖିଥିଲା । ସାହାଯ୍ୟ କରିବାକୁ କହି ବୃଦ୍ଧାଙ୍କୁ ନିଛାଟିଆ ଯାଗାକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲା । ଏହାପରେ ଗଳାଚିପି ବୃଦ୍ଧାଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ବାବା ଜାନ୍ । ବୃଦ୍ଧାଙ୍କ ବ୍ୟାଗରେ ଥିବା ୧୫ ହଜାର ଟଙ୍କା ନେଇ ବାବା ଫେରାର୍ ହୋଇଥିଲା । ତେବେ ସ୍ଥାନୀୟ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ବାବା ଜାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।