19.1 C
Bhubaneswar
Monday, December 29, 2025
Homeଦେଶ ବିଦେଶ୩୫ ଗିଗାଓ୍ବାଟ ସୌରଶକ୍ତି କ୍ଷମତା ଯୋଗ, ମୋଟ ସ୍ଥାପିତ କ୍ଷମତା ୧୩୨.୮୫ ଗିଗାଓ୍ବାଟକୁ ବୃଦ୍ଧି

୩୫ ଗିଗାଓ୍ବାଟ ସୌରଶକ୍ତି କ୍ଷମତା ଯୋଗ, ମୋଟ ସ୍ଥାପିତ କ୍ଷମତା ୧୩୨.୮୫ ଗିଗାଓ୍ବାଟକୁ ବୃଦ୍ଧି

ପ୍ରଧାନମନ୍ତ୍ରୀ ସିଓପି-୨୬ରେ ଘୋଷଣା କରିଥିବା ଦୃଷ୍ଟିକୋଣ ଅନୁଯାୟୀ, ସରକାର ୨୦୩୦ ସୁଦ୍ଧା ୫୦୦ ଗିଗାଓ୍ବାଟ୍ ଅଣ-ପାରମ୍ପରିକ ଶକ୍ତି କ୍ଷମତା ହାସଲ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଭାରତ ଜୁନ୍ ୨୦୨୫ରେ ଅଣ-ପାରମ୍ପରିକ ଇନ୍ଧନ ଉତ୍ସରୁ ଏହାର ମୋଟ ସ୍ଥାପିତ ବିଦ୍ୟୁତ୍ ଶକ୍ତି କ୍ଷମତାର ୫୦ ପ୍ରତିଶତ ହାସଲ କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଏହା ପ୍ୟାରିସ୍ ଚୁକ୍ତିନାମା ଅନ୍ତର୍ଗତ ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି) ଅଧୀନରେ ୨୦୩୦ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ହାସଲ ହୋଇଛି। ଦେଶ ଅଗଷ୍ଟ ୨୦୨୫ରେ ୨୫୦ ଗିଗାଓ୍ବାଟ୍ ସ୍ଥାପିତ ଅଣ-ପାରମ୍ପରିକ ଶକ୍ତି କ୍ଷମତା ହାସଲ କରିଛି। ନଭେମ୍ବର ୨୦୨୫ ସୁଦ୍ଧା, ମୋଟ ସ୍ଥାପିତ ଅଣ-ପାରମ୍ପରିକ ଶକ୍ତି କ୍ଷମତା ୨୬୨.୭୪ ଗିଗାଓ୍ବାଟରେ ପହଞ୍ଚିଛି, ଯାହା ଦେଶର ମୋଟ ସ୍ଥାପିତ ଶକ୍ତି କ୍ଷମତା (୫୦୯.୬୪ ଗିଗାଓ୍ବାଟ) ର ୫୧.୫ ପ୍ରତିଶତ । ଚଳିତ ବର୍ଷ ନବୀକରଣ ଶକ୍ତି କ୍ଷମତାରେ ସର୍ବାଧିକ ବୃଦ୍ଧି ଦେଖାଦେଇଛି। ଚଳିତ ବର୍ଷ (ନଭେମ୍ବର ସୁଦ୍ଧା) ମୋଟ ୪୪.୫୧ ଗିଗାଓ୍ବାଟ୍ ନବୀକରଣୀୟ ଶକ୍ତି କ୍ଷମତା ଯୋଡାଯାଇଛି, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ଯୋଡା ଯାଇଥିବା ୨୪.୭୨ ଗିଗାଓ୍ବାଟ୍ ତୁଳନାରେ ପ୍ରାୟ ଦୁଇଗୁଣ। ନଭେମ୍ବର ୨୦୨୫ରେ ମୋଟ ସ୍ଥାପିତ ନବୀକରଣୀୟ ଶକ୍ତି କ୍ଷମତା ୨୫୩.୯୬ ଗିଗାଓ୍ବାଟରେ ପହଞ୍ଚିଛି, ଯାହା ନଭେମ୍ବର ୨୦୨୪ରେ ୨୦୫.୫୨ ଗିଗାଓ୍ବାଟ୍ ତୁଳନାରେ ୨୩ ପ୍ରତିଶତରୁ ଅଧିକ ବୃଦ୍ଧି। ନବୀକରଣ ଶକ୍ତି କ୍ଷମତାରେ ଏହି ଅଭିବୃଦ୍ଧି କ୍ଷେତ୍ରରେ ସୌର ଶକ୍ତି ଏକ ପ୍ରମୁଖ ଅବଦାନକାରୀ ସାବ୍ୟସ୍ତ ହୋଇଛି। ଗତ ବର୍ଷ ସମାନ ସମୟ ମଧ୍ୟରେ, ସୌର କ୍ଷମତା ୨୦.୮୫ ଗିଗାଓ୍ବାଟ୍ ଯୋଡା ଯାଇଥିଲା, ଏହା ତୁଳନାରେ ଚଳିତବର୍ଷ ସୌର କ୍ଷମତା ୩୪.୯୮ ଗିଗାଓ୍ବାଟ୍ ବୃଦ୍ଧି ପାଇଛି। ଜାନୁଆରୀ ୨୦୨୫ରେ ସ୍ଥାପିତ ସୌର କ୍ଷମତା ୧୦୦ ଗିଗାଓ୍ବାଟ୍ ଅତିକ୍ରମ କରିଥିଲା। ନଭେମ୍ବର ୨୦୨୫ ସୁଦ୍ଧା, ସୌରଶକ୍ତି ସ୍ଥାପିତ କ୍ଷମତା ୧୩୨.୮୫ ଗିଗାଓ୍ବାଟରେ ପହଞ୍ଚିଛି, ଯାହା ନଭେମ୍ବର ୨୦୨୪ରେ ୯୪.୧୭ ଗିଗାଓ୍ବାଟ୍ ତୁଳନାରେ ୪୧ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ପବନ ଶକ୍ତି କ୍ଷମତାରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି, ଗତ ବର୍ଷର ସମାନ ସମୟ ମଧ୍ୟରେ ୩.୨ ଗିଗାଓ୍ବାଟ୍ ତୁଳନାରେ ଏହି ବର୍ଷ ୫.୮୨ ଗିଗାଓ୍ବାଟ୍ ଯୋଡା ହୋଇଛି। ମାର୍ଚ୍ଚ ୨୦୨୫ରେ ପବନ ଶକ୍ତି ସ୍ଥାପିତ କ୍ଷମତା ୫୦ ଗିଗାଓ୍ବାଟ୍ ଅତିକ୍ରମ କରିଛି। ନଭେମ୍ବର ୨୦୨୫ରେ ପବନ ଶକ୍ତି ସ୍ଥାପିତ କ୍ଷମତା ୫୩.୯୯ ଗିଗାଓ୍ବାଟ୍ ରେ ପହଞ୍ଚିଛି, ଯାହା ନଭେମ୍ବର ୨୦୨୪ରେ ୪୭.୯୬ ଗିଗାଓ୍ବାଟ୍ ତୁଳନାରେ ୧୨.୫ ପ୍ରତିଶତରୁ ଅଧିକ ବୃଦ୍ଧି।
୨୯ ଜୁଲାଇ, ୨୦୨୫ରେ, ଭାରତର ବିଦ୍ୟୁତ ଉତ୍ପାଦନରେ ନବୀକରଣ ଶକ୍ତିର ଅବଦାନ ସର୍ବାଧିକ ସ୍ତରରେ ପହଞ୍ଚିଥିଲା । ନବୀକରଣ ଶକ୍ତି ଦେଶର ମୋଟ ବିଦ୍ୟୁତ ଚାହିଦାର ୨୦୩ ଗିଗାଓ୍ବାଟର ୫୧.୫ ପ୍ରତିଶତ ପୂରଣ କରିଥିଲା। (ସନ୍ଦର୍ଭ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୨୯.୧୦.୨୦୨୫ ତାରିଖର ସାର୍ବଜନୀନ ସୂଚନା ବିଜ୍ଞପ୍ତି)। IRENA RE ପରିସଂଖ୍ୟାନ ୨୦୨୫ (ଡିସେମ୍ବର ୨୦୨୪ ସୁଦ୍ଧା) ଅନୁଯାୟୀ, ଭାରତ ବିଶ୍ୱ ସ୍ତରରେ ସ୍ଥାପିତ ସୌର କ୍ଷମତାରେ ତୃତୀୟ, ପବନ କ୍ଷମତାରେ ଚତୁର୍ଥ ଏବଂ ମୋଟ ନବୀକରଣୀୟ ଶକ୍ତି କ୍ଷମତାରେ ଚତୁର୍ଥ ସ୍ଥାନରେ ଅଛି।
୩୦ ନଭେମ୍ବର ୨୦୨୫ ସୁଦ୍ଧା ଦେଶରେ କ୍ରମାଗତ ସ୍ଥାପିତ ନବୀକରଣୀୟ ଶକ୍ତି କ୍ଷମତାର ବିବରଣୀ:

୨୦୨୫ର ପ୍ରମୁଖ ସଫଳତା ଓ କାର୍ଯ୍ୟକ୍ରମ
ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ୍ ଯୋଜନା:
ସରକାର ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍ତ ବିଜଲି ଯୋଜନା (ପିଏମଏସଜି-ଏମବିଓ୍ବାଇ) ଆରମ୍ଭ କରିଥିଲେ। ଏହା ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ଦେଶବ୍ୟାପୀ ୧୦ ନିୟୁତ ଆବାସିକ ପରିବାରରେ ଛାତ ଉପରେ ସୌର ପ୍ୟାନେଲ (ଆରଟିଏସ) ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଏହି ଯୋଜନା ପାଇଁ ୭୫୦୨୧ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ପିଏମଏସଜି-ଏମବିଓ୍ବାଇ ହେଉଛି ଛାତ ଉପରେ ସୌର (ଆରଟିଏସ) ସିଷ୍ଟମ ସ୍ଥାପନ ପାଇଁ ଏକ ଚାହିଦା-ଚାଳିତ ଯୋଜନା। ଦେଶବ୍ୟାପୀ ସ୍ଥାନୀୟ ବିତରଣ କମ୍ପାନିରୁ ଗ୍ରୀଡ୍-ସଂଯୁକ୍ତ ବିଦ୍ୟୁତ୍ ସଂଯୋଗ ଥିବା ସମସ୍ତ ଆବାସିକ ଗ୍ରାହକ ଯୋଜନାର ଜାତୀୟ ପୋର୍ଟାଲରେ ଆବେଦନ କରି ଯୋଜନାର ଲାଭ ପାଇପାରିବେ। ଚଳିତ ବର୍ଷ ଏହି ଯୋଜନାଟି ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ୨୨ ଡିସେମ୍ବର ପର୍ଯ୍ୟନ୍ତ, ସାରା ଦେଶରେ ପ୍ରାୟ ୧୪.୪୩ ଲକ୍ଷ ଆରଟିଏସ୍ ସିଷ୍ଟମ ସ୍ଥାପନ କରାଯାଇଛି, ଯାହା ଏହି ଯୋଜନା ଅଧୀନରେ ୧୮.୧୪ ଲକ୍ଷରୁ ଅଧିକ ପରିବାରକୁ ଲାଭ ଦେଇଛି।

ପ୍ରଧାନମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିୟାନ (ପିଏମ-କୁସୁମ):
ଚଳିତ ବର୍ଷ ଏହି ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା, ସଚେତନତା ବୃଦ୍ଧି କରିବା ଏବଂ କ୍ଷମତା ନିର୍ମାଣକୁ ସୁଦୃଢ଼ କରିବା ପାଇଁ ସମନ୍ୱିତ ପ୍ରୟାସ କରାଯାଇଥିଲା। ଫଳସ୍ୱରୂପ, ଯୋଜନାଟି ଭୌତିକ ଏବଂ ଆର୍ଥିକ ଉଭୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ୩୦ ନଭେମ୍ବର ୨୦୨୫ ସୁଦ୍ଧା, ପିଏମ-କୁସୁମ ଯୋଜନା ଅଧୀନସ୍ଥ କମ୍ପୋନଣ୍ଟ ଏ ଅଧୀନରେ ୬୬୭.୩୧ ମେଗାଓ୍ବାଟ ସୌରଶକ୍ତି କ୍ଷମତା ସ୍ଥାପନ କରାଯାଇଛି। କେବଳ ଚଳିତ ବର୍ଷ ୨୭୦.୩୩ ମେଗାଓ୍ବାଟ୍ କ୍ଷମତା ଯୋଗ ହୋଇଛି । ସେହିପରି କମ୍ପୋନଣ୍ଟ ବି ଅଧୀନରେ ୯.୪୨ ଲକ୍ଷରୁ ଅଧିକ ଷ୍ଟାଣ୍ଡଆଲୋନ୍ ସୌର କୃଷି ପମ୍ପ ସ୍ଥାପନ କରାଯାଇଛି। କମ୍ପୋନଣ୍ଟ ସି ଅଧୀନରେ ୧୦.୯୯ ଲକ୍ଷରୁ ଅଧିକ ଗ୍ରୀଡ୍-ସଂଯୁକ୍ତ କୃଷି ପମ୍ପ ସୌରଶକ୍ତି ଦ୍ୱାରା ପରିଚାଳିତ ହୋଇଛି। ୨୦୨୫ ମସିହାରେ ପିଏମ-କୁସୁମ ପାଇଁ ଏପର୍ଯ୍ୟନ୍ତ ୨୭୦୬ କୋଟି ଟଙ୍କା ବ୍ୟୟ କରାଯାଇଛି। ଏହା ଯୋଜନା ଆରମ୍ଭ ହେବା ପରଠାରୁ ଜାରି ହୋଇଥିବା ମୋଟ ପାଣ୍ଠିର ପ୍ରାୟ ୩୮ ପ୍ରତିଶତ।

ଜାତୀୟ ସବୁଜ ହାଇଡ୍ରୋଜେନ ମିସନ
ବାର୍ଷିକ ୪୫୦,୦୦୦ ଟନ୍ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ହାସଲ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏଥିପାଇଁ ପ୍ରାୟ ୨,୨୩୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏସଇସିଆଇ ବାର୍ଷିକ ୭୨୪,୦୦୦ ଟନ୍ ସବୁଜ ଆମୋନିଆ ଉତ୍ପାଦନ ଏବଂ ଯୋଗାଣ ପାଇଁ ସାର ୟୁନିଟ୍ ପାଇଁ ମୂଲ୍ୟ ସ୍ଥିର କରିଛି। ଏଥିପାଇଁ ପ୍ରାୟ ୧୫୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ କମ୍ପାନିର ରିଫାଇନାରୀଗୁଡ଼ିକୁ ବାର୍ଷିକ ୨୦,୦୦୦ ମେଟ୍ରିକ୍ ଟନ୍ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ଯୋଗାଣ ପାଇଁ ପ୍ରକଳ୍ପ ଆବଣ୍ଟିତ କରାଯାଇଛି। ଇସ୍ପାତ କ୍ଷେତ୍ରରେ ହାଇଡ୍ରୋଜେନ୍ ବ୍ୟବହାର ପାଇଁ ଚାରୋଟି ପାଇଲଟ୍ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯେଉଁଥିରେ ପ୍ରାୟ ୧୦୬ କୋଟି ଟଙ୍କାର ପାଣ୍ଠି ରହିଛି। ପରିବହନ କ୍ଷେତ୍ରରେ ହାଇଡ୍ରୋଜେନ୍-ଇନ୍ଧନ ଚାଳିତ ଯାନ ଏବଂ ହାଇଡ୍ରୋଜେନ୍ ଇନ୍ଧନ ଷ୍ଟେସନ୍ ନିୟୋଜିତ କରିବା ପାଇଁ ଏକ ପାଇଲଟ୍ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି, ଯାହାର ପ୍ରାୟ ୧୭ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଟୁଟିକୋରିନ୍ର ଭି.ଓ. ଚିଦାମ୍ବରନାର ବନ୍ଦରରେ ବଙ୍କର ଓ ରିଫୁଏଲିଂ ବ୍ୟବସ୍ଥା ପାଇଁ ପ୍ରକଳ୍ପ ଆବଣ୍ଟିତ ହୋଇଛି । ଏହି ପାଇଲଟ୍ ପ୍ରକଳ୍ପ ପାଇଁ ୩୫ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଏହି ମିଶନ ଅଧୀନରେ ଗବେଷଣା ଏବଂ ବିକାଶ ପାଇଁ ତେଇଶଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାୟ ୧୧୫ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଗ୍ରୀନ୍ ହାଇଡ୍ରୋଜେନ୍ ମୂଲ୍ୟ ଶୃଙ୍ଖଳରେ ପରୀକ୍ଷଣ ସୁବିଧାର ବିକାଶ ପାଇଁ ପାଞ୍ଚଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ, ଯାହାର ୧୧୪ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଚାରୋଟି ପ୍ରକଳ୍ପକୁ ହାଇଡ୍ରୋଜେନ୍ ଭ୍ୟାଲି ଇନୋଭେସନ୍ କ୍ଲଷ୍ଟର୍ ଭାବରେ ବିକଶିତ କରିବା ପାଇଁ ଚୁକ୍ତିନାମା ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ପ୍ରାୟ ୧୭୦ କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଭାରତର ସବୁଜ ହାଇଡ୍ରୋଜେନ୍ ପ୍ରମାଣପତ୍ର ଯୋଜନା (ଜିଏଚସିଆଇ) ଏପ୍ରିଲ ୨୦୨୫ ରେ ଆରମ୍ଭ କରାଯାଇଥିଲା। ଗୁରୁଗ୍ରାମ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୋଲାର ଏନର୍ଜି (ଏନଆଇଏସଇ) ମୋବିଲିଟି (ଯାନବାହାନ) କ୍ଷେତ୍ରରେ ହାଇଡ୍ରୋଜେନର ବ୍ୟବହାର ଉପରେ ଏକ ପାଇଲଟ୍ ପ୍ରୋଜେକ୍ଟ ପାଇଁ ଟୟୋଟା କିର୍ଲୋସ୍କର ମୋଟର୍ସ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ତୃତୀୟ ଅନ୍ତର୍ଜାତୀୟ ସବୁଜ ହାଇଡ୍ରୋଜେନ ସମ୍ମିଳନୀ (ଆଇସିଜିଏଚ ୨୦୨୫) ଅନୁଷ୍ଠିତ ହୋଇଥିଲା। ଭାରତ ସେପ୍ଟେମ୍ବର-ଅକ୍ଟୋବର ୨୦୨୫ରେ ବେଲଜିୟମର ବ୍ରସେଲ୍ସରେ ଅନୁଷ୍ଠିତ ୟୁରୋପୀୟ ହାଇଡ୍ରୋଜେନ ସପ୍ତାହ ଏବଂ ମେ ୨୦୨୫ରେ ନେଦରଲ୍ୟାଣ୍ଡର ରୋଟରଡାମରେ ଅନୁଷ୍ଠିତ ବିଶ୍ୱ ହାଇଡ୍ରୋଜେନ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲା।

ସୌରଶକ୍ତି
ଚଳିତ ବର୍ଷ (ନଭେମ୍ବର ସୁଦ୍ଧା) ସୌରଶକ୍ତି କ୍ଷମତା ୩୪.୯୮ ଗିଗାଓ୍ବାଟ୍ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ୨୦.୮୫ ଗିଗାଓ୍ବାଟ୍ ଥିଲା। ଜାନୁଆରୀ ୨୦୨୫ ରେ ସ୍ଥାପିତ ସୌରଶକ୍ତି କ୍ଷମତା ୧୦୦ ଗିଗାଓ୍ବାଟ୍ ଅତିକ୍ରମ କରିଛି। ନଭେମ୍ବର ୨୦୨୫ ରେ ସ୍ଥାପିତ ସୌରଶକ୍ତି କ୍ଷମତା ୧୩୨.୮୫ ଗିଗାଓ୍ବାଟ୍ ରେ ପହଞ୍ଚିଛି, ଯାହାକି ନଭେମ୍ବର ୨୦୨୪ ରେ ଯୋଗ ହୋଇଥିବା ୯୪.୧୭ ଗିଗାଓ୍ବାଟ୍ ତୁଳନାରେ ୪୧ ପ୍ରତିଶତରୁ ଅଧିକ ବୃଦ୍ଧି। ଅନ୍ୟପକ୍ଷରେ ସୌରଶକ୍ତି ପାର୍କ ଏବଂ ଅଲଟ୍ରା-ମେଗା ସୌରଶକ୍ତି ପ୍ରକଳ୍ପ ବିକାଶ ଯୋଜନା ଅଧୀନରେ, ୨୦୨୫ (୩୦.୧୧.୨୦୨୫ ପର୍ଯ୍ୟନ୍ତ) ବିଭିନ୍ନ ସୌରଶକ୍ତି ପାର୍କରେ ପ୍ରାୟ ୩,୦୮୪ ମେଗାଓ୍ବାଟ ର ସଂଚୟିତ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି। ୩୦.୧୧.୨୦୨୫ ସୁଦ୍ଧା, ସରକାରୀ ସଂସ୍ଥାଗୁଡ଼ିକ ସିପିଏସୟୁ ଯୋଜନା ପର୍ଯ୍ୟାୟ -୨ ଅଧୀନରେ ୨୦୨୫ ମଧ୍ୟରେ ପ୍ରାୟ ୨.୮୭ ଗିଗାଓ୍ବାଟ୍

ସୌରଶକ୍ତି ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିଲେ।
ଜିଏସଟି ହ୍ରାସ: ୨୨ ସେପ୍ଟେମ୍ବର ୨୦୨୫ ଠାରୁ ସୌରଶକ୍ତି-ଆଧାରିତ ଉପକରଣ, ସୌରଶକ୍ତି ଜେନେରେଟର, ସୌର ଲଣ୍ଠନ/ସୌର ଲ୍ୟାମ୍ପ, ଫଟୋଭୋଲଟାଇକ୍ ସେଲ୍ ଆଦି ଉପରେ ଲାଗୁ ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି ।

ସୌର ପିଭି ଉତ୍ପାଦନ
ସୌର ମଡ୍ୟୁଲ୍ ଉତ୍ପାଦନ କ୍ଷମତାର ବିସ୍ତାର: ଭାରତ ସୌର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ସୌର ମଡ୍ୟୁଲ୍ ପାଇଁ ଅନୁମୋଦିତ ମଡେଲ୍ ଏବଂ ନିର୍ମାତା ତାଲିକା (ଏଏଲଏମଏଣ) ଅଧୀନରେ ସ୍ୱଦେଶୀ ସୌର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ପ୍ରତିବର୍ଷ ପ୍ରାୟ ୧୪୪ ଗିଗାଓ୍ବାଟ୍ ରେ ପହଞ୍ଚିଛି। କେବଳ କ୍ୟାଲେଣ୍ଡର ବର୍ଷ ୨୦୨୫ ରେ ପ୍ରାୟ ୮୧ ଗିଗାଓ୍ବାଟ୍ ଯୋଡାଯିବ। ଏହା ୨୦୨୪ରେ ଯୋଡା ହୋଇଥିବା ପ୍ରାୟ ୪୧ ଗିଗାଓ୍ବାଟ୍ ତୁଳନାରେ ପ୍ରାୟ ୯୯ ପ୍ରତିଶତର ଏକ ପ୍ରଭାବଶାଳୀ ବାର୍ଷିକ ଅଭିବୃଦ୍ଧିକୁ ପ୍ରତିନିଧିତ୍ୱ କରେ।

ପବନ ଶକ୍ତି:
ଚଳିତ ବର୍ଷ (ନଭେମ୍ବର ପର୍ଯ୍ୟନ୍ତ), ପବନ ଶକ୍ତି କ୍ଷମତା ୫.୮୨ ଗିଗାଓ୍ବାଟ୍ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ସମୟ ମଧ୍ୟରେ ୩.୨ ଗିଗାଓ୍ବାଟ୍ ଥିଲା। ସ୍ଥାପିତ ପବନ ଶକ୍ତି କ୍ଷମତା ୨୦୨୫ ମାର୍ଚ୍ଚରେ ୫୦ ଗିଗାଓ୍ବାଟ୍ ଅତିକ୍ରମ କରିଥିଲା। ସ୍ଥାପିତ ପବନ ଶକ୍ତି କ୍ଷମତା ନଭେମ୍ବର ୨୦୨୫ ରେ ୫୩.୯୯ ଗିଗାଓ୍ବାଟ୍ ରେ ପହଞ୍ଚିଥିଲା, ଯାହା ନଭେମ୍ବର ୨୦୨୪ ରେ ୪୭.୯୬ ଗିଗାଓ୍ବାଟ୍ ତୁଳନାରେ ୧୨.୫ ପ୍ରତିଶତରୁ ଅଧିକ ବୃଦ୍ଧି। ଦେଶରେ ପବନ ଟର୍ବାଇନର ପରୀକ୍ଷଣ ଏବଂ ପ୍ରମାଣପତ୍ର ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ ସୀମିତ ସଂଖ୍ୟକ ପ୍ରୋଟୋଟାଇପ୍ ପବନ ଟର୍ବାଇନ୍ ସ୍ଥାପନକୁ ସହଜ କରିବା ପାଇଁ ପ୍ରୋଟୋଟାଇପ୍ ପବନ ଟର୍ବାଇନ୍ ମଡେଲ୍ ସ୍ଥାପନ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ୧୨ ଜୁନ୍ ୨୦୨୫ରେ ଜାରି କରାଯାଇଥିଲା।

ଭୂ-ତାପଜ ଶକ୍ତି
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଡିଜି ହାଇଡ୍ରୋକାର୍ବନ, ଓଏନଜିସି ଏବଂ ଅଏଲ୍ ଇଣ୍ଡିଆ ଲିମିଟେଡ୍ ସମେତ ସମ୍ପର୍କିତ ମନ୍ତ୍ରଣାଳୟ ତଥା ଏଜେନ୍ସିଗୁଡ଼ିକ ସହିତ ଉପଯୁକ୍ତ ପରାମର୍ଶ ପରେ, ୨୦୭୦ ସୁଦ୍ଧା ନେଟ୍ ଶୂନ୍ୟ କାର୍ବନ ନିର୍ଗମନ ପ୍ରତି ଭାରତର ପ୍ରତିବଦ୍ଧତାକୁ ସମର୍ଥନ କରିବା ସହିତ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ପାଇଁ ଜାତୀୟ ଭୂତାପଜ ଶକ୍ତି ନୀତି (୨୦୨୫) ସେପ୍ଟେମ୍ବର ୧୫, ୨୦୨୫ ରେ ଅଧିସୂଚିତ କରାଯାଇଥିଲା। ଏହି ନୀତିର ଲକ୍ଷ୍ୟ ଗବେଷଣା, ନବସୃଜନ, ପ୍ରଯୁକ୍ତିବିଦ୍ୟା, ଇକୋସିଷ୍ଟମ ବିକାଶ, କ୍ଷମତା ନିର୍ମାଣ ଏବଂ ସହଭାଗୀତା ମାଧ୍ୟମରେ ଅବ୍ୟବହୃତ ସମ୍ଭାବନାକୁ ଉପଯୋଗ କରିବା।

ଗବେଷଣା ଏବଂ ବିକାଶ
ପେରୋଭସ୍କାଇଟ୍ ସୌର ସେଲ୍ କ୍ଷେତ୍ରରେ, ଆଇଆଇଟି ବମ୍ବେରେ ଥିବା ଏକ ଏମଏନଆରଇ-ପ୍ରାୟୋଜିତ ପ୍ରକଳ୍ପ ୨୬ ପ୍ରତିଶତ ସହିତ ବିଶ୍ୱର ଦ୍ୱିତୀୟ ସର୍ବୋଚ୍ଚ ଦକ୍ଷତା ସେଲ୍ ବିକଶିତ କରିଛି। ଏହା ଚାରି-ଟର୍ମିନାଲ ପେରୋଭସ୍କାଇଟ୍-ସିଲିକନ୍ ଟାଣ୍ଡେମ୍ ସୌର ସେଲ୍ ପାଇଁ ୩୦.୨ ପ୍ରତିଶତ ଶକ୍ତି ପରିବର୍ତ୍ତନ ଦକ୍ଷତା ମଧ୍ୟ ହାସଲ କରିଛି। ଏହା ସହିତ, ସିଏସଆଇଆର-ଏନପିଏଲ ସୌର ସେଲ୍ କାଲିବ୍ରେସନ୍ ପାଇଁ ଭାରତର ପ୍ରଥମ ଜାତୀୟ ପ୍ରାଥମିକ ମାନକ ସୁବିଧା ପ୍ରତିଷ୍ଠା କରିଛି।

ଜୈବିକଶକ୍ତି
୨୦୨୫ ମସିହାରେ (ନଭେମ୍ବର ସୁଦ୍ଧା), ଦୈନିକ ୬୮୪.୩୩ ଟନ କ୍ଷମତା ବିଶିଷ୍ଟ ୫୯ଟି ସଙ୍କୁଚିତ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ, ଦୈନିକ ୨୧.୫ ଟନ କ୍ଷମତା ବିଶିଷ୍ଟ ୮ଟି ବାୟୋମାସ୍ ପେଲେଟ୍/ବ୍ରିକେଟ ପ୍ଲାଣ୍ଟ, ୫୬୦୪୦ m³/ଦିନ ମୋଟ କ୍ଷମତା ବିଶିଷ୍ଟ ୪ଟି ବାୟୋମାସ୍ ପ୍ଲାଣ୍ଟ ଏବଂ ୮୯.୮୬ ମେଗାୱାଟ୍ ମୋଟ କ୍ଷମତା ବିଶିଷ୍ଟ ୧୨ଟି ଜୈବଶକ୍ତି ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି। ମନ୍ତ୍ରଣାଳୟ, ୟୁନିଡୋ ଏବଂ ଟେରି ସହଯୋଗରେ, “ଜୈବ ବାୟୋମିଥାନେସନ୍ ଏବଂ ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ବାୟୋଗ୍ୟାସ୍/ସଙ୍କୁଚିତ ବାୟୋଗ୍ୟାସ୍ (ସିବିଜି) ପ୍ଲାଣ୍ଟ ଡେଭଲପର ଏବଂ ଅନ୍ୟାନ୍ୟ ସମ୍ବନ୍ଧିତ ଅଂଶୀଦାରମାନଙ୍କ ପାଇଁ ଏହାର ପ୍ରୟୋଗ” ଉପରେ ୯ଟି କ୍ଷମତା ନିର୍ମାଣ ଏବଂ ସଚେତନତା କର୍ମଶାଳା ଆୟୋଜନ କରିଥିଲା। ଭାରତୀୟ ସବୁଜ ଶକ୍ତି ସଂଘ ସହଯୋଗରେ ଅଗଷ୍ଟ ୧୦ ତାରିଖରେ ଜାତୀୟ ଜୈବ ଇନ୍ଧନ ଦିବସ ପାଳନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଜନମନ ଏବଂ ଡିଏଜେଜିୟୁଏ ଅଧୀନରେ ନୂତନ ସୌର ଶକ୍ତି ଯୋଜନା
ପ୍ରଧାନମନ୍ତ୍ରୀ ଜନ୍ମଭୂମି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ ଜନମନ) ଏବଂ ଧାର୍ତି ଆଭା ଆଦିବାସୀ ଗ୍ରାମ ଉତ୍କୃଷ୍ଟ ଅଭିଯାନ (ଡିଏଜେଜିୟୁଏ) ଅଧୀନରେ ଆଦିବାସୀ ଏବଂ ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ବସତି/ଗ୍ରାମ ପାଇଁ ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଏକ ନୂତନ ସୌର ଶକ୍ତି ଯୋଜନା କାର୍ଯ୍ୟକାରୀ କରୁଛି। ଏହି ଯୋଜନା ଅଧୀନରେ, ଆଦିବାସୀ ଏବଂ ପିଭିଟିଜି ପରିବାର, ବହୁମୁଖୀ କେନ୍ଦ୍ର ଏବଂ ଆଦିବାସୀ ଏବଂ ପିଭିଟିଜି ଅଞ୍ଚଳରେ ଅବସ୍ଥିତ ସାର୍ବଜନୀନ ପ୍ରତିଷ୍ଠାନଗୁଡ଼ିକୁ ଅଫ-ଗ୍ରୀଡ୍ ସିଷ୍ଟମ (ସୌର ଗୃହ ଆଲୋକୀକରଣ ପ୍ରଣାଳୀ/ସୌର ମିନି-ଗ୍ରୀଡ୍) ଯୋଗାଇ ଦିଆଯାଇଛି ଯେଉଁଠାରେ ଗ୍ରୀଡ୍ ବିଦ୍ୟୁତୀକରଣ ଟେକ୍ନୋଲୋଜି-ଅର୍ଥନୈତିକ ଭାବରେ ଅସମ୍ଭବ। ଏହି ଯୋଜନା ଅଧୀନରେ, ୩୦ ନଭେମ୍ବର ୨୦୨୫ ମୋଟ ୧୯୧୯ ପରିବାରକୁ ବିଦ୍ୟୁତୀକରଣ କରାଯାଇଛି।

ଅନ୍ତର୍ଜାତୀୟ ସହଯୋଗ
ନବୀକରଣୀୟ ଶକ୍ତି ସହଯୋଗ କ୍ଷେତ୍ରରେ ମିଳିତ କାର୍ଯ୍ୟକଳାପ ଚିହ୍ନଟ ଏବଂ ନିର୍ମାଣ କରିବା ପାଇଁ ଚଳିତ ବର୍ଷ ଜାପାନ, ଯୁକ୍ତରାଜ୍ୟ, ତାଜିକିସ୍ତାନ, ଇଜିପ୍ଟ, ନରୱେ, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ, ଜର୍ମାନୀ, ଶ୍ରୀଲଙ୍କା ଏବଂ ଡେନମାର୍କ ସମେତ ଅଂଶୀଦାରମାନଙ୍କ ସହିତ ମିଳିତ କାର୍ଯ୍ୟ ଗୋଷ୍ଠୀ, କାର୍ଯ୍ୟ ବାହିନୀ ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ/ବହୁପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ରାଜିଲ, ଜାପାନ, ଭୂଟାନ ଓ ଜୋର୍ଡାନ ସହିତ ବୁଝାମଣାପତ୍ର ଏବଂ ମିଳିତ ଆଗ୍ରହ ଘୋଷଣାନାମା ମାଧ୍ୟମରେ, ମନ୍ତ୍ରଣାଳୟ ସ୍ୱଚ୍ଛ ହାଇଡ୍ରୋଜେନ/ସ୍ୱଚ୍ଛ ଆମୋନିଆ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବୃଦ୍ଧି କରିଛି।

ମନ୍ତ୍ରଣାଳୟର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକ୍ରମ:
ମନ୍ତ୍ରଣାଳୟ ୨୪ ଫେବୃଆରୀ, ୨୦୨୫ରେ ମୁମ୍ବାଇରେ ନବୀକରଣୀୟ ଶକ୍ତି ପାଇଁ ଅର୍ଥ ସଂଗ୍ରହ ଉପରେ ଏକ ଜାତୀୟ କର୍ମଶାଳା ଆୟୋଜନ କରିଥିଲା। ଏହି କର୍ମଶାଳା ଭାରତର ନବୀକରଣୀୟ ଶକ୍ତି ମହତ୍ବାକାଂକ୍ଷା ପ୍ରତି ଆର୍ଥିକ ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଏକ ସ୍ୱଚ୍ଛ, ସ୍ଥାୟୀ ଏବଂ ଆର୍ଥିକ ଅନ୍ତର୍ଭୁକ୍ତ ଶକ୍ତି ଭବିଷ୍ୟତ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରେ। ରାଜ୍ୟ ବିଭାଗ ଏବଂ ସଂସ୍ଥାଗୁଡ଼ିକ ସହିତ ମିଳିତ ଭାବରେ ମନ୍ତ୍ରଣାଳୟ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ସେବା ପର୍ବ ଆୟୋଜିତ ହୋଇଥିଲା। ଏହି ଅଭିଯାନର ଲକ୍ଷ୍ୟ ଥିଲା ସ୍ୱଚ୍ଛ ଶକ୍ତି ଏବଂ ଆତ୍ମନିର୍ଭରଶୀଳତା ବିଷୟରେ ସଚେତନତା ପ୍ରସାର କରିବା, ପ୍ରଧାନମନ୍ତ୍ରୀ-କୁସୁମ ଏବଂ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ୍ ଯୋଜନା ଭଳି ପ୍ରମୁଖ କାର୍ଯ୍ୟକ୍ରମ ଉପରେ ବିଶେଷ ଧ୍ୟାନ ଦେବା। ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକଳାପ ମଧ୍ୟରେ, ଏହି ଯୋଜନାଗୁଡ଼ିକ ପାଇଁ ୧୫ଟି ରାଜ୍ୟରେ ସଚେତନତା ଏବଂ କ୍ଷମତା ନିର୍ମାଣ କର୍ମଶାଳା ଆୟୋଜନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking