ଭୁବନେଶ୍ୱର: ବିଶ୍ଵର ସର୍ବବୃହତ ଗଣତନ୍ତ୍ରର ନିର୍ବାଚନ ପରିଚାଳନରେ କ୍ରମାଗତ ସଫଳତାର ବିଶ୍ଵସ୍ତରୀୟ ସ୍ବୀକୃତି ସ୍ୱରୂପ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ୨୦୨୬ ବର୍ଷ ପାଇଁ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ (ଇଣ୍ଟରନ୍ୟାସନାଲ ଆଇଡିଆ)ର ନେତୃତ୍ଵ ନେବା ପାଇଁ ଯାଉଛନ୍ତି । ସ୍ୱିଡେନର ଷ୍ଟକହୋମରେ ଡିସେମ୍ବର ୦୩, ୨୦୨୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଇଣ୍ଟରନ୍ୟାସନାଲ ଆଇଡିଆ ର ସଦସ୍ୟ ରାଷ୍ଟ୍ର ସାଧାରଣ ପରିଷଦ ବୈଠକରେ, ମୁଖ୍ୟ ନିର୍ବାଚନ କମିଶନର ଏହି ମର୍ଯ୍ୟାଦାପୂର୍ଣ୍ଣ ଦାୟିତ୍ଵ ଗ୍ରହଣ କରିବେ । ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ସାଧାରଣ ପରିଷଦ ବୈଠକରେ ସେ ଅଧ୍ୟକ୍ଷତା କରିବେ । ୧୯୯୫ ମସିହାରେ ପ୍ରତିଷ୍ଠିତ ଆଇଡିଆ ବିଶ୍ୱବ୍ୟାପୀ ଗଣତାନ୍ତ୍ରିକ ପ୍ରତିଷ୍ଠାନ ଏବଂ ସେମାନଙ୍କର କାର୍ଯ୍ୟ ପଦ୍ଧତିକୁ ଅଧିକ ଲୋକାଭିମୁଖୀ ଏବଂ ସଶକ୍ତ କରିବା ପାଇଁ ନିରନ୍ତର ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଆସୁଛି । ୩୫ଟି ଦେଶ ସଦସ୍ୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଓ ଜାପାନ ପର୍ଯ୍ୟବେକ୍ଷକ ଭାବରେ ଏହି ସଂଗଠନ ରେ ଦାୟିତ୍ଵ ନିର୍ବାହ କରୁଛନ୍ତି । (ପରିଶିଷ୍ଟରେ ସଦସ୍ୟ ଦେଶଗୁଡ଼ିକର ତାଲିକା ରହିଛି )।
ଏହି ବିଶ୍ଵସ୍ତରୀୟ ସ୍ବୀକୃତି ଭାରତ ନିର୍ବାଚନ ଆୟୋଗ ପାଇଁ ଏକ ମାଇଲଖୁଣ୍ଟ । ଆଇଡିଆର ଏକ ପ୍ରତିଷ୍ଠାତା ସଦସ୍ୟ ଭାବେ ଭାରତ, ସଂଗଠନର ପରିଚାଳନା, ଗଣତାନ୍ତ୍ରିକ ଆଲୋଚନା ଏବଂ ବିଭିନ୍ନ ପଦକ୍ଷେପ ନେବାରେ ଏକ ପ୍ରମୁଖ ଅବଦାନ ରଖିଆସିଛି । ଶ୍ରୀ ଜ୍ଞାନେଶ କୁମାର ଏହାର ଗୁରୁ ଦାୟିତ୍ଵ ନେବାପରେ ବିଶ୍ୱର ସର୍ବବୃହତ ନିର୍ବାଚନ ପରିଚାଳନାର ବିପୁଳ ଅଭିଜ୍ଞତାକୁ ପାଥେୟ କରି ଆଇଡିଆର କାର୍ଯ୍ୟସୂଚୀକୁ ଅଧିକ ଜନାଦୃତ କରିପାରିବେ । ତାଙ୍କର ଅଭିଜ୍ଞତା ଦେଶ ଦେଶ ମଧ୍ୟରେ ସୂଚନା ଆଦାନପ୍ରଦାନକୁ କ୍ରିୟାଶୀଳ କରିବା ସହିତ ନିର୍ବାଚନ ପରିଚାଳନା ସଂସ୍ଥା ମଧ୍ୟରେ ବୃତ୍ତିଗତ ନେଟୱାର୍କକୁ ମଜବୁତ କରିବ । ପାଖାପାଖି ଏକ ବିଲିୟନ ଭୋଟର ବିଶିଷ୍ଟ ବିଶ୍ୱର ସର୍ବବୃହତ ଭୋଟର ତାଲିକାର ସଫଳ ପ୍ରସ୍ତୁତି ଏବଂ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ସର୍ବୋତ୍ତମ ପଦକ୍ଷେପ ବା ଅଭ୍ୟାସଗୁଡ଼ିକୁ ବିଭିନ୍ନ ଦେଶର ନିର୍ବାଚନୀ ସଂସ୍ଥା ଗୁଡିକ ସହିତ ସେ ବାଣ୍ଟିବେ । ଯାହାଦ୍ୱାରା ବିଶ୍ଵର ଗଣତାନ୍ତ୍ରିକ ପଦ୍ଧତି ଆହୁରି ସଶକ୍ତ ହେବ । ନିର୍ବାଚନ ଆୟୋଗର ତାଲିମ ପ୍ରତିଷ୍ଠାନ – ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (IIIDEM) ଏବଂ ଅନ୍ତର୍ଜାତୀୟ ଆଇଡିଆ ର ମିଳିତ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ, କର୍ମଶାଳା ଏବଂ ଗବେଷଣା ବୃଦ୍ଧି ପାଇବ ଯାହାଫଳରେ ବିଭ୍ରାନ୍ତିକର ସୂଚନା, ନିର୍ବାଚନୀ ହିଂସା ଏବଂ ଭୋଟର ବିଶ୍ବାସନୀୟତା ହ୍ରାସପାଇବା ଭଳି ବିଶ୍ଵସ୍ତରୀୟ ସମସ୍ୟା ଗୁଡିକର ସମାଧାନର ମାର୍ଗ ଉନ୍ମୁକ୍ତ ହୋଇପାରିବ । IIIDEM ପ୍ରତିଷ୍ଠା ହେବା ଦିନଠାରୁ କେବଳ ଦେଶ ମଧ୍ୟରେ ନୁହେଁ ବରଂ ସମଗ୍ର ବିଶ୍ୱର ନିର୍ବାଚନ ଅଧିକାରୀମାନଙ୍କୁ ତାଲିମ ଦେଇ ଆସୁଛି। ଏପର୍ଯ୍ୟନ୍ତ, IIIDEM ୨୮ ଟି ଦେଶ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଏବଂ ପ୍ରାୟ ୧୪୨ ଟି ଦେଶର ୩୧୬୯ ଜଣ ଅଧିକାରୀଙ୍କୁ ତାଲିମ ଦେଇସାରିଛି ।










