ନୂଆଦିଲ୍ଲୀ : ଭାରତ-ନେପାଳ ସୀମାରେ ପ୍ରାୟ ୨୫୦୦ ଜିହାଦୀ ଡେରା ପକାଇଛନ୍ତି। କେବଳ ସେତିକି ନୁହେଁ ଏମାନଙ୍କୁ ଭାରତରେ ବ୍ୟାପକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ପାଇଁ ଟ୍ରେନିଂ ମଧ୍ୟ ଦିଆଯାଉଛି। ପାକିସ୍ତାନ ହିଁ ଏସବୁ ପଛରେ ରହିଛି। ପାକିସ୍ତାନ ପୃଷ୍ଠପୋଷକତାରେ ବହରାଇଚର ରୁପାଇଡିହାଠାରେ ଭାରତୀୟ ସୀମାଠାରୁ ୬ କିଲୋମିଟର ଦୂରରେ ଥିବା ନେପାଳଗଞ୍ଜ ଠାରେ ଏହି ୨୫୦୦ ଜିହାଦୀଙ୍କୁ ତାଲିମ ଦିଆଯାଉଛି। ଅର୍ଥ ଲୋଭ ଦେଖାଇ ନେପାଳର ମୁସଲମାନ ଯୁବକଙ୍କୁ ବିରୋଧୀ କାର୍ଯ୍ୟରେ ନିୟୋଜିତ କରାଉଛି ପାକିସ୍ତାନ। ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସ୍ଆଇ ଏସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଛି। ଭାରତ ବିରୋଧରେ ଏହି ନେପାଳୀ ମୁସଲିମ୍ ଯୁବକଙ୍କୁ ଭଡକାଇବା ସହ ଜିହାଦ୍ କରିବାକୁ ପ୍ରବର୍ତ୍ତାଉଛି ଆଇଏସ୍ଆଇ। ତେବେ ଏସବୁ ସୁରକ୍ଷା ଦୃଷ୍ଟିରୁ ଆଗାମୀ ଦିନରେ ଭାରତ ପାଇଁ ଏକ ବଡ଼ ବିପଦର ସଙ୍କେତ ବୋଲି କୁହାଯାଉଛି।
ଭାରତୀୟ ଗୁପ୍ତଚର ବିଭାଗର ସ୍ୱତନ୍ତ୍ର ଶାଖାର ଜଣେ ଏସ୍ପି ର୍ୟାଙ୍କ୍ ଅଧିକାରୀ ଏସମ୍ପର୍କୀତ ରିପୋର୍ଟ ଉତ୍ତରପ୍ରଦେଶ ରାଜ୍ୟ ପୁଲିସ୍ ମୁଖ୍ୟାଳୟକୁ ପଠାଇଛନ୍ତି। ଏଥିରେ ଉତ୍ତରପ୍ରଦେଶ-ନେପାଳ ସୀମା (ନେପାଳର ବାଙ୍କେ ଜିଲ୍ଲା) ଅନ୍ତର୍ଗତ ନେପାଳଗଞ୍ଜର ଫୁଲଟେକରା ଅଞ୍ଚଳରେ ଏଭଳି ତାଲିମ ପ୍ରଦାନ କାର୍ଯ୍ୟ ଜାରି ରହିଛି। ପାକିସ୍ତାନର ଆର୍ôଥକ ଅନୁଦାନରେ ଚାଲିଥିବା ଏହି ଅଞ୍ଚଳରେ ଥିବା ମଦ୍ରାସାଗୁଡ଼ିକରେ ପାକିସ୍ତାନର କେତେକ ଲୋକ ତାଲିମ୍ ପ୍ରଦାନ କରୁଛନ୍ତି। ସ୍ଥାନୀୟ ଯୁବକଙ୍କୁ ଜିହାଦୀ ଶିକ୍ଷା ଦିଆଯାଉଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହି ମଦ୍ରାସାଗୁଡ଼ିକ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ପାଇଁ ଏକ ବେସ୍ ପାଲଟିଛି। ଏପରି ହେଲେ ଭାରତ-ନେପାଳ ସମ୍ପର୍କ ପ୍ରଭାବିତ ହେବା ଆଶଙ୍କା ଉପୁଜିଛି।
୫ ସେପ୍ଟେମ୍ବର ୨୦୨୪ରେ ସରକାର ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଏ ସମ୍ପର୍କରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷା ଏବଂ ଗୁପ୍ତଚର ସଂସ୍ଥା ଏହି ଆହ୍ୱାନର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। ପୁଲିସ୍ ତଦାରଖ ପାଇଁ ଅପରେସନ୍ କବଚ ଜାରିରହିଛି। ପ୍ରକାଶ, ଉତ୍ତରପ୍ରଦେଶର ମହାରାଜଗଞ୍ଜ, ସିଦ୍ଧାର୍ଥନଗର, ବଳରାମପୁର, ଶ୍ରାବସ୍ତୀ, ବହରାଇଚ୍, ଲକ୍ଷ୍ମୀପୁର ଖେରୀ ଏବଂ ପିଲିଭିତ୍ ଜିଲ୍ଲା ସହିତ ପ୍ରାୟ ୫୭୦ କିଲୋମିଟର ସୀମା ନେପାଳ ସହିତ ରହିଛି। ସୋନାଉଲି, ଖୁନୱା, ରୁପାଇଡିହା ସୀମା ବ୍ୟତୀତ ଦୁଇ ଦେଶ ମଧ୍ୟରେ ୩୦୦ରୁ ଅଧିକ ପାଦଚଲା ରାସ୍ତା ଅଛି। ଏସବୁ ରାସ୍ତା ଉପରେ ଭାରତୀୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ କଡ଼ା ନଜର ରଖାଯାଉଛି।
ନେପାଳଗଞ୍ଜରେ ପାକିସ୍ତାନ ଏବଂ ଅନ୍ୟ ମୁସଲମାନ ଦେଶଗୁଡିକର ଆର୍ôଥକ ଅନୁଦାନରେ ଏବେ ପ୍ରାୟ ୧୩୦ଟି ମଦ୍ରାସା ଚାଲିଛି। ଏହି କାରଣରୁ ପାକିସ୍ତାନ ପାଇଁ ଏହିଠାରୁ ହିଁ ଜିହାଦୀ ପ୍ରସ୍ତୁତ କରିବା ସହଜ ହୋଇପାରୁଛି। ଏଥିମଧ୍ୟରୁ ନେପାଳଗଞ୍ଜରେ ୬ଟି ଏବଂ ଜୟସପୁରରେ ୫ଟି ମଦ୍ରାସା ରହିଛି। ଏହି ମଦ୍ରାସାଗୁଡ଼ିକରେ ୱାହାବି ଏବଂ ଆଇଏସଆଇ କାର୍ଯ୍ୟକଳାପ ଯୋଗୁ ନେପାଳର ଜମାତ-ଇ-ମିଲି-ଇସଲାମିଆ, ନେପାଳ ଇସଲାମ ୟୁଥ୍ ୟୁନିୟନ୍, ନେପାଳ ମୁସଲିମ୍ ଇଟେହାଦ ସାଙ୍ଗ୍, ଇସଲାମିକ୍ ସଂଗଠନ ନେପାଳ ଭଳି ମୁସଲମାନ ସଂଗଠନର ପୃଷ୍ଠପୋଷକତା ଥିବାର ସୂଚନା ରହିଛି। ଏତଦ୍ବ୍ୟତୀତ ଇସଲାମ୍ ପ୍ରଚାର ଆଳରେ ଫୁଲନାକରା ମଦ୍ରାସାରୁ ରୁପାଇଡିହାଙ୍କ କିଛି ମସଜିଦ୍କୁ ପାକିସ୍ତାନୀ ମୌଲାନା ଯିବା ଆସିବା କରୁଥିବାର ଜଣାପଡିଛି।