ଭୁବନେଶ୍ୱର: ରାଜ୍ୟରେ ମୋଟ ୩୮ଟି ମଞ୍ଜୁରୀପ୍ରାପ୍ତ ଆରଟିଓ ପଦବୀ ରହିଛି ଓ ସେଥି ମଧ୍ୟରୁ ୨୫ଟି ଆରଟିଏ ପଦବୀରେ ନିୟମିତ ଆରଟିଓମାନେ କାର୍ଯ୍ୟ କରୁଛନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଖାଲି ପଡିଥିବା ୧୩ଟି ଆରଟିଓ ପଦବୀକୁ ପଦୋନ୍ନତି ଭିତ୍ତିରେ ଖୁବଶୀଘ୍ର ପୂରଣ କରାଯିବ । ତେବେ ୧୦ଜଣ ପରିବହନ ଅଧିକାରୀମାନେ ନିଜ ମୂଳ ପଦବୀର ଦାୟିତ୍ୱରେ ସହିତ ଅନ୍ୟ ଆରଟିଓ ଅଫିସର ଦାୟିତ୍ୱ ସମ୍ଭାଳୁଛନ୍ତି ସେହିସବୁ ଆରଟିଓ ମଧ୍ୟରେ ରହିଛି ଭୁବନେଶ୍ୱର-୧, କଟକ, ମୟୁରଭଞ୍ଜ, କେନ୍ଦୁଝର, ପୁରୀ, ସୁନ୍ଦରଗଡ, ଅନୁଗୁଳ, ଭଦ୍ରକ, ବୌଦ୍ଧ ଓ ଯାଜପୁର । ଭୁବନେଶ୍ୱର-୧ ଆରଟିଓ ଦାୟିତ୍ୱରେ ଥିବା ଅଧିକାରୀ ଯୁଗ୍ମ ପରିବହନ କମିଶନର ହୋଇସାରିଥିବାବେଳେ କଟକ, ମୟୁରଭଞ୍ଜ, କେଦୁଝର, ଭଦ୍ରକ ଓ ଯାଜପୁରର ଆରଟିଓ ଉପପରିବହନ ଆୟୁକ୍ତ ପଦବୀରେ ଅଛନ୍ତି । ପୁରୀ ଆରଟିଓ ଦାୟିତ୍ୱରେ ମୋଟରଯାନ ନିରୀକ୍ଷକ ଥିବାବେଳେ ସୁନ୍ଦରଗଡ ଦାୟିତ୍ୱରେ ଅତିରିକ୍ତ ଆଞ୍ଚଳିକ ପରିବହନ ଆୟୁକ୍ତ ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ।