ଭୁବନେଶ୍ୱର: ଚଳିତବର୍ଷ ଓଡିଶାର ୭ଟି ସ୍ଥାନରେ ଆୟୋଜିତ ହୋଇଥିବା ଇକୋ ରିଟ୍ରିିଟ୍କୁ ୨୮,୩୬୯ ଜଣ ପର୍ଯ୍ୟଟକ ଆସିଛନ୍ତି । ଇକୋ ରିଟ୍ରିଟ୍ରୁ ୭କୋଟି ୮୦ଲକ୍ଷ ଟଙ୍କାରୁ ଅଧିକ ରାଜସ୍ୱ ଆଦାୟ ହୋଇଥିବାବେଳେ ୭୬କୋଟି ଟଙ୍କାରୁ ଅଧିକ ବ୍ୟୟ ହୋଇଛି। ଇକୋ ରିଟ୍ରିଟ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଉପମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୨୪-୨୫ ବର୍ଷରେ ରାଜ୍ୟ ସାତଟି ସ୍ଥାନ ରାମଚଣ୍ଡୀ-କୋଣାର୍କ, ବାଲିପୁଟ-ସାତକୋଶିଆ, ପେଣ୍ଠ-ଭିତରକନିକା, ହୀରାକୁଦ, ଦାରିଙ୍ଗିବାଡି, ପୁତସିଲ-କୋରାପୁଟ ଓ ଗଞ୍ଜାମର ସୋନାପୁର ବେଳାଭୂମିରେ ଇକୋ ରିଟ୍ରିଟ୍ ଆୟୋଜିତ ହୋଇଥିଲା ।
ଏଠାକୁ ୨୮,୩୬୯ଜଣ ପର୍ଯ୍ୟଟକ ଆସିଥିଲେ । ଏଥି ମଧ୍ୟରୁ ସର୍ବାଧିକ ୧୧,୧୦୯ଜଣ ରାମଚଣ୍ଡୀ-କୋଣାର୍କକୁ ଆସିଥିବାବେଳେ ଭିତରକନିକାକୁ ୩୩୩୩ ଜଣ, ସୋନାପୁର ବେଳାଭୂମିକୁ ୩୧୬୮, ଦାରିଙ୍ଗିବାଡିକୁ ୩୧୫୫, ସାତକୋଶିଆକୁ ୨୮୮୫ ଏବଂ ପୁତସିଲକୁ ୨୪୩୬ଜଣ ଆସିଥିଲେ । ଇକୋ ରିଟ୍ରିଟ୍ ପରିଚାଳନା ପାଇଁ ଦୁଇଟି ସଂସ୍ଥା ଇ-ଫାକ୍ଟର ଏକ୍ସପେରିଏନ୍ସ ଲିମିଟେଡ ଓ ୟାଲା ଇକୋ ରିଟ୍ରିଟ୍ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଥିଲା । ଏହି ଦୁଇ ସଂସ୍ଥାକୁ ଏ ବାବଦରେ ୭୬,୦୦,୮୮,୪୨୬ ଟଙ୍କା ପ୍ରଦାନ କରାଯାଇଛି । ରାମଚଣ୍ଡୀ କୋଣାର୍କ ପାଇଁ ସର୍ବାଧିକ ୨୭ କୋଟି ୨୬ଲକ୍ଷ ଟଙ୍କା ଦିଆଯାଇଥିଲା ସବୁଠାରୁ କମ୍ ୬କୋଟି ୫୬ଲକ୍ଷଟଙ୍କା ଦାରିଙ୍ଗିବାଡିପାଇଁ ପ୍ରଦାନ କରାଯାିଛି । ସେହିଭଳି ଇକୋ ରିଟ୍ରିଟ୍ରୁ ମୋଟ୍ ୭,୮୦,୮୭,୫୨୦ଟଙ୍କାର ରାଜସ୍ୱ ଆସିଛି । ଏଥି ମଧ୍ୟରୁ ରାମଚଣ୍ଡୀ-କୋଣାର୍କରୁ ସବାଧିକ ୩,୭୩,୩୯,୨୪୫ ଟଙ୍କା ଆସିଥିବାବେଳେ ସବୁଠାରୁ କମ୍ ୬୧,୩୧,୬୫୦ ଟଙ୍କା ହୀରାକୁଦ ଇକୋ ରିଟ୍ରିଟ୍ରୁ ଆସିଥିଲା ।