ତେହରାନ୍: ଇରାନ୍ରେ ଚାଲିଥିବା ରାଜନୈତିକ ଅସ୍ଥିରତା, ହିଂସାତ୍ମକ ପ୍ରତିବାଦ ମଧ୍ୟରେ ସେଠାରେ ଭାରତୀୟ ଛାତ୍ରଛାତ୍ରୀମାନେ ଫସିରହିଛନ୍ତି। ପରିସ୍ଥିତି ଏପରି ହୋଇଛି ଫସିରହିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଏମାନଙ୍କ ପରିବାର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକୁଳ ନିବେଦନ କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ ଇରାନ୍ ଏବଂ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଏବେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରଛାତ୍ରୀ ଫସିରହିଛନ୍ତି। ସୁତରାଂ ଏମାନଙ୍କ ସୁରକ୍ଷା ପାଇଁ ଅଲ୍ ଇଣ୍ଡିଆ ମେଡିକାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (ଏଆଇଏମ୍ଏସ୍ଏ)ର ବିଦେଶୀ ଛାତ୍ର ଶାଖା ଓ ପରିବାର ପକ୍ଷରୁ କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ମାଧ୍ୟମରେ ଭାରତ ସରକାରଙ୍କୁ ନିବେଦନ କରାଯାଇଛି। ଆସୋସିଏସନ୍ କହିଛି, ଭାରତୀୟ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ୍। ଆସୋସିଏସନ୍ ଶନିବାର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବା ପୂର୍ବକ ଏକ ଚିଠି ଲେଖିଛି। ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏହି ଛାତ୍ରଛାତ୍ରୀମାନେ ଇରାନର ବିଭିନ୍ନ ଡାକ୍ତରୀ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇଛନ୍ତି ମୁଖ୍ୟତଃ ସ୍ଥାନୀୟ ପ୍ରତିଷ୍ଠାନ,ଛାତ୍ରାବାସ ଏବଂ ଶିକ୍ଷାନୁଷ୍ଠାନ ଉପରେ ନିର୍ଭରଶୀଳ, ଯାହା ଏହି ଅନିଶ୍ଚିତତା ସମୟରେ ସେମାନଙ୍କ ପରିସ୍ଥିତିକୁ ଆହୁରି ବିପଦପୂର୍ଣ୍ଣ କରିବ। ସୁତରାଂ ଇରାନରେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ସୁରକ୍ଷା, ସୁରକ୍ଷା ଏବଂ ନିରବଚ୍ଛିନ୍ନ ଯୋଗାଯୋଗ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ। ପ୍ରକାଶ, ଏହାପୂର୍ବରୁ ଜମ୍ମୁ କାଶ୍ମୀର ଛାତ୍ର ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଇରାନ୍ରେ ରହୁଥିବା ଭାରତୀୟ ଡାକ୍ତରୀ ଛାତ୍ରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ତାଙ୍କ ହସ୍ତକ୍ଷେପ ଅନୁରୋଧ କରିଥିଲା।










