15.1 C
Bhubaneswar
Friday, January 16, 2026
Homeଓଡିଶା‘ଅପରେସନ୍ ଷ୍ଟ୍ରାଇକ’ ଅଭିଯାନରେ ରାଜ୍ୟରେ ୩୬୭ ଅବକାରୀ ମାମଲା ରୁଜୁ

‘ଅପରେସନ୍ ଷ୍ଟ୍ରାଇକ’ ଅଭିଯାନରେ ରାଜ୍ୟରେ ୩୬୭ ଅବକାରୀ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ଶାନ୍ତି ଶୃଙ୍ଖଳା, ସୁରକ୍ଷା ଓ ସୁସ୍ଥ ପରିବେଶରେ ପାଳନ ସୁନିଶ୍ଚିତ କରିବା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗତ ୧୪ ତାରିଖ ଦିନ ଓଡ଼ିଶା ପୁଲିସ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ଭାବରେ ‘ଅପରେସନ୍ ଷ୍ଟ୍ରାଇକ’ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ରାଜ୍ୟର ୩୪ଟି ପୁଲିସ ଜିଲ୍ଲା ସାମିଲ ହୋଇ ମଦ୍ୟପାନ କରି ଗାଡ଼ି ଚାଳନା, ନିଶାଦ୍ରବ୍ୟ ଓ ବେଆଇନ ମାରଣାସ୍ତ୍ର ଚୋରାଚାଲାଣ, ଜୁଆ ଆଡ୍ଡା, ଲଘୁ ଖଣିଜ ଦ୍ରବ୍ୟ ଏବଂ ଗୋ-ଚାଲାଣ ଭଳି ଅପରାଧ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ସହ ଜାମିନ ବିହୀନ ଅପରାଧରେ ଲିପ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି। ଏହି ଅଭିଯାନ ସମୟରେ ସାରା ରାଜ୍ୟରେ ୩୬୭ଟି ଅବକାରୀ ମାମଲା ରୁଜୁ କରାଯାଇ ୩୫,୫୯୯ ଲିଟର ଦେଶୀ ମଦ, ୫୭୧.୨୬୧ ଲିଟର ବିଦେଶୀ ମଦ ଏବଂ ୩୮ ବୋତଲ କଫ୍ ସିରଫ ଜବତ ଏବଂ ୨୨ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୧୨ଟି ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧ ଲକ୍ଷ ୮ ହଜାର ଟଙ୍କା ନଗଦ ଜବତ କରାଯାଇଛି। ମଦ୍ୟପାନ କରି ଗାଡ଼ି ଚାଳନା ଅଭିଯୋଗରେ ୨୭୨ଟି ମାମଲା ରୁଜୁ କରାଯାଇ ୧୧ ଲକ୍ଷ ୮୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ନିଶାଦ୍ରବ୍ୟ ଚୋରାଚାଲାଣ ସମ୍ପର୍କରେ ୧୦ଟି ମାମଲା ରୁଜୁ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧୫୯ କେଜି ଗଞ୍ଜେଇ, ୮୯.୦୧ ଗ୍ରାମ ବ୍ରାଉନ ସୁଗାର, ବନ୍ଧୁକ, ମାରଣାସ୍ତ୍ର ଓ ଚାରିଚକିଆ ଯାନ ଜବତ କରାଯାଇଛି। ଏହି ସମୟ ମଧ୍ୟରେ ବେଆଇନ ବନ୍ଧୁକ ଚୋରାଚାଲାଣ ମାମଲାରେ ୪ଟି ମାମଲା ରୁଜୁ କରାଯାଇ ୨ଟି ଦେଶୀ ବନ୍ଧୁକ ଓ ୧ଟି ପିସ୍ତଲ ଜବତ କରାଯିବା ସହ ୧୧ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ସେହିପରି ଜାମିନ ବିହୀନ ଅପରାଧରେ ସାରା ରାଜ୍ୟରେ ୧୮୯ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲା ପୁଲିସ ସର୍ବାଧିକ ୪୭ ଜଣ ଏବଂ କଟକ ସହରାଞ୍ଚଳ ପୁଲିସ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି। ଲଘୁ ଖଣିଜ ଦ୍ରବ୍ୟ ଓ ଗୋ-ଚାଲାଣ ରୋକିବା ଅଭିଯାନରେ ୨୩ଟି ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୨୪ଟି ବାଲି ବୋଝେଇ ଗାଡ଼ି ଏବଂ ୨ଟି ଗୋ-ଚାଲାଣ ଗାଡ଼ି ଜବତ କରାଯାଇଛି। ରାଜ୍ୟରେ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଓ ମାରଣାସ୍ତ୍ର ଚୋରାଚାଲାଣ ରୋକିବା ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପିମାନେ ‘ଅପରେସନ୍ ଷ୍ଟ୍ରାଇକ୍‌’ ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking